ପ୍ରତିବିମ୍ବ

 

 

 

 

 

 

 

 

 

 

ପ୍ରତିବିମ୍ବ

ଲାଲପ୍ରତାପ ନାରାୟଣ ରାୟ

 

ଭୂମିକା

 

ଉତ୍କଳ ସାହିତ୍ୟ ଯେ ପ୍ରତିବିମ୍ୱ ଦ୍ୱାରା ଉପକୃତ ହେବ ଏ ବିଶ୍ୱାସ ମୋର ନାହିଁ । ପ୍ରତିବିମ୍ୱ ଭଲ ହେଉ କିମ୍ୱା ମନ୍ଦ ହେଉ, ଏତିକି ମୋର ସାନ୍ତ୍ୱନା ଯେ ଏହା ଆଉ କାହାର ନୁହେଁ, ଏହା କେବଳ ମୋର ନିଜର ଅନ୍ତରର ପ୍ରତିବିମ୍ୱ । ଏ ପୁସ୍ତକ ରଚନା କରିବାରେ ମୁ ଭାବର ସ୍ରୋତରେ ଭାସି ଯାଇଅଛି ସେଥିପାଇଁ ଅଧିକାଂଶ ସ୍ଥଳରେ ଭାଷାର ମର୍ଯ୍ୟାଦା ରକ୍ଷା କରି ପାରି ନାହିଁ । ତନ୍ମିମିତ୍ତ ପାଠକମାନଙ୍କଠାରୁ ତୀବ୍ର ଭର୍ତ୍ସନା ଶୁଣିବାକୁ ତିଳେ ମାତ୍ର ଅନିଚ୍ଛୁକ ନୁହେଁ । ଯାହା କିଛି ଲିଖିତ ହୋଇଅଛି ତାହାର କୌଣସି ସ୍ଥାନରେ ଲେଖକକର କୂଟ ତର୍କ ନାହିଁ ଏହା ମୁଁ ଗର୍ବ କରି କହି ପାରେଁ । ‘ଗୋଟିଏ କଥା’ ପାଠ କରି କେହି କେହି ହିନ୍ଦୁବୀର ମୋପ୍ରତି ଖଡ୍ଗହସ୍ତ ହୋଇପାରନ୍ତି କିନ୍ତୁ କଅଣ କରିବି ଏହା ମୋର ହୃଦୟ ନିଃସୃତ ବିବେକ କଥିତ ଲେଖା । ‘ଆବୃତ୍ତି ଓ ସାନ୍ତ୍ୱନା’ରେ ଅନେକ ଦୋଷ ଥାଇପାରେ କିନ୍ତୁ ସେ ମୋର ପ୍ରକୃତ ବିବେକ ବାଣୀ । ଅନ୍ୟାନ୍ୟ ବିଷୟ ଗୁଡ଼ିକ ବିଚାର କରିବାର ଭାର ପାଠକ ଏବଂ ସମାଲୋଚକଙ୍କ ଉପରେ ନ୍ୟସ୍ତ ରହିଲା । ଇତି ।

 

କୃଷ୍ଣପ୍ରିୟା କୁଟୀର, କଟକ,

 

ଏପ୍ରିଲ ୨୩/୧୯୧୩

ଲେଖକ

☆☆☆

 

ସୂଚୀପତ୍ର

 

କମଳାକାନ୍ତଙ୍କର ଜୀବନ ଚରିତ

ଉପନ୍ୟାସର ଏକପୃଷ୍ଠା

ଭକ୍ତି

ଗୋଟିଏ କଥା

ଅନ୍ନପୂର୍ଣ୍ଣା

ଗୋଟିଏ ପରିବାର

କୋଣାର୍କ ପଥେ

ସ୍ୱାର୍ଥତ୍ୟାଗ

ସରସ୍ୱତୀ ପ୍ରତି

୧୦

କ୍ଷମାଗୁଣ

୧୧

ଅନ୍ତର୍ବିବାହ

୧୨

ଆବୃତ୍ତି ଓ ସାନ୍ତ୍ୱନା

୧୩

ଜନୈକ ବନ୍ଧୁ ପ୍ରତି

୧୪

ଆତ୍ମକର୍ତ୍ତବ୍ୟ

☆☆☆

 

କମଳାକାନ୍ତଙ୍କର ଜୀବନ ଚରିତ

 

ଶ୍ରୀଯୁକ୍ତ ହେମଚନ୍ଦ୍ର ସରକାର ମହୋଦୟଙ୍କର ‘କମଳାକାନ୍ତ’ରୁ ସଂକ୍ଷିପ୍ତ ଏବଂ କଟକ ଛାତ୍ରସମାଜରେ ପଠିତ ।

 

ଯେଉଁ ଦେଶରେ ପୂତଃସଳିଲା ସରିତକୁଳେଶ୍ୱରୀ ତୁଙ୍ଗ ତରଙ୍ଗମୟୀ ଗଙ୍ଗାନଦୀ ବହମାନା, ଯେଉଁ ଦେଶରେ ଦ୍ରୁମରାଜି ଅଭ୍ରଭେଦ କରତଃ ମହାଯୋଗୀ ପୁରୁଷ ନ୍ୟାୟ ଦଣ୍ଡାୟମାନ, ଯେଉଁ ଦେଶ ମହାପୁଣ୍ୟର ନିତ୍ୟ ଲୀଳାସ୍ଥଳୀ ବୋଲି ଆଜି ବିଂଶଶତାବ୍ଦୀରେ ସୁଦ୍ଧା ଜଗତ୍ ପ୍ରସିଦ୍ଧି ଲାଭ କରିଅଛି, ସେହି ଚିର ପୁଣ୍ୟମୟ ଯୋଗୀନ୍ଦ୍ର ମୁନୀନ୍ଦ୍ରଗଣଙ୍କର ଜନ୍ମଭୂମି ଭାରତବର୍ଷରେ ଆଜି କାଲି ସୁଦ୍ଧା ଅନେକ ପରମଧାର୍ମିକ ଲୋକଗୁରୁ ଦେବଭାବାପନ୍ନ ମହାପୁରୁଷଙ୍କର ଆବିର୍ଭାବ ହୁଏ । ସେହି ସମସ୍ତ ମହାପୁରୁଷମାନଙ୍କ ମଧ୍ୟରେ ଜୀବିତ ଭକ୍ତି ଭାଜନ କମଳାକାନ୍ତ ବ୍ରହ୍ମଦାସ ମହାଶୟଙ୍କର ନାମ ଉଲ୍ଲେଖ ଯୋଗ୍ୟ । ତାଙ୍କର ପରୋପକାର ପ୍ରବୃତ୍ତି, ନିଷ୍କପଟ ସରଳତା, ଗଭୀର ଈଶ୍ୱର ବିଶ୍ୱାସ, ସ୍ୱାଭାବିକ ବିଶ୍ୱପ୍ରେମିକତା ଇତ୍ୟାଦି ଦେଖିଲେ–କିଏ ମୁଗ୍ଧ ନ ହେବ ?

 

ମୁର୍ଶିଦାବାଦ ଜିଲ୍ଲାର ପଶ୍ଚିମ ସୀମାନ୍ତରେ ଦେଓନାପୁର ଗ୍ରାମସ୍ଥ ଜନୈକ ପଦ୍ମଲୋଚନ ଘୋଷର ୧୨୪୪ ସାଲର ୧୯ଶ ମାଘରେ ଗୋଟିଏ ପୁତ୍ର ସନ୍ତାନ ଭୂମିଷ୍ଠ ହୁଏ । ଏହାଙ୍କରଇ ନାମ କମଳାକାନ୍ତ । ତାଙ୍କର ମାତାଙ୍କର ନାମ ଉମାସୁନ୍ଦରୀ । କମଳାକାନ୍ତ ଶୈଶବରେ ପିତୃହୀନ ହେବାରୁ ସୁଚାରୁରୂପେ ବିଦ୍ୟାର୍ଜ୍ଜନ କରି ପାରିଲେ ନାହିଁ । କିନ୍ତୁ ସେ ସମୟରେ ତାଙ୍କର ସତ୍‌ସଙ୍ଗ ଲାଭ ହୋଇଥିଲା । ତାଙ୍କର ମାତା ଅତ୍ୟନ୍ତ ଭଗବତନିଷ୍ଠାପରାୟଣା ଏବଂ ତାଙ୍କର ପ୍ରତିବେଶୀ ଅନ୍ୟ ଜଣେ ଘୋଷ ମହାଶୟ ସେ ମଧ୍ୟ ପରମ ଧାର୍ମିକ ଏବଂ ପରମ ଉପକାରୀ ଥିଲେ । ଭଗବତ୍ କୃପାରୁ ସେ କୌଣସି ଟୋଲରେ କିମ୍ବା କୌଣସି ମାଦ୍ରାସାରେ ନ ପଢ଼ି ସୁଦ୍ଧା ଅନେକାନେକ ସାରଗର୍ଭ ପଦ୍ୟ ଏବଂ କତିପୟ ଅତ୍ୟୁତ୍କୃଷ୍ଟ ପୁସ୍ତକ ଲେଖି ଯାଇ ଅଛନ୍ତି । ଉଦାହରଣ ସ୍ୱରୂପ ଦୁଇଟା ପଦ୍ୟ ଏଠାରେ ଉଦ୍ଧୃତ କଲି ।

 

(୧)

 

ଏକ୍ ହରିକା ପୂଳାମେ ସବ୍ ଦେବ୍‍କା ହୋୟ ପୂଜା

ଏକ୍ ହରିକା ନାମ୍ ସେ ସବ୍ ତୀରଥ୍ ହୋୟ ସୋଜା

ଏକ୍ ହରିକା ଜନ୍‌କୋ ପ୍ରେମ ଭକ୍ତି ସେ ପୂଜେଗା

କହେ ଗୁରୁଦେବ ତିର୍ଥକା ଫଲ୍ ଘର ବୈଠେ ମିଲେଗା ।

 

ଛୋଟ ! ଲେଡ଼୍‍କା ଆୟନା ଦେଖ୍‍କେ ଖୋସ୍ ରହେ ହରଦମ୍

ଏଇସା ମାୟାଧାରୀ ଲୋକ୍ ମାୟାମେ ହ୍ୟାୟ୍ ବନ୍ଦ୍

ଶ୍ରୀଗୁରୁ ପ୍ରସାଦ୍ ପ୍ରଭୁକୋ ଯୋଡ଼୍‍ତା ହ୍ୟାୟ୍ ଦୋ ହାତ୍

ନିଜଗୁଣ୍ ସୋ ନିଜଚରଣ୍ ସୋ ମତକରୋ ତଫାତ୍ ।

 

ଗୋଟିଏ କଥା ଅଛି “ସତସଙ୍ଗରେ କାଶୀବାସ, ଅସତ୍ ସଙ୍ଗରେ ସର୍ବ୍ବନାଶ” । କମଳାକାନ୍ତ ଯେ ଏହିରୂପ ସତ୍‍ସଙ୍ଗ ଲାଭ କରି ସ୍ୱର୍ଗର ବିମଳାନନ୍ଦ ଉପଭୋଗ କରୁଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ଉପଭୋଗ କରୁଛନ୍ତି ଏହା ବୋଲିବା ବାହୁଲ୍ୟ ମାତ୍ର ।

 

ଗୋଟିଏ ଘଟଣାରୁ କମଳାକାନ୍ତଙ୍କର “ନିଃଶ୍ୱାର୍ଥ ଜୀବନସେବା”ର ଯଥାର୍ଥ୍ୟ ଉପଲବ୍ଧି କରିପାରୁଁ । ୧୨୬୫ ସାଲରେ କମଳାକାନ୍ତଙ୍କର ପ୍ରତିବେଶୀ ଗୋଲକଚନ୍ଦ୍ର ରାୟଙ୍କର ଘରେ ହଠାତ୍ ଦିନେ ଦିବା ଦୁଇପ୍ରହର ବେଳେ ନିଆଁ ଲାଗିଲା । ସେହି ମୁହୂର୍ତ୍ତରେ କମଳାକାନ୍ତ ନିଜଗୃହ ପରିତ୍ୟାଗ କରି ଅନ୍ୟ ଗୋଟିଏ ଗୃହ ଆଡ଼କୁ ଉର୍ଦ୍ଧ୍ୱ ଶ୍ୱାସରେ ଦ୍ରୁତ ବେଗରେ ପ୍ରସ୍ଥାନ କଲେ ଏବଂ ମୁହୂର୍ତ୍ତକ ମଧ୍ୟରେ କନ୍ଥାବୃତ ଗୋଟିଏ କ୍ଷୀରକଣ୍ଠ ଶିଶୁକୁ ଘେନି ବାହାର ହେଲେ ଏବଂ ତତ୍‌ପରେ ଶିଶୁଟିକୁ ତାର ଆତୁରା ମାତାର କ୍ରୋଡ଼ରେ ଦେଇ ନିଜଗୃହ ଆଡ଼କୁ ଧାବିତ ହେଲେ । କମଳାକାନ୍ତଙ୍କୁ ଦେଖି ତାଙ୍କର ମାତା ଟିକିଏ ବିରକ୍ତି ଭାବ ଦେଖାଇ କହିଲେ, “ଏପରି ସମୟରେ ବି କେଉଁଆଡ଼େ ଯିବା ଉଚିତ ?” କମଳାକାନ୍ତ ଶିଶୁଟିର ବୃତ୍ତାନ୍ତ ବିବୃତି କଲାରୁ ତାଙ୍କର ମାତା ସନ୍ତୁଷ୍ଟ ହୋଇ କହିଲେ “ବେଶ୍ କରି ଅଛ ।” ଦେଖୁଁ ଦେଖୁଁ ନିଜର ଘର ପୋଡ଼ି ଭସ୍ମସାତ୍ ହୋଇଗଲା ।

 

କମଳାକାନ୍ତ ଆତିଶୟ ଉଦ୍ୟୋଗୀ ଥିଲେ । ତାଙ୍କର ଆନ୍ତରିକ ଉତ୍ସାହ ଏବଂ ଉଦ୍ୟମର ବଳରେ ସେ କ୍ରମେ କ୍ରମେ ବିଦ୍ୟା ଏବଂ ଅର୍ଥ ଉପାର୍ଜନ କରିବାକୁ ଲାଗିଲେ । କେତେ କଷ୍ଟରେ କେତେ ଦୁଃଖରେ ଯେ ସେ ମନୁଷ୍ୟ ହୋଇ ଅଛନ୍ତି ତାହା ଅନେକ ପ୍ରାତଃସ୍ମରଣୀୟ ଜଗଦବିଖ୍ୟାତ ମହାପୁରୁଷଙ୍କର ଜୀବନରେ ପରିଲକ୍ଷିତ ହୋଇଥାଏ । ବିଦ୍ୟାସାଗର, ଜନସନ୍, ପ୍ରଭୃତି ମହାପୁରୁଷମାନଙ୍କର ବାଲ୍ୟ ଜୀବନ କି ଦାରୁଣ ଦୁଃଖମୟ ।

 

ତାଙ୍କର ଅଟଳ ଧର୍ମ ବିଶ୍ୱାସର ପରିଚୟ ନିମ୍ନଲିଖିତ ଘଟଣାରୁ ମିଳେ । ଯେତେବେଳେ ତାଙ୍କର ନାମରେ ମିଥ୍ୟା ଉତ୍‍କୋଚ ଗ୍ରହଣର ଅଭିଯୋଗ ଉପସ୍ଥିତି ହୁଏ ସେତେବେଳେ ସୁଦ୍ଧା ତାଙ୍କର ଧୈର୍ଯ୍ୟଚ୍ୟୁତି ହୋଇ ନାହିଁ । ତାଙ୍କର ତାତ୍‌କାଳୀନ ମନର ପ୍ରଫୁଲ୍ଲତା ଦେଖି ତାଙ୍କର ସମବୟଷ୍କ ବନ୍ଧୁମାନେ କହିଥିଲେ, “ଆହେ ତୁମ ଉପରେ ଏତେବଡ଼ ଦାୟରାର ମୋକଦ୍ଦମା; ତୁମେ କେଉଁ ସାହସରେ ନିଶ୍ଚିନ୍ତ ଭାବରେ ବୁଲୁଅଛ ?” ତଦୁତ୍ତରେ ସେ କହିଥିଲେ “ସତ୍ୟ ଯଦି ସତ୍ୟ ହୁଏ ତେବେ ଭୟ କଅଣ ? ସମସ୍ତେଇ ତ କହିଥାଆନ୍ତି ସତ୍ୟର ଜୟ ଚିରଦିନ; ତେବେ ଆଉ ଭାବନରେ ବିଷୟ କଅଣ ?” ଉମାସୁନ୍ଦରୀ ତାଙ୍କର ଜୀବନର ଅନ୍ତିମ କାଳରେ କମଳାକାନ୍ତଙ୍କୁ କହି ଯାଇଥିଲେ, “ଏଠାରେ ତୁମର ତ ନିଜର ବୋଲିବାର କେହି ନାହାନ୍ତି, ସାବଧାନରେ ଥାଅ, ମୋର ସମୟ ଶେଷ ହୋଇ ଆସିଲା, ତୁମେ ଆକୁଳ ହୁଅନା । ତୁମକୁ ରଖି ମୋର ଯିବାହିଁ ମଙ୍ଗଳ ।” ବିଭୁଙ୍କର ନାମ କରୁଁ କରୁଁ ତାଙ୍କର ପ୍ରାଣ ମହାପ୍ରାଣରେ ମିଶିଗଲା ।

 

କମଳାକାନ୍ତଙ୍କର ଧର୍ମ୍ମଭାବ ହୃଦୟରେ ସର୍ବଦା ଜାଗରୂକ ଥିଲା । ଯେଉଁଠାରେ ଧର୍ମ୍ମ ବିଷୟ ଆଲୋଚନା ହୁଅନ୍ତା, ସେ ଆଗ୍ରହର ସହିତ ସେଠାକୁ ଯାଆନ୍ତେ । ମାତାଙ୍କର ସ୍ୱର୍ଗାରୋହଣ ପରେ କମଳାକାନ୍ତ ବ୍ରାହ୍ମମାନଙ୍କର ସଂସ୍ପର୍ଶରେ ଆସି ଆକାର ଏବଂ ନିରାକାର ଘେନି ଘୋର ସମସ୍ୟାରେ ପଡ଼ିଲେ । ଧର୍ମର ସାରତତ୍ତ୍ୱ ଅନ୍ୱେଷଣ କରିବା ପାଇଁ ତାଙ୍କର ପ୍ରଗାଢ଼ ଆକାଙ୍‍କ୍ଷା ହେଲା । ଦିନେ ଗୃହମଧ୍ୟରେ ମଧ୍ୟାହ୍ନ ଉପାସନା ପରେ ଟିକିଏ ଧ୍ୟାନର ଚେଷ୍ଟା କରୁଥିଲେ, ସେହି ସମୟରେ ତାଙ୍କର ହୃଦୟରୁ ଯେଉଁ ସଂଗୀତଟି ପ୍ରକାଶ ହୁଏ ତାହା ଏହି;–

 

ଜୀବ ନବ ଯନ୍ତ୍ର ଧର କରେ

 

ନିଦାନ ବିଧାନ, ବ୍ରହ୍ମ ତତ୍ତ୍ୱଜ୍ଞ।ନ, ବାଜେ ଯାତେ ତାରେ ତାରେ

ମିଲାଇଆ ମନେ, ଧ୍ୟାନ ଲୟଯୋଗେ, ବ୍ରହ୍ମଗୁଣ ଗାନ କରେ ପ୍ରେମରାଗେ

ଜାଗାଓ ବିବେକେ ଭକ୍ତି ଅନୁରାଗେ, ସତ୍ୟ ସୁଧାମୟ ସ୍ୱରେ

ଏ ମନ୍ତ୍ରେ ଅନନ୍ତ ରାଗେର ସୃଜନ, ବ୍ରହ୍ମରୂପ ହୃଦେ ପାୟ ଦରଶନ

ରାଗ ହିଂସା ଦ୍ୱେଷ ହୟ ବିସର୍ଜନ, ଭ୍ରାନ୍ତି ନାଶେ ଶାନ୍ତି ଗୁଣେ,

ଆସକ୍ତି ଭାବନା ବିଳାସ ବାସନା, ଇହାତେ ଘୂରେ ସକଳ ଯନ୍ତ୍ରଣା

ମାୟା ପ୍ରଲୋଭିନୀର ହୟ ବିଡ଼ମ୍ବନା ଯଦି ପ୍ରେମେ ବାଦ୍ୟ କରେ ।

 

ଏହି ଦିନଠାରୁ କମଳାକାନ୍ତଙ୍କର ବ୍ରାହ୍ମଧର୍ମ ପ୍ରତି ଆସ୍ଥା ହେଲା । କିନ୍ତୁ କେଉଁ ଧର୍ମଟା ଗ୍ରହଣ କରିବେ ଏବଂ କେଉଁ ଧର୍ମଟା ଅବା ପରିତ୍ୟାଗ କରିବେ ଏହି ବିଷୟ ଘେନି ତୀବ୍ର ସଂଗ୍ରାମରେ ରତ ହୋଇଥିଲେ । ଯେତେବେଳେ କମଳାକାନ୍ତ ବ୍ରାହ୍ମ ହେବାକୁ ଲାଗିଲେ ସେତେବେଳେ ତାଙ୍କ ପ୍ରତି ସାମାଜିକ ଶାସନ ଆରମ୍ଭ ହେଲା । କିନ୍ତୁ ପ୍ରବଳ ସଦିଚ୍ଛାକୁ ଦମନ କରି ରଖିବା କି ସମାଜର ସାଧ୍ୟ-? ଯେତେବେଳେ ସେ ଧୋବା ବନ୍ଦ କଥା ଶୁଣିଲେ ସେହିପରି ଗୈରିକବସନ ପରିଧାନ କଲେ ।

 

ନାପିତ କ୍ଷୌର କରିବ ନାହିଁ ସେଥିପାଇଁ ନିଶ ଦାଢ଼ି ଏକେବାରେ ଛାଡ଼ି ଦେଲେ । ସେ ଏହିସବୁ ବ୍ୟାପାରରେ ଭ୍ରୂକ୍ଷେପ ନ କରି ସତ୍ୟ କଅଣ ଏହାର ଚିନ୍ତାରେ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିଲେ । ଦିନେ ସେ ଧ୍ୟାନରେ ବସିଅଛନ୍ତି, ଏପରି ସମୟରେ ତାଙ୍କର ହୃଦୟରେ କିଏ ଯେପରି ଏହି କଥା କହିଲେ, ‘ରେ ମୂର୍ଖ ! ଭ୍ରାନ୍ତିର ଅନ୍ଧକାରରେ କାହିଁକି ଭ୍ରମଣ କରୁଅଛୁ ? ପ୍ରକୃତ ସତ୍ୟକୁ ଆଶ୍ରୟ କର ।” ସେହି ଦିନଠାରୁ କମଳାକାନ୍ତଙ୍କର ସାକାର ପୂଜାରେ ବିଶ୍ୱାସ ଭଗ୍ନ ହେଲା ଏବଂ ଏକେଶ୍ୱରବାଦ ବିଶ୍ୱାସ ଦିନୁ ଦିନ ଘନୀଭୂତ ହୋଇ ତତ୍‍ପ୍ରତି ଅଟଳ ବିଶ୍ୱାସ ସ୍ଥାପିତ ହେଲା ।

 

ଗୋଟିଏ ଘଟଣାରୁ କମଳାକାନ୍ତଙ୍କର ଏହିପରି ଧାରଣା ହୋଇଥିଲା ଯେ ହୃଦୟ ମଧ୍ୟରେ ଅନାହତ ଶବ୍ଦରେ ଈଶ୍ୱର କଥା କହନ୍ତି, ଏହାହିଁ ବିବେକ ନାମରେ ଅଭିହିତ । ହଠାତ୍ ଦିନେ ସେ ହୃଦୟ ମଧ୍ୟରେ ଶୁଣି ପାରିଲେ ଯେ ଅସାର ଆସକ୍ତି ସଂଗ୍ରାମରେ ଜୟୀ ହୋଇ ପାରିଲେ ପ୍ରକୃତ ବୈରାଗ୍ୟର ଆଶ୍ରୟ ମିଳେ । ଆଶ୍ରମ ଅନାସକ୍ତ ବୈରାଗ୍ୟ ସାଧନ କଲେ ସଂସାର ବିଷର ନିକେତନ ନ ହୋଇ ଅମୃତର ଆଳୟ ହୁଏ । ତାଙ୍କର ଅପ୍ରଭେଦ ଭକ୍ତିର କଥା ଶୁଣିଲେ କିଏ ବିସ୍ମୟ ରସରେ ଆପ୍ଲୁତ ନ ହେବ ? ତାଙ୍କ ପାଖରେ ଭକ୍ତିର ଭେଦରୁ ହିଁ ପାପର ମୂଳ । ପିତାମାତା ମେହେନ୍ତର ଚଣ୍ଡାଳ ସମଭକ୍ତିର ଆଧାର । ଅନେକ ସାମୟିକ ଘଟଣାଦ୍ୱାରା ସେ ଏହି କଥାଟି ବେଶ ଭଲକରି ହୃଦୟଙ୍ଗମ କରିଥିଲେ ଯେ ଈଶ୍ୱରଙ୍କ ଉପରେ ନିର୍ଭର କରି ପାରିଲେ ଆମ୍ଭମାନଙ୍କର ସକଳ ଇଚ୍ଛା ପୂର୍ଣ୍ଣ ହୁଏ ।

 

ସେ ବୁଝିଥିଲେ ଯେ ସତ୍ୟ ଯଦି ଏକଦିଗରେ ହୁଏ ଆଉ ସମସ୍ତ ପୃଥିବୀ ଯଦି ଅନ୍ୟ ଦିଗରେ ହୁଏ, ତାହାହେଲେ ସୁଦ୍ଧା ସତ୍ୟର ଆଶ୍ରୟ ଗ୍ରହଣ କରିବ । ସେ କହୁଥିଲେ ନିତ୍ୟ ବିଶ୍ୱାସ ମୂଳରେ ଜଗତ ଏକପକ୍ଷ ହେଲେଇ ବା ଭୟର କାରଣ କଣ ?

 

କମଳାକାନ୍ତ ବୁଝିଥିଲେ ଯେ ଉଦାର ବ୍ରାହ୍ମଧର୍ମ ଦ୍ୱାରା ସାମାଜିକତାର ଘୋର ଅନ୍ଧକାରକୁ ବିନଷ୍ଟ କରିବା ଏହାଇ ଧର୍ମର ସାର ଏବଂ ସମନ୍ୱୟ । ଜାତ୍ୟଭିମାନର ଆବରଣ ଅପସାରିତ ହେଲେ ମହାଜ୍ଞାନର ଆବିର୍ଭାବ ହୁଏ । ତତସଙ୍ଗେ ନିରାକାର ଚୈତନ୍ୟର ନିତ୍ୟବିଧାନର ଆଲୋକ ଫୁଟି ଉଠେ । ତାଙ୍କର ଗୋଟିଏ ମତ ଏହି ଯେ “ପ୍ରତ୍ୟେକ ପ୍ରାଣୀ ମଧ୍ୟରେ ଚୈତନ୍ୟ ଶକ୍ତିର ଭାବ ବିକାଶ ପାଉଅଛି ଏହା ପ୍ରତ୍ୟକ୍ଷ କରି ସୁଦ୍ଧା ଏହାକୁ ବୃଥା ଭାବି ଅଚେତନ ଜଡ଼ବସ୍ତୁରେ ଈଶ୍ୱର ଦର୍ଶନ ବାସନା ଯେ ଭ୍ରାନ୍ତିର ଆବରଣ ତାହା କେହି ମନେ କରନ୍ତି ନାହିଁ । ତାଙ୍କର ଆଉ ଗୋଟିଏ ଅଭିମତ ଏହି ଯେ “ଯୋଗୀ ଯୋଗରାଜ୍ୟରେ ଜାଣି ପାରନ୍ତି ଯେ ଏକମାତ୍ର ସତ୍ୟର ଧର୍ମ । ଧର୍ମ୍ମ ଧୂ ଧାତୁରୁ ସିଦ୍ଧ; ଯାହା ମଧ୍ୟରେ ସମସ୍ତ ଧାରଣା ଶକ୍ତି ଅଛି ତାହାଇ ଧର୍ମ ଅର୍ଥାତ୍‍ ଧର୍ମଇ ବ୍ରହ୍ମ । ତେବେ “ବ୍ରହ୍ମ କୃପାହି କେବଳଂ” ଏହି ମହାମନ୍ତ୍ର ଭିନ୍ନ ପରିତ୍ରାଣର ଆଉ ଅନ୍ୟ ଉପାୟ ନାହିଁ । ପୃଥିବୀରେ ଯେତେ ପ୍ରକାର ଧର୍ମ ଅଛି ସେଥିମଧ୍ୟରେ ଏହାଇ ସର୍ବଶ୍ରେଷ୍ଠ । ଯୋଗଭ୍ରଷ୍ଟ ମାନବକର୍ତ୍ତୃକ ସକାମ ଧର୍ମଦ୍ୱାରା କଳ୍ପିତ ଧର୍ମସମୂହ ସୃଷ୍ଟ ହୋଇଅଛି ।”

 

କମଳାକାନ୍ତ ଏହି ସମସ୍ତ ବିଷୟରେ ଯେ ଏକେବାରେ ଭ୍ରାନ୍ତିହୀନ ଆସକ୍ତିହୀନ ତାହା କହିପାରୁ ନା, କାରଣ ମାନବର କ୍ଷୁଦ୍ରାଧାରରେ ସମ୍ୟକ୍ ସତ୍ୟ ବିକାଶ ହେବା ଅସମ୍ଭବ । ତେବେ, ଯାହାହେଉ, କମଳାକାନ୍ତଙ୍କର ଯେ ସକଳ ପ୍ରକାର ଲୋକଙ୍କ ସହିତ ଆନ୍ତରିକ ସ୍ନେହ ଏବଂ ଅକୃତ୍ରିମ ପ୍ରେମ ଥିଲା ଏ ବିଷୟରେ ସନ୍ଦେହ କରିବାର କୌଣସି କାରଣ ଦେଖାଯାଇ ନାହିଁ ।

 

କମଳାକାନ୍ତ ପ୍ରକୃତ ଈଶ୍ୱର ପ୍ରେମିକ । ଅବସର ପ୍ରାପ୍ତ ହେଲାକ୍ଷଣି ସେ ନିର୍ଜନ-ଚିନ୍ତାରେ ବ୍ରହ୍ମାନନ୍ଦ ଭୋଗ କରୁଥିଲେ ଏବଂ ଏହିପରି କରୁ କରୁ ତାଙ୍କର ଏ ପ୍ରକାର ଚିଚ୍ଛକ୍ତି ଜନ୍ମିଥିଲା ଯେ କେଉଁଦିନ କି ଅନିଷ୍ଟ ଘଟିବ ତାହା ସେ ତତପୂର୍ବରୁ ଜାଣି ପାରୁଥିଲେ । ବାସ୍ତବିକ ହରିନାମର ଏକ ଅସୀମ ଶକ୍ତି !

 

“ପ୍ରେମସେ ହରିଗୁଣ ବୋବା ବଲେ ଅନ୍ଧ ହରିକୋ ଦେଖେ

ବହେରା ହରିଗୁଣ୍‍ ଶୋନେ, ନାଚେ ପଙ୍ଗୁ ହରିଧନ୍ ଲେକେ ।”

 

ପୁଣି

 

“ଘସ୍‍ତେ ଘସ୍‍ତେ ଚନ୍ଦନ୍‍କା ଯୋ ଛୁଟତା ହ୍ୟାୟ୍‍ ସୁବାସ୍

ହରି ଭଜନ୍‍କା ଏଇସି ରୀତି ମତ୍ ହଓ ନିରାଶ ।”

 

ସେ ସଂସ୍କୃତ ନ ପଢ଼ି ସୁଦ୍ଧା ‘ନିର୍ଲିପ୍ତଭାବ’, ‘ସାକାରଭାବ କଅଣ ।’ ‘ବିଶ୍ୱାସ, ଶାନ୍ତି, ସାଧନ ମଧ୍ୟରେ କେଉଁଟା ମୂଳ ?’ ଏହି ସମସ୍ତ ବିଷୟ ଯେପରି ଭାବରେ ବୁଝିଅଛନ୍ତି ତାହା ତାଙ୍କର ଜୀବନ ଚରିତ ପାଠ କଲେ ବିଶଦରୂପ ଜଣାଯାଏ । ସେ କହିଅଛନ୍ତି “ବିଶ୍ୱାସର ମୂଳ ।” ଅନ୍ତର୍ଜଗତରେ ଏକମାତ୍ର ପରବ୍ରହ୍ମର ଧ୍ୟାନ ଧାରଣାରେ ବାତବିକମ୍ପିତ ବୃକ୍ଷ ପରି ମୋହମୁଗ୍ଧ ଚଞ୍ଚଳଚିତ୍ତକୁ ଏକାଗ୍ରତାର ଦୃଢ଼ବନ୍ଧନରେ ବାନ୍ଧି ରଖି ଗାଢ଼ ଅନ୍ଧକାର ମଧ୍ୟ ଦେଇ ସ୍ଥିର କରିବାକୁ ହେବ । ବିଶ୍ୱାସ ଯେତେ ଘନ ହୋଇ ଆସିବ ଘୋର ନୀଳିମାରେ ମହାକାଶ ସେତେ ସ୍ୱଚ୍ଛ ଏବଂ ଉଜ୍ଜ୍ୱଳ ହେବ । ଫଳତଃ ନିବିଡ଼ ତିମିରାବୃତ ହୃଦୟାକାଶରେ ଯାହାଙ୍କର ବିଶ୍ୱାସ ପ୍ରବଳ ଥାଏ, ତାଙ୍କରଇ ସାଧନର ଭିତ୍ତି ଦୃଢ଼ ହୁଏ । ସେତେବେଳେ ପୃଥିବୀର ଦୃଷ୍ଟି ଅନ୍ତର୍ହିତ ହୋଇଯାଏ, ଅନ୍ତର୍ଜ୍ୟୋତିଃ ଲକ୍ଷିତ ହେବାକୁ ଲାଗେ, ସର୍ବଶକ୍ତିମାନ ଈଶ୍ୱରଙ୍କର ଅନନ୍ତ ସ୍ୱରୂପସ୍ପୃହା ଜନ୍ମେ, ନାସ୍ତିକମାନଙ୍କ ପ୍ରତି ଭୟ ହୁଏ ।” ଅର୍ଥ ସଞ୍ଚୟ ସମ୍ବନ୍ଧରେ ସେ ଏହିପ୍ରକାର କହି ଅଛନ୍ତି;–“ସତ୍ୟାନୁଷ୍ଠାନଦ୍ୱାରା ଯେଉଁ ଉପାର୍ଜନ ହୋଇଥାଏ, ତାହାର ଯଥାର୍ଥ ଅର୍ଥ ସଞ୍ଚୟ; କେବଳ ସେଥିରେ ପୃଥିବୀର ପ୍ରୀତିର କାର୍ଯ୍ୟ ହୁଏ । ବିଶୁଦ୍ଧ ଜ୍ଞ।ନର ଅନୁସରଣରେ ଯେଉଁ ସମୂହ ଅର୍ଥ ସଞ୍ଚିତ ହୁଏ ତାହାର ପ୍ରକୃତ ଐଶ୍ଚର୍ଯ୍ୟ ।”

 

ସୁରାସମ୍ବନ୍ଧରେ ସେ ଲେଖିଅଛନ୍ତି ଯେ “ବିକାରବିକୃତ ମତ୍ତତାର ଆନନ୍ଦ ଏକ ସ୍ୱଭାବ ସତ୍ତ୍ୱେ ସଂସ୍ପର୍ଶ ଜନିତ ମହାଜ୍ଞ।ନର ଜ୍ୟୋତି ପ୍ରକାଶ କରିବାକୁ ଅସମର୍ଥ ହୁଏ । ସୁତରାଂ ସୁରାସେବା ବିବେକାନ୍ଧ ବ୍ୟକ୍ତିର ମତ୍ତତାରେ ଯେ ସମୂହ ବ୍ୟାପାର ଉପସ୍ଥିତ ହୋଇଥାଏ ତାହା ବିପଦ୍ ବ୍ୟତୀତ ଆଉ କଅଣ ହୋଇପାରେ ? ଯୋଗୀଗଣ ସ୍ୱର୍ଗୀୟ ସୁରା ସେବନରେ କଦାପି ମୂର୍ଚ୍ଛିତ ବା ଅଜ୍ଞ।ନ ହୁଅନ୍ତି ନାହିଁ; ସେମାନଙ୍କର ଶରୀର ବ୍ରହ୍ମଯୋଗରେ ସର୍ପଶଲୁବତ୍ ପୃଥିବୀରେ ଅବସ୍ଥିତ କରେ ସତ୍ୟ, କିନ୍ତୁ ବିବେକ ପ୍ରସନ୍ନ ରହିଥିବା ଯୋଗୁଁ ସେମାନେ କ୍ଷଣକାଳ ସୁଦ୍ଧା ନିତ୍ୟ ମତ୍ତତାରୁ ବଞ୍ଚିତ ରହନ୍ତି ନାହିଁ ।”

 

ସେ ଏହା ଭଲ କରି ବୁଝି ଥିଲେ ଯେ “ମାନବଗଣ ବିଷୟ ବିଷପାନରେ ବିଶୁଦ୍ଧ ସ୍ୱର୍ଗୀୟ ସୁଧା ଗ୍ରହଣ” କରିବାକୁ ଇଚ୍ଛା କରନ୍ତି ନାହିଁ, ଅସାର ଐଶ୍ଚର୍ଯ୍ୟକୁ ତୃପ୍ତି ନିଦାନ ବୁଝି କୃତାର୍ଥ ହେଉ ଅଛନ୍ତି । ଚକ୍ଷୁର ନିମେଷକାଳ ସୁଦ୍ଧା ଚିନ୍ତା କରନ୍ତି ନାହିଁ ଯେ, ଏହି ଅନିତ୍ୟ ଭୋଗସୁଖର ଆତିଶଯ୍ୟବଶତଃ ପାପର ତୀବ୍ରଦହନରେ ଦଗ୍ଧ ହେବାକୁ ହେବ । ଜଗତର ବିଚିତ୍ର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ସ୍ଥୂଳର ତତ୍ତ୍ୱରେ ମୂଳର ତତ୍ତ୍ୱ ଅନୁସରଣ କରିବାକୁ ବୀତଶ୍ରଦ୍ଧ, ସୁତରାଂ ବିଭୀଷିକାମୟ ବିକାର ଭାବରେ ସତତ ଉନ୍ମତ୍ତା ଯେପରି ପତଙ୍ଗଗଣ ଅଗ୍ନିର ଉଜ୍ଜ୍ୱଳ ଜ୍ୟୋତି ଦର୍ଶନ କରି ମୋହ ବଶତଃ ତାହା ମଧ୍ୟରେ ପ୍ରାଣ ବିସର୍ଜନ କରନ୍ତି, ସେହିପରି ରାଜସିକ ଓ ତାମସିକ ବ୍ୟାପାରର ଅନୁଷ୍ଠାନରେ ଅଶାନ୍ତିର ଅସହ୍ୟ ଯାତନା ଭୋଗ କରୁ ଅଛନ୍ତି ।”

 

କମଳାକାନ୍ତଙ୍କର ଯେଉଁ ବିଷୟ ପ୍ରତି ଥରେ ଦୃଢ଼ବିଶ୍ୱାସ ହେଉଥିଲା ତାହା ସେ ଜୀବନରେ କୌଣସିମତରେ ଭୁଲି ପାରୁନଥିଲେ । ଏଥିପାଇଁ ସେ ସାକାରବାଦ ସମର୍ଥନ କରି ପାରି ନାହାନ୍ତି

 

ତାଙ୍କର ଅସଂଖ୍ୟ ଉପଦେଶ ମଧ୍ୟରୁ ଗୋଟିଏ ଉପଦେଶ ଏହି ଯେ “ସମସ୍ତଙ୍କର କର୍ତ୍ତବ୍ୟ ଯେ ସର୍ଜନେ କିମ୍ବା ନିର୍ଜନେ ସଦ୍‌ଗୁଣ ଦ୍ୱାରା ରିପୁମାନଙ୍କୁ ସବଶରେ ରଖିବା ପାଇଁ ଚେଷ୍ଟା କରିବେ । ତାହାହେଲେ ଆସଙ୍ଗ ଲିପ୍ସାଦିରୁ ନିଷ୍କୃତି ଲାଭ କରି ବିଶ୍ୱଜନନୀ ପ୍ରେମରେ ପ୍ରାଣ ଉତ୍‍ଫୁଲ୍ଲ ହେଉଥିବ । ଦ୍ୱେଷଦମ୍ଭ ପ୍ରଭୃତିକୁ ଦମନ କରି ଚିତ୍ତକୁ ସତ୍ୟଶୃଙ୍ଖଳରେ ବନ୍ଧନ କରିବାର ଶକ୍ତି ଜନ୍ମିବ ଏବଂ ସହଜରେ ବିଶ୍ୱାସ ଏବଂ ଆସନ ଦୃଢ଼ ହେବ । ଅଳ୍ପସମୟରେଇ ବ୍ୟାକୁଳତା, ଦୀନତା, ସହିଷ୍ଣୁତା ଏମାନେ ଚରିତ୍ରର ଭୂଷଣ ହେବେ ଏବଂ କୁପଥ ଦର୍ଶୀର ସଂସର୍ଗ ଦୂର ହୋଇ ସତ୍ୟର ଜ୍ୱଳନ ଜ୍ୟୋତି ପ୍ରାଣରେ ବିକାଶ ପାଇବ ।

 

ଏହିପରି କେତେ ସୁନ୍ଦର ସୁନ୍ଦର ଉପଦେଶ ତାଙ୍କର ଜୀବନୀରେ ଲିପିବଦ୍ଧ ହୋଇଅଛି-। ଏ ଚିରକୁମାର ରହି କଠିନ ବ୍ରହ୍ମଚର୍ଯ୍ୟ ଧର୍ମ ପାଳନ କରୁଅଛନ୍ତି । ଏ ଯୋଗ ସାଧନାରେ ଏବଂ ବିଶ୍ୱ ଜନନୀ ପ୍ରେମରେ ମତ୍ତ ।

 

ତାଙ୍କର ନିମ୍ନୋଦ୍ଧୃତ ଦଶଟି ଉପଦେଶ ବାକ୍ୟ ଆମ୍ଭେମାନେ ଯେପରି ଆମ୍ଭମାନଙ୍କର ଦୈନିକ ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ପାଳନ କରି ଚଳି ପାରୁଁ ଏହାହିଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା । ତାଙ୍କପରି ଯେପରି ଆମମାନଙ୍କର ଈଶ୍ୱରଙ୍କଠାରେ ଅଟଳ ବିଶ୍ଵାସ ଏବଂ ଅଚଳା ଭକ୍ତି ରହେ ।

 

୧.

ଶତ୍ରୁକୁ ଭଲପାଅ ବନ୍ଧୁତା ଜନ୍ମିବ ।

 

 

୨.

ନିନ୍ଦୁକକୁ ବକ୍ଷରେ ଧାରଣ କର, ଆତ୍ମଦୃଷ୍ଟି ପ୍ରସ୍ଫୁଟିତ ହେବ ।

 

 

୩.

ଦରିଦ୍ରକୁ ଦାନ କଲେ ଦାନଶିକ୍ଷା ହେବ ।

 

 

୪.

ଧନୀଠାରୁ ଦୂରେ ରୁହ ଦୀନତା ଆସିବ ।

 

 

୫.

ବହୁଭାଷୀ ନିକଟରେ ନୀରବରେ ଧୈର୍ଯ୍ୟ ଧାରଣ କର ।

 

 

୬.

ଶିଶୁର କୋମଳପ୍ରାଣରେ ସରଳତା ଦେଖ ।

 

 

୭.

ନିଜକୁ ନୀଚ ଭାବିଲେ ଅହଙ୍କାର ଦୂର ହେବ ।

 

 

୮.

ପାପ ପାଇଁ ଅନୁତାପ କର ଶାନ୍ତ ପାଇବ ।

 

 

୯.

ଅଭିମାନ ପରିତ୍ୟାଗ କଲେ ଉଦାର ଭାବ ପ୍ରକାଶ ପାଏ ।

 

 

୧୦.

ଅଭେଦ ଭାବରେ ସେବା କର ପ୍ରେମର ମାହାତ୍ମ୍ୟ ବୁଝିବ ।

 

ସ୍ପର୍ଶମଣି ସ୍ପର୍ଶରେ କଠିନ ଲୌହ ଯେପରି ସ୍ୱର୍ଣ୍ଣରେ ପରିଣତ ହୁଏ, ସେହିପରି ସାଧୁ ସଂସର୍ଗରେ ଅସାଧୁ ମଧ୍ୟ ମଳିନ ଭାବ ପରିତ୍ୟାଗ ପୂର୍ବକ ଧାର୍ମିକ ହୋଇ ଥାଆନ୍ତି । ଆଜି କମଳାକାନ୍ତଙ୍କ ଜୀବନ ଚରିତ ଆଲୋଚନା କରି ଆମ୍ଭେମାନେ ପବିତ୍ର ଏବଂ ଧନ୍ୟ ହେଲୁଁ ।

☆☆☆

 

ଉପନ୍ୟାସର ଏକପୃଷ୍ଠା

 

ଏକଦା କୌଣସି ଜନପଦରେ ଏକ ଧନିକ ବ୍ୟକ୍ତି ବାସ କରୁଥିଲେ । ତାଙ୍କର ଦୁଇ ପୁତ୍ର ଏବଂ ତିନୋଟି ଦୁହିତା ଥିଲେ । ସେମାନଙ୍କର ନାମ ଯଥାକ୍ରମେ ଅଜୀନ୍ଦ୍ର, ବୃଷକେତୁ, ଲଳିତା, କାଦମ୍ବିନୀ ଏବଂ ବ୍ରଜେଶ୍ୱରୀ । ପୁତ୍ରମାନେ ଧାର୍ମିକ, ସତ୍‍ସ୍ୱଭାବସମ୍ପନ୍ନ, ପ୍ରଖରବୁଦ୍ଧି ଏବଂ ସୁବିଦ୍ୱାନ୍‍ ଥିଲେ; ଏବଂ କନ୍ୟାଗଣ ରୂପଲାବଣ୍ୟବତୀ, ବିନମ୍ରା ଏବଂ ସର୍ବଗୁଣାଳଂକୃତା ଥିଲେ । ତନ୍ମଧ୍ୟରୁ ଅଜୀନ୍ଦ୍ର ସଚ୍ଚରିତ୍ର, ନିର୍ଭୀକ ଏବଂ ଆତ୍ମନିର୍ଭରଶୀଳ ଥିଲେ ଏବଂ ବୃଷକେତୁ ସୁବିଦ୍ୱାନ ଏବଂ ସୁଖାଭିଳାଷୀ ଥିଲେ । ନିୟତିର ନିୟମରେ ପୂର୍ବକଥିତ ଧନିକ ବ୍ୟକ୍ତିଙ୍କର ଇହଲୀଳା ସାଙ୍ଗ ହେଲା ଏବଂ ତତ୍ପତ୍ନୀ ସାବିତ୍ରୀ ଦେବୀ ବୈଧବ୍ୟବିଧୁରା ହୋଇ ବୈଦୁର୍ଯ୍ୟ ସୁଶୋଭିତ ହିରଣ୍ମୟ କରବଳୟ ଉନ୍ମୋଚନ କଲେ ଏବଂ ହବିଷ୍ୟାନ୍ନ ଏବଂ କୁଶାସନରେ ଅବଶିଷ୍ଟ ଜୀବନ ଅତିବାହିତ କଲେ । କାଳକ୍ରମରେ ଜ୍ୟେଷ୍ଠ ଅଜୀନ୍ଦ୍ର ପରିଣତ ବୟସରେ ଉପନୀତ ହେଲେ । ଏବଂ ଯଥାସମୟରେ ତାଙ୍କର ବେଲା ନାମ୍ନୀ ଗୋଟିଏ ସରଳା ଅବଳା ସହିତରେ ଉଦ୍ୱାହକ୍ରିୟା ସମ୍ପନ୍ନ ହେଲା । ଅଜୀନ୍ଦ୍ର ବିଶ୍ୱବିଦ୍ୟାଳୟର ବି:ଏସ୍:ସି; ଉପାଧି ଗ୍ରହଣ କରି ବାରିକମିସ୍ତିରୀ କାର୍ଯ୍ୟ ଶିକ୍ଷା ସକାଶ ରୁରକି ଇଂଜିନିୟାରିଂ କଲେଜରେ ପ୍ରବିଷ୍ଟ ହେଲେ । ଏକମନରେ, ଏକ ଧ୍ୟାନରେ, ସେ ଅଧ୍ୟୟନ କାର୍ଯ୍ୟରେ ସର୍ବଦା ବ୍ୟାପୃତ, ଏଣେ ବେଲା ଏକାକିନୀ ସାବିତ୍ରୀ ଦେବୀଙ୍କର ସେବାରେ ରତା । ଆଜକୁ ବେଲା ୩ବର୍ଷ ହେଲା ପତି ମୁଖ ଦର୍ଶନ ସୁଖରୁ ବଞ୍ଚିତା ହୋଇ ରହି ଅଛନ୍ତି, ସେଥି ନିମିତ୍ତ ହଠାତ୍ ଆଜି ତାଙ୍କର ଦୟା ଏବଂ ସ୍ନେହକୋମଳ ହୃଦୟ ଅଧୀର ହୋଇ ଉଠିଲା । ସନ୍ଧ୍ୟା ସମୟ ପ୍ରତୀଚୀଦିଗରେ ସାୟଂ ସୂର୍ଯ୍ୟର ଅରୁଣ କିରଣ ଛଟା ଦେଖି ଏକ ଅପରୂପ ଭାବ ମନୋମଧ୍ୟରେ ଜାଗରିତ ହୋଇଅଛି, ଏଣେ ମଳୟ ପବନର ମୃଦୁଳି ହିଲ୍ଲୋଳ ଲବଙ୍ଗଲତାର ଶରୀରକୁ ଧୀରେ ଧୀରେ ସ୍ପର୍ଶ କରି ବେଲାର ବିମ୍ବାଧର ଏବଂ ଭ୍ରମରକୃଷ୍ଣଭ୍ରୂ ଚୁମ୍ବନ କରି ବହି ଯାଉଅଛି । ଏପ୍ରକାର ସମୟରେ ସାୟାହ୍ନ ଚଞ୍ଚଳା ବେଲା ପତିଦତ୍ତ ପୂର୍ବର ଲିପିମାନ ବାହାର କରି ପାଠ କରିବାକୁ ଲାଗିଲେ ।

 

ଆହା । କେଡ଼େ ଶାନ୍ତି ! ଦଗ୍ଧ ହୃଦୟରେ ଶୁଷ୍କ ହୃଦୟରେ ଅମୃତର ଧାରା ବର୍ଷିତ ହେଲା ପରି ଜଣା ଗଲା । ଗୋଟିଏ ପତ୍ରରେ ଏହିପରି ଲେଖାଥିଲା;–

 

ସ୍ନେହର ବେଲା ମୋର,

 

ନିବିଷ୍ଟ ଚିତ୍ତରେ ବ୍ରତଚର୍ଯ୍ୟାରେ ନିଯୁକ୍ତ; ତୁମର ଏବଂ ସ୍ନେହମୟୀ ଜନନୀ ଏବଂ କନୀୟାନ୍ ଭ୍ରାତାମାନଙ୍କର ମଙ୍ଗଳାମଙ୍ଗଳ ଚିନ୍ତା କରିବାରେ ଲେଶ ମାତ୍ର ଅବକାଶ ନାହିଁ । ଏ ସଂସାର ରଙ୍ଗ ଭୂମିରେ ଅର୍ଥ ଗୋଟିଏ ପ୍ରଧାନ ସମ୍ବଳ ଏବଂ ଏଥିନିମିତ୍ତ ମୁଁ ବର୍ତ୍ତମାନ ଏହି କଠୋର ବ୍ରତରେ ନିଯୁକ୍ତ ହୋଇ ରହିଅଛି । ଅତଏବ, ବେଲା ଅନ୍ୟ କିଛି ଭାବନା ନ କରି ଜନନୀଙ୍କର ଚରଣ ସେବାରେ ଏକାନ୍ତରେ ନିଯୁକ୍ତ ଥାଅ । ଜାଣେ ନା, ପରମ ପିତା ଭଗବାନ ଆମ୍ଭମାନଙ୍କୁ କେବେ ସୁଖ ସାଗରରେ ଡୁବିବାକୁ ଇଚ୍ଛା କରିବେ । ସମୟାଭାବ ଯୋଗୁଁ ଦୀର୍ଘପତ୍ର ଲେଖି ହୃଦୟର ଗଭୀର ଉଚ୍ଛ୍ୱାସ ଅବଜ୍ଞାତ କରାଇବାରେ ଅପାରଗ ହେଲି । ମୋର ସ୍ନେହ ଏବଂ ଶୁଭାଶୀର୍ବାଦ ଜାଣିବ ।ଇତି।

 

ତୁମର ପ୍ରଣୟାବଦ୍ଧ

 

ଆଜି ।

 

ବେଲାର ଚଞ୍ଚଳ ପ୍ରାଣ ସ୍ଥିରତା ପ୍ରାପ୍ତ ହେଲା । ସେକାର୍ଯ୍ୟାନ୍ତର ବ୍ୟପଦେଶରେ ଗୃହାନ୍ତରକୁ ପ୍ରସ୍ଥାନ କଲେ ।

☆☆☆

 

ଭକ୍ତି

 

ଭକ୍ତି ମନୁଷ୍ୟର ଗୋଟିଏ ସ୍ୱାଭାବିକ ଗୁଣ । ଜଣକୁ ଦେଖିଲି, କିୟତ୍‌କାଳେ କଥୋପକଥନ କଲି, ତାଙ୍କ ମୁଖରୁ ଅମୃତ କ୍ଷରିତ ହେଲା ପରି ବୋଧ ହେଲା, ମୁଁ ତାଙ୍କୁ ଭକ୍ତି ଚକ୍ଷୁରେ ଦେଖିଲି, ଭକ୍ତିବିନମ୍ର ଚକ୍ଷୁରେ ପ୍ରଣତ ହେଲି, ସେ ଆଶୀର୍ବାଦର ରାଶି ମୋ ଉପରେ ଢାଳିଦେଲେ ।

 

ଭକ୍ତିର ଗୋଟିଏ ଲକ୍ଷଣ ଏହି ଯେ ଯେଉଁ ବ୍ୟକ୍ତିର ଯାହାଠାରେ ଭକ୍ତି ଅଛି ସେ ତାହାର ନିନ୍ଦା କିମ୍ବା ଚରିତ୍ର ହୀନତା ପ୍ରଭୃତି ଦୋଷ ଶୁଣିପାରେ ନା; ଶୁଣିଲେ ତାହାର ଅନ୍ତର କାନ୍ଦି ଉଠେ, ସେ ଅତି କ୍ଷୁବ୍‍ଧ ହୁଏ । ମୁଁ ଯାହାଙ୍କୁ ଭକ୍ତି କରେଁ ସେ ମୋର ଆରାଧ୍ୟ ଦେବତା । ସେ ମୋର ଏକମାତ୍ର ହୃଦୟାନନ୍ଦ, ଇହସଂସାରେ ଏବଂ ପରସଂସାରେ ସେ ମୋର ଜୀବନପଥପ୍ରଦର୍ଶକ,–ମୋର ଜ୍ୟୋତି ସେ ।

 

ଯାହାଙ୍କୁ ମୁଁ ଭକ୍ତି କରେଁ ତାଙ୍କ ଠାରେ ମୁଁ ଶାନ୍ତ, ଶିଷ୍ଟ ଏବଂ ସରଳ; ଆଉ, ସେ ମୋ ଠାରେ ପବିତ୍ର, ଉଜ୍ଜ୍ୱଳ ଏବଂ ଦେବମୟ । ସେ ମୋଠାରୁ ଅନେକ ଉଚ୍ଚରେ, ମୁଁ ଅନେକ ନିମ୍ନରେ; କିନ୍ତୁ ତଥାପି ସେ ମୋର ଗମ୍ୟ । ସେ ମୋର ସଖା; ସଖାସମ ଦୁହେଁ ଆନନ୍ଦରେ ଏକମନରେ ଆହାର ଭ୍ରମଣ ଏବଂ ବାକ୍ୟାଳାପ କରୁଁ । ପୁଣି ସେ ମୋର ପିତୃସମ; ଏପରି କି ସୁପୁତ୍ରଠାରୁ ମଧ୍ୟ ଅଧିକତର ସ୍ନେହ ଚକ୍ଷୁରେ ମୋତେ ଦେଖନ୍ତି । ଏହି ତ ସଂସାର । ଏହି ତ ମଧୁମୟ ଗେହ ! ନୋହିଲେ ସଂସାର ମରୁ; ଗୃହ ଶ୍ମଶାନ ।

 

ମୃତ୍ୟୁ ଶଯ୍ୟା-ପାର୍ଶ୍ୱରେ ବସିଅଛି । କିଛି ଭୟ ନାହିଁ; ଆନନ୍ଦ ମନରେ ଏ ସଂସାର ପରିତ୍ୟାଗ କରିବି ; କିନ୍ତୁ, ମୁଁ ମରି ପାରୁ ନାହିଁ କାରଣ ମୋର ଭକ୍ତିଯୋଗ୍ୟ ସଖା ଏବଂ ଦେବଙ୍କ ସହିତରେ ବର୍ତ୍ତମାନ ସୁଦ୍ଧା ଦେଖା ହୋଇନାହିଁ । ଏହି ଅଦୂରେ ଦେବତା ଆସୁଅଛନ୍ତି; ମୋର ହୃଦୟ ନାଚି ଉଠିଲା । ଦେବତା ଆସିଲେ, ମୁଁ ତାଙ୍କ ପୟରେ ନମିଲି । ଆଶୀର୍ବାଦ କଲେ; ମୁଁ ଆନନ୍ଦମନରେ ଶ୍ରୀହରି ଶ୍ରୀହରି କହି ସ୍ୱର୍ଗପୁରୀକୁ ଯାତ୍ରା କଲି । ମୋର ଅପାର, ଅଗାଧ ଆନନ୍ଦ କିଏ ଦେଖିବ ଦେଖ ।

☆☆☆

 

ଗୋଟିଏ କଥା

 

ଯାଉ ରସାତଳେ,–ଏ ହିନ୍ଦୁ ଜାତିର ଧ୍ୱଂସ ହେଉ । କେ ଚାହେ ଏହି ବିଂଶ ଶତାବ୍ଦୀରେ ଘୋର ଜାତି-ବିଦ୍ୱେଷୀ ହିନ୍ଦୁର ଉନ୍ନତି ? ଧିକରେ ହିନ୍ଦୁ ଜାତି । ତୁ ତୋର ନିଜର କଣ୍ଟକ । ମନୁଷ୍ୟ ହୃଦୟର ସ୍ୱାଭାବିକ ପ୍ରେମ ଏବଂ ସ୍ନେହର ଉତ୍ସ ଖଣ୍ଡନ କରୁ ତୁ, ତୋର ଜାତି ଭେଦର କଠୋର ନିୟମ । ମୋର ହୃଦୟ ଯାହାର ପଦତଳେ ଆଜି ମୁଁ ଏହି ମୁହୂର୍ତ୍ତରେ ଅଜାଡ଼ି ଦେବାକୁ ବସିଅଛି, ସେ ମୋଠାରୁ ଉଚ୍ଚତର ଜାତିର ଅନ୍ତର୍ଗତ ବୋଲି ମୋର ପ୍ରାଣର ଉଚ୍ଛ୍ୱାସ ଗ୍ରହଣ କରି ପାରୁ ନାହିଁ; ଯଦିବା ପାରୁଅଛି, ତାହାହେଲେ ସେ ତାହାର ମନପ୍ରାଣର ଢେଉ ମୋ ହୃଦୟରେ ଖେଳାଇ ପାରୁ ନାହିଁ । ନୀତିର ନାମରେ କେତେ ଅନ୍ୟାୟ ଅତ୍ୟାଚାର ହିଂସା ଏବଂ ମନୁଷ୍ୟକୁ ଅନାଦର, କରୁଅଛନ୍ତି ତାହାର ସୀମା ନାହିଁ । ମୋର କଣ୍ଠ ଦେଶରେ ମାଳି ନାହିଁ, ମୋ ହସ୍ତରୁ ଜଳ ଗ୍ରହଣ କେହି କରିବେ ନାହିଁ; ମୁଁ ସେଥି ଯୋଗୁଁ ଅତି ତୁଚ୍ଛ, ନରାଧମ, ନୀଚ, ମନୁଷ୍ୟପଦବାଚ୍ୟହୀନ । ମୁଁ ଲୁଗା ପିନ୍ଧି ପୁରୀଷୋତ୍‍ସର୍ଗ କରେଁ ସେଥି ନିମିତ୍ତ ମୋର ଶୁଦ୍ଧାଚାର କିଛି ନାହିଁ, ମୁଁ ମହାପାପୀ, ମହାତୁଚ୍ଛ, ଅତି ଅସାର ମନୁଷ୍ୟଟାଏ । ମନୁଷ୍ୟ ବୁଝୁଅଛି ବ୍ରାହ୍ମଣ ବୁଝୁଅଛି ଯେ ସମସ୍ତେ ଈଶ୍ୱରଙ୍କ ଚକ୍ଷୁରେ ସମାନ, ସମସ୍ତଙ୍କର ପ୍ରାଣ ଅଛି, ବେଦନା ଅଛି, ସହାନୁଭୂତି ଅଛି, ମନ ମିଳିଲେ, ଆତ୍ମାର ଆତ୍ମା ସହିତ ଯୋଗ ଏବଂ ଭାଷାନୁଭାଷଣ ହେଲେ, ଜାତି ଭୁଲି ଯିବାକୁ ହୁଏ । ଆଉ ସେତେବେଳେହିଁ ପ୍ରକୃତ ମନୁଷ୍ୟତ୍ତ୍ୱର ପରିଚୟ ମିଳେ, ବିକାଶ ହୁଏ । ଭ୍ରାନ୍ତମାନବ ! ଭ୍ରାନ୍ତ ହିନ୍ଦୁ ଜାତି ! ବାହାରର ବିଷୟ ଘେନି କାହିଁକି ଏଡ଼େ ତତ୍‌ପର ହୋଇ ରହିଅଛ ? ଯାହା ଅନ୍ତରର, ଯାହା ପ୍ରାଣର, ଆତ୍ମାର, ଯାହା ସତ୍ୟ ଶିବସୁନ୍ଦର ଘେନି, ଯାହା ଶୁଦ୍ଧି ପବିତ୍ରତା ଘେନି,–ସେ ସବୁ ଭୁଲି ଯାଇଁ ଆମ୍ଭେମାନେ ବାହାରର ଜାତି ଘେନି ଉଚ୍ଚ ନୀଚ ମାପୁଅଛୁଁ । ରେ ମନୁଷ୍ୟ ! ତୁକି ବାହାରର ଜୀବ ? ତୁ ଯେ ଅନ୍ତରରେ ଥାଉ, ଅନ୍ତରରେ ତୋର ବାସ ଏବଂ ବିହାର; ତୁ ବାହ୍ୟ ବିଷୟରେ ତେବେ ଭୁଲି ରହୁ କାହିଁକି ? ଯାହା ପ୍ରକୃତ ସୁନ୍ଦର, ମନୋରମ, ତାହା ଚିରକାଳ ପ୍ରାଣକୁ ସ୍ପର୍ଶ କରୁଥିବ; ଯାହା ଅନ୍ତରର, ତାହା ଚିରକାଳ ଅନ୍ତର୍ମୁଖୀ ହୋଇ ରହିବ । ବାହାରର ଭେଦାଭେଦ, ବାହାରର ଶୃଙ୍ଖଳ, ବାହାରର ଯା କିଛି, ସମସ୍ତ ଦୂରେ ପକାଇ ଦେଇ, ଛିନ୍ନଭିନ୍ନ କରି, ମନୁଷ୍ୟ ଚିରକାଳ ମନୁଷ୍ୟକୁ ଭଲ ପାଇବ । ଜାତିଭେଦ ରହିବ–ଚିରକାଳ ରହିବ । କିନ୍ତୁ ବ୍ରାହ୍ମଣ ବୈଶ୍ୟ ଶୂଦ୍ର ଏ ଆଖ୍ୟା ରହିବ ନାହିଁ । ସୁନ୍ଦର କୁତ୍‌ସିତ, ଏହି ଦୁଇନାମ ଏକ ସମୟରେ ବ୍ରାହ୍ମଣ, ବୈଶ୍ୟ ଏମାନଙ୍କର ପରିବର୍ତ୍ତରେ ବ୍ୟବହୃତ ହେବ । ସେତେବେଳେ ଯେ ସୁନ୍ଦର ସେ ସୁନ୍ଦର ସହିତରେ ଆହାର ବିହାର କରିବାକୁ ତିଳେ ସୁଦ୍ଧା ଶଙ୍କା କିମ୍ବା ସଂକୋଚ ବୋଧ କରିବ ନାହିଁ । ସେତେବେଳେ କୁତ୍‌ସିତ୍‍ ମଧ୍ୟ କୁ‌ତ୍‌ସିତ୍‍ ସହିତରେ ମିଶି କୁ-ବ୍ୟବହାର କରି ନାନା ଅନ୍ୟାୟ କରୁଥିବ ଯାହାକି ବର୍ତ୍ତମାନ ସମାଜରେ ଦେଖା ଯାଉଅଛି, ଏବଂ ଅତୀତରେ ଦେଖା ଯାଇଥିଲା, ଏବଂ ଚିରକାଳ ଦେଖା ଯାଉଥିବ ।

☆☆☆

 

ଅନ୍ନପୂର୍ଣ୍ଣା

 

ଅନ୍ନପୂର୍ଣ୍ଣାଙ୍କ ସହିତରେ ପରିଚିତ ହେବାର ମୋର ପ୍ରଥମ ଇଚ୍ଛା ତାଙ୍କର “ମାତା” ସମ୍ବନ୍ଧରେ ଗଦ୍ୟରେ ଗୋଟିଏ, ଆଉ, ପଦ୍ୟରେ ଗୋଟିଏ, ପ୍ରବନ୍ଧ ପାଠ କରି ଜାଗରିତ ହୋଇଥିଲା-। ସେ ଆଜିକୁ ପ୍ରାୟ ୧ବର୍ଷର କଥା । ପାଠ କଲି, ହୃଦୟରେ ଗୋଟିଏ ଆନନ୍ଦର ଢେଉ ଉଠିଲା, ଗୋଟିଏ ଅବ୍ୟକ୍ତ ସ୍ନେହସୁଖାନୁଭବ ହେଲା, ମୁଁ ସ୍ଥିର ହୋଇ ରହି ପାରିଲି ନାହିଁ, ଅସ୍ଥିର ହୋଇ ତାଙ୍କ ସହିତରେ ପରିଚିତ ହେବା, ସେହି ଆତ୍ମା ସହିତରେ ବାକ୍ୟାଳାପ କରିବା ନିମିତ୍ତ ଶ୍ରୀଯୁକ୍ତ ଲାଲା ପ୍ରତାପ ନାରାୟଣଙ୍କୁ ଅନୁରୋଧ କଲି; କାରଣ ଏଥି ପୂର୍ବରୁ ପ୍ରତାପ ବାବୁଙ୍କ ସହିତ ତାଙ୍କର ଲେଖାଲେଖି ଦ୍ୱାରା ଚିଠିପତ୍ର ଦ୍ୱାରା କିଞ୍ଚିତ୍ ଆଳାପ ହୋଇ ଯାଇଥିଲା । ପ୍ରତାପବାବୁ ଏଥିରେ ସମ୍ମତ ହେଲେ । ପ୍ରଥମରେ ଗୋଟିଏ ଚିଠି ଲେଖିଲେ । ସେଥିରେ ମୋର ନାମ ଉଲ୍ଲେଖ କରିଥିଲେ କି ନା, ମୋତେ ଜଣା ନାହିଁ । କିନ୍ତୁ ଯାହା ହେଉ ସେ ପତ୍ରର ଉତ୍ତର ଯେତେବେଳେ ଆସି ପ୍ରତାପବାବୁଙ୍କ ପାଖରେ ପହଞ୍ଚିଲା ସେତେବେଳେ ମୋର ଉଦ୍‌ବେଗର ଆଉ ସୀମା ରହିଲା ନାହିଁ । ଅନ୍ନପୂର୍ଣ୍ଣା କି ପ୍ରତ୍ୟୁତ୍ତର ଦେଇ ଅଛନ୍ତି, ତାଙ୍କର ପ୍ରାଣର ଭାଷା କିପରି, ଏହା ଜାଣିବା ପାଇଁ ମୁ ଯେପରି ସେ ସମୟରେ ବ୍ୟଗ୍ର ହୋଇ ଥିଲି ତାହା ଦେଖିଲେ ଆପଣମାନେ ମୋତେ ଉନ୍ମତ୍ତ କ୍ଷିପ୍ତ ପ୍ରେମିକ ବୋଲି ମନେ କରନ୍ତେ । ଯାହା ହେଉ ମୋର ସେ ଅବସ୍ଥା ଆପଣମାନେ ଦେଖି ନାହାନ୍ତି–ମୋର ଭାଗ୍ୟ ।

 

ଚିଠିରେ କଅଣ ଥିଲା ତାହା ମୋର ମନରେ ନାହିଁ–ସେଥିପାଇଁ ମୁଁ ନିଜେ ଦୁଃଖିତ । କିନ୍ତୁ ଚିଠି ଭିତରେ କେତେଗୁଡ଼ିଏ ଅନ୍ନପୂର୍ଣ୍ଣାଙ୍କର photo ଥିଲା ଏ କଥା ବେଶ ସ୍ମରଣ ଅଛି । ସେ photoରୁ ବିସ୍ତୃତ ଭାବରେ ତାଙ୍କର ଗୁଣ ଦେଖି ପାରିଲି ନାହିଁ । କାରଣ ମୋର ସେ କ୍ଷମତା ନାହିଁ, ତେବେ ସେ ଚିତ୍ରପଟ ମୋତେ ଏତିକି ଆଭାସ ଦେଇଥିଲା ଯେ ଅନ୍ନପୂର୍ଣ୍ଣା ଭାବୁକା ଏବଂ ତାଙ୍କର ହୃଦୟରେ କପଟତା ନାହିଁ ।

 

ତାର କିଛିଦିନ ପରେ, ମୋର ଇନ୍‌ଟାରମିଡିୟେଟ୍ ପରୀକ୍ଷା ଦେଇ ମୋର କୋଣାର୍କ ଦର୍ଶନକୁ ଯିବାର କିଛିଦିନ ପୂର୍ବେ, ମୁଁ ଖଣ୍ଡିଏ କାର୍ଡ଼ରେ ଅତି ପ୍ରୟାସରେ ଦୁଇ ଚାରୋଟି ଶୁଦ୍ଧ ସାଧୁ ପଦ ସଂଗ୍ରହ କରି ଗୋଟିଏ ଚିଠିମାଳା ଗୁନ୍ଥିଲି । ମନେ ଏହି ଆଶା ଅତି ସାଦରେ ପୋଷଣ କରିଥିଲି ଯେ ପ୍ରତ୍ୟୁପହାର ପାଇବି । କିନ୍ତୁ ବିଧିର ବିଡ଼ମ୍ବନା ସେ । ପତ୍ରର–ସେହି ପ୍ରଥମ ପତ୍ରର ଉତ୍ତର ମୋ ପାଖରେ ପହଞ୍ଚିଲା ନାହିଁ । ଯାହାହେଉ ସେଥିପାଇଁ ମୁଁ ବେଶୀ ଦୁଃଖିତ ହେଲି ନାହିଁ, କାରଣ ସେତେବେଳେ ଏହିପରି ଭାବରେ ମନକୁ ପ୍ରବୋଧ ଦେଲି ଯେ “ସେ କିଏ, ଆଉ ମୁଁ କିଏ-? ରାଣୀ ଆଉ କାଣୀ” ।

 

କାଳସ୍ରୋତ ଏହିପରି ଭାବରେ କିଛିଦିନ ବହିଗଲା–କିଛିଦିନ କାହିଁକି କେତେମାସ ଚାଲିଗଲା–ପ୍ରାୟ ୮ ମାସ । ମୁଁ ସେତେବେଳେ ଶିବପୁରସ୍ଥ Engineering Collegeରେ, ସେହି ଭାବହୀନ ରସହୀନ ଅସ୍ୱର୍ଗୀୟ Engineering କଲେଜରେ । ସେତେବେଳେ ମୋର ମାନସିକ ଅବସ୍ଥା ଏପରି ଚଞ୍ଚଳ ଯେ ଆଉ କୁହା ନ ଯାଏ । ସେହି ସମୟରେ ତାଙ୍କୁ ଏହି ମର୍ମରେ ଗୋଟିଏ ପତ୍ର ଲେଖିଲି “ଭଗିନୀ ! ଆଜକୁ କେତେମାସ ହୋଇଗଲା ତୁମକୁ ଖଣ୍ଡିଏ ପତ୍ର ଲେଖିଥିଲି, କିନ୍ତୁ, ମୋର ମନ୍ଦଭାଗ୍ୟ ଯୋଗୁଁ ସେ ପତ୍ରର କୌଣସି ଉତ୍ତର ପାଇ ନାହିଁ । ଆଶାକରେଁ, ଦୟା କରି ଏପତ୍ର ଖଣ୍ଡିକର ଉତ୍ତର ଦେଇ ସୁଖୀ କରାଇବ ।” ଯଥା ସମୟରେ ଏ ପତ୍ରର ଉତ୍ତର ପାଇଲି, ମନଟା ସ୍ଥିର ହେଲା । ଗୋଟିଏ ସୁଖକର ଜଡ଼ତା ପ୍ରାଣରାଜ୍ୟକୁ ଅଧିକାର କରି ବସିଲା । ଏଥି ଉତ୍ତାରୁ ଆମଦୁହିଁଙ୍କ ମଧ୍ୟରେ ବେଶ୍ ଚିଠି ଲେଖା ଲେଖି ହୁଏ । ଆମର Engineering College ର Sweet Long vacation ନିକଟ ହୋଇଆସିଲା । ପ୍ରତ୍ୟେକ ଦିନ ସକାଳୁ ଉଠି ଦେଖେଁ ଯେ ଲେଖାଅଛି “For sweet long vacation” ଆଉ ତାହା ତଳକୁ ଗୋଟିଏ ଧାଡ଼ିରେ “–days more” । ଅପୂର୍ଣ୍ଣ ସ୍ଥାନରେ ସେହି ଚଳିତ ଦିନର ତାରିଖଟି ଲେଖା ଥାଏ । ଦିନେ ଦେଖିଲି ଲେଖାଅଛି “twenty days more” ମୋର ମନଟା ଅଥୟ ହେଲା । ତାର ପରଦିନ ଉଠି Board ପାଖକୁ ଯିବା ଆଗରୁ ଭାବିଲି, ଅବଶ୍ୟ, ଆଜି ଲେଖା ହୋଇଥିବ “two days more” । କିନ୍ତୁ ହା ! ସମୟ ତାହା କରି ନାହିଁ । ସେ କି ଆମମାନଙ୍କର ଚଞ୍ଚଳତା ବୁଝେ ? ତାହାର କି ପ୍ରାଣ ଅଛି ? ସେ କି କାହାରି ପାଇଁ ଅପେକ୍ଷା କରେ, ନା, କାହାରି କଥା ଶୁଣେ ? ଯାହାହେଉ ଧୀରେ ଧୀରେ ଏହି ଦିନ ସରି ଆସିଲା । କାଲି କଲେଜର long vacation–sweet long vacation ଆରମ୍ଭ ହେବ । ମୁଁ ଭାବିଲି ଏହି ଦୀର୍ଘାବକାଶରେ ଅନ୍ନପୂର୍ଣ୍ଣାଙ୍କୁ ସଶରୀରେ ଦେଖିବି । ଏହି ମର୍ମରେ କିଛିଦିନ ପୂର୍ବରୁ ତାଙ୍କୁ ଖଣ୍ଡିଏ ଚିଠି ଲେଖିଥିଲି । ସେ ଚିଠି ପାଇ ଅନ୍ନପୂର୍ଣ୍ଣା ସୁଖିନୀ ହୋଇଥିଲେ, ବୋଧହୁଏ । କିନ୍ତୁ ସେ ସୁଖ ସେ ଅବାଧିତରୂପେ ଅନୁଭୋଗ କରି ପାରିଲେ ନାହିଁ । ତାହାର କାରଣ ମୋର ତାଙ୍କୁ ଶେଷ ଚିଠିର ଉତ୍ତର ନ ଦେବା । ଏଥିପାଇଁ ତାଙ୍କୁ କରଯୋଡ଼ି କ୍ଷମାପ୍ରାର୍ଥନା କରୁଅଛି ।

 

ଯାହାହେଉ, ପରିଶେଷରେ ମୁଁ ଅନ୍ନପୂର୍ଣ୍ଣାଙ୍କ ଘରକୁ ଆସିଲି । ଯେତେବେଳେ ଗାଡ଼ଓୟାନ୍ ତାଙ୍କ ଘର ସମ୍ମୁଖରେ ଗାଡ଼ି ଛିଡ଼ା କଲା ସେତେବେଳେ ମୋର ମନରେ ଏକାବେଳେ ସୁଖ, ଭୟ, ଯନ୍ତ୍ରଣା ଭକ୍ତି ଆଉ ଭାବନାର, ଉଦୟ ହୋଇ ମନକୁ କିପରି କରି ପକାଇଲା ! ସୁଖ କାହିଁକି ? ଅନ୍ନପୂର୍ଣ୍ଣାଙ୍କୁ ଦେଖିବି, ଯାହାଙ୍କୁ ଦେଖିବା ପାଇଁ ମୁଁ ଏଡ଼େ ଉନ୍ମତ୍ତ ହୋଇଥିଲି । ଭୟ ? ସେ ହିନ୍ଦୁ କୁଳରମଣୀ; ବୋଧ ହୁଏ, ମୋ ଆଗରେ ଉଭା ହେବେ ନାହିଁ । ଯନ୍ତ୍ରଣା ? ଯଦି ସେ ଦେଖା ନ ଦିଅନ୍ତି, ତାହାହେଲେ ଏତେ କ୍ଳେଶ ସ୍ୱୀକାର କରି ଆସିବାର ମୋର ଫଳ କଅଣ ? ଭକ୍ତି-? ହୃଦୟର ଉଦ୍‌ବେଗ ମନର ପ୍ରବଳୋଚ୍ଛ୍ୱାସ । ମୋ ପାଖରେ ଯାହା କିଛି ଶକ୍ତି ଅଛି ତାଙ୍କର ପାଦ ପଦ୍ମରେ ଅଜାଡ଼ି ଦେଇ ପାରିବି କି ନା ଏହି ନିମିତ୍ତ ଭାବନା ।

 

ଗୃହର ବହିଃପ୍ରାଚୀର ଅତିକ୍ରମ କରି ଯେତେବେଳେ ପିଣ୍ଡାରେ ଉପସ୍ଥିତ ହେଲି, ଦେଖିଲି ଗୋଟିଏ ବୃଦ୍ଧା । ଦେଖି, ଟିକିଏ ଭୟ ହେଲା । ପଚାରିଲି, (ଭୟ ବିଜଡ଼ିତ କଣ୍ଠରେ), “ଏ-ଏ, ଏଠାରେ ଅନ୍ନପୂର୍ଣ୍ଣା ଥାଆନ୍ତି ?” ବୃଦ୍ଧା ଉତ୍ତର ଦେଲେ “ହଁ, କାହିଁକି ?” ସଭୟରେ କହିଲି, “ମୁଁ ତାଙ୍କୁ ଦେଖିବା ପାଇଁ ଆସିଅଛି” । ବୃଦ୍ଧା ଘର ଭିତରକୁ ଯାଇ “ଆରେ ଶ୍ରୀରାମ” ବୋଲି ଡାକି ମୋ ବିଷୟ ଜଣାଇବାରୁ ସେ ଘରୁ ବାହାରି ଆସି, ମୁଁ ପ୍ରଣାମ କି ନମସ୍କାର କରିବା ପୂର୍ବରୁ, ସେ ମୋତେ ନମସ୍କାର କଲେ । ମୁଁ ଭାବିବାକୁ ସମୟ ନ ପାଇ ତାଙ୍କୁ ମଧ୍ୟ ନମସ୍କାର କଲି । ବାହାରରେ ବସି କିଛିକ୍ଷଣ କଥାବାର୍ତ୍ତା ହେବା ପରେ ଘରଭିତରକୁ ଗଲି । ସେଠାରେ ଦେଖିଲି ନୟନମନ ସୁଖକରୀ ଭଗିନୀ ଅନ୍ନପୂର୍ଣ୍ଣା ଏକପାର୍ଶ୍ୱରେ ବିନୀତ ଭାବରେ ଦଣ୍ଡାୟମାନା । ମୁଁ ତାଙ୍କୁ ପ୍ରଣାମ କଲି । ଆଶୀର୍ବାଦ ତାହାର ପୁରସ୍କାର ସ୍ୱରୂପ ପାଇଲି । ମାତା ଅନ୍ନପୂର୍ଣ୍ଣା ତୃଷା ଏବଂ କ୍ଷୁଧା ନିବାରଣ ସକାଶେ ସଙ୍ଗେ କିଛି coffee ଆଣି ସେଠାରେ ରଖିଥିଲେ । ଖାଇବାକୁ ଅନୁରୋଧ କରିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରି ନ ଥାଆନ୍ତି, କିନ୍ତୁ କାଳବିଳମ୍ବ ନ କରି ସେ ଆଗରୁ ଅନୁରୋଧ କରିଥିଲେ । ଦେବୀ ଅନ୍ନପୂର୍ଣ୍ଣା ସଧୀରେ ଚାଲିଗଲେ । ଏହିପରି ମୁଁ ଅନ୍ନପୂର୍ଣ୍ଣାଙ୍କୁ ଦେଖିଲି । ଗୋଟିଏ କଥା ଭୁଲି ଯାଇଥିଲି । ଅନ୍ନପୂର୍ଣ୍ଣାଙ୍କୁ ଦେଖିବା ପୂର୍ବରୁ ଅନ୍ନପୂର୍ଣ୍ଣାଙ୍କର ପତି ଦେବତାଙ୍କୁ ଦେଖିଥିଲି, କନ୍ୟା ରତ୍ନଟି ଦେଖିଥିଲି, ବୃଦ୍ଧା ଶାଶୁଙ୍କୁ ଦେଖିଥିଲି, କନିଷ୍ଠ ଦିଅରଙ୍କୁ ଦେଖିଥିଲି, କିନ୍ତୁ ସୁଖ ଲଭି ନଥିଲି । ସୁଖ କିପରି ଅବା ଲଭିବି ? ସେମାନେ ମୋର କିଏ ? ଅନ୍ନପୂର୍ଣ୍ଣାଙ୍କର ସେମାନେ ସମସ୍ତେ ଇଷ୍ଟଦେବତା ହୋଇପାରନ୍ତି ; କିନ୍ତୁ ମୋର ଇଷ୍ଟଦେବତା ଅନ୍ନପୂର୍ଣ୍ଣା । ଅତଏବ ସେମାନଙ୍କୁ ଦେଖି ମୁଁ କାହିଁକି ସୁଖ ଲଭିବି ? ମନୁଷ୍ୟ ଦେଖି ଯଦି ସୁଖ ସଞ୍ଚାର ହେଉଥାନ୍ତା ତାହାହେଲେ କଲିକତା ମହାନଗରୀରେ ଅସଂଖ୍ୟ ମାନବ ମାନବୀ ନ ଦେଖି ଏହି ଗଞ୍ଜାମକୁ ଆସନ୍ତି କାହିଁକି ? ଯଦି କେହି କହନ୍ତି ଏସବୁ ଆମର ବୁଝିବାର ଭୁଲ; ତାହାହେଲେ ସେ ତାଙ୍କର ଭୁଲ ଭାଙ୍ଗନ୍ତୁ । ମୋର ଏହି ଭୁଲରେ ସୁଖ; ମୋର ଏହି ମାୟାରେ ସୁଖ ।

 

ଆଜକୁ ୩ ଦିନ ହେଲା ଗଞ୍ଜାମ ଆସିଅଛି । ଅନ୍ନପୂର୍ଣ୍ଣା–ଭଗିନୀ ଅନ୍ନପୂର୍ଣ୍ଣାଙ୍କର ଗଦ୍ୟ ପଦ୍ୟ କେତେଗୁଡ଼ିଏ, ସାନନ୍ଦେ ପାଠ କରିଅଛି । ତାଙ୍କର ଉଦ୍ଦେଶ୍ୟ ଅତି ମହତ୍ ଏ କଥା ବୁଝି ପାରିଅଛି । “ସ୍ତ୍ରୀ ଜାତିର ଉନ୍ନତି ।” ଏହି ଉଦ୍ଦେଶ୍ୟ ସାଧନ କରିବା ପାଇଁ ସେ ଏବଂ ତାଙ୍କର ସ୍ୱାମୀ ଦୃଢ଼ ସଂକଳ୍ପିତ । କିନ୍ତୁ ବିଧିର ନିୟମ ଏହି ଯେ କୌଣସି ଗୋଟିଏ ମହତ୍ କାର୍ଯ୍ୟ କରିବାକୁ ଅଗ୍ରସର ହେଲେ ସମ୍ମୁଖରେ ଅନେକ ବାଧାବିଘ୍ନ ଆସି ଆମ୍ଭମାନଙ୍କୁ ବ୍ୟଥିତ କରି ପକାଏ । ଭଗିନୀ ଅନ୍ନପୂର୍ଣ୍ଣା କିପରି ସେ ସମସ୍ତ ବାଧାବିଘ୍ନ ସହିତରେ ଯୁଦ୍ଧ କରିଅଛନ୍ତି ତାହା ତାଙ୍କର କ୍ରୋଧ ଜାତ ଗଦ୍ୟମାନ ପାଠ କଲେ ଜଣାଯିବ । ଭଗିନୀ ଅନ୍ନପୂର୍ଣ୍ଣାଙ୍କୁ ଦେଖିଲି, ଯେତେଦୂର ସାଧ୍ୟ ତାଙ୍କୁ ପାଠ କଲି । ପରିଶେଷରେ ଏହି କଥା ସ୍ଥିର କଲି ଯେ ଅନ୍ନପୂର୍ଣ୍ଣା ଆଜି ଗୋଟିଏ ଦୈବୀ ଶକ୍ତିରେ ଅନୁପ୍ରାଣିତା । କିନ୍ତୁ ସେ ତାଙ୍କର ଲକ୍ଷ୍ୟପଥରେ କେତେଦୂର ଅଗ୍ରସର ହେବେ ତାହା ସନ୍ଦେହର ବିଷୟ; କାରଣ ସେ ଏକାକିନୀ । ସ୍ୱାମୀ ତାଙ୍କର ସହାୟ ସତ୍ୟ; କିନ୍ତୁ ଆଉ ଅନ୍ତତଃ ଗୋଟିଏ ଭଗିନୀ ତାଙ୍କର ସହାୟ ହେଲେ ଓଡ଼ିଶାର ସ୍ତ୍ରୀଜାତିର ଅବସ୍ଥାର କିଛି ପରିବର୍ତ୍ତନ ହେବାର ଆଶା ଥିଲା । ଯାହା ହେଉ, ଆସ ତାଙ୍କର ମଙ୍ଗଳ କାମନା କରିବା ।

 

ଆଜି ଅନ୍ନପୂର୍ଣ୍ଣା ପାଗଳିନୀ । ସବୁବେଳେ ସ୍ୱପ୍ନ ଦେଖନ୍ତି । ଆଶ୍ଚର୍ଯ୍ୟ ସ୍ୱପ୍ନ ! ଭବିଷ୍ୟତର ଉଜ୍ଜ୍ୱଳ ରଶ୍ମି ତାଙ୍କ ଉପରେ ସର୍ବଦା ପ୍ରତିଫଳିତ । ସେ ଏ ଦାରୁଣ ସଂସାରରେ ଅନେକ ଭାବରେ ଦଗ୍ଧ ହୋଇ ଅଛନ୍ତି; ଦଗ୍ଧ ହୋଇ ଆଜି ତାଙ୍କର ପାପ ବିମୋଚନ ହୋଇଅଛି । ଆଜି ସେ ଆଉ ମାନବୀ ନୁହନ୍ତି; ପ୍ରକୃତରେ ଦେବୀ ।

 

ଅନ୍ନପୂର୍ଣ୍ଣା ସୁଖେ ଦୁଃଖେ ବାସ୍ତବିକ ଅନ୍ନପୂର୍ଣ୍ଣା । ଅତିଥି ସେବାରେ ସିଦ୍ଧହସ୍ତା । ନାନା ବିପଦରେ ପଡ଼ି ସୁଦ୍ଧା ନିଜର ସଦଭିମାନ ଛାଡ଼ି ନାହାନ୍ତି । ଓଡ଼ିଶା ଆଜି ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣାଙ୍କୁ ଚିହ୍ନିଲା ନାହିଁ । କାହୁଁ ଅବା ଚିହ୍ନିବ ? ଗୁଣୀ ସିନା ଗୁଣର ଆଦର କରେ । ଯାହାଠାରେ ଗୁଣ ନାହିଁ ସେ କାହୁଁ ଗୁଣୀକୁ ଚିହ୍ନିବ ?

 

ଅନ୍ନପୂର୍ଣ୍ଣା-ଭଗିନୀ ଅନ୍ନପୂର୍ଣ୍ଣା ! —ତୁମକୁ ଦେଖି ମୋର ଏହିପରି ଭାବ ହେଉଅଛି ଯେ ତୁମେ ଆଜି କାଲି ଅତି ମନଃକଷ୍ଟରେ ରହିଅଛ, ତୁମର ବଜ୍ରପ୍ରାୟ କଠିନ ପ୍ରତିଜ୍ଞା–“ମୁଁ ସ୍ତ୍ରୀ ଜାତିର ଉନ୍ନତି ସମାଧାନ କରିବି” ବୋଧ ହୁଏ, ତୁମକୁ ମଧ୍ୟେ ମଧ୍ୟେ ଉନ୍ମାଦିନୀ କରୁଅଛି । କିନ୍ତୁ ଭଗିନୀ ! ତୁମର ଉନ୍ମତ୍ତତାହିଁ କେବଳ ତୁମର ପ୍ରତିଜ୍ଞା ରକ୍ଷା କରି ପାରିବ । ଆଉ କେହି ପାରିବ ନାହିଁ । ସଂସାର ତୁମକୁ ଛି ଛି କରିବେ, ପାଗଳିନୀ ବୋଲି କେତେ ହାସ୍ୟ ପରିହାସ କରିବେ, ତୁମକୁ ପାପିନୀ, ନାରକିନୀ ବୋଲି ଓଡ଼ିଶାର ପୁରୁଷ ଏବଂ ସ୍ତ୍ରୀ ସମାଜ ଉଭୟ ତଡ଼ାଇ ଦେବେ ; କିନ୍ତୁ ଭଗିନୀ ! ସମୟ ଆସିବ ଯେତେବେଳେ ତୁମକୁ ଅବତାର ବୋଲି ମାନିବେ । ଭଗିନୀ ! ଏଥିପାଇଁ ସେମାନଙ୍କୁ କ୍ଷମା କର । ଭ୍ରାନ୍ତିଶୀଳ ମନୁଷ୍ୟ ।

 

ଦାରିଦ୍ର୍ୟ କଷଣ ଯେ ଭୋଗ କରି ଅଛି ସେହି କେବଳ ତାହାର ତୀବ୍ର ଜ୍ୱାଳା ଜାଣେ । ଶରୀର ପାଇଁ ମଳିନ ଜୀର୍ଣ୍ଣଶୀର୍ଣ୍ଣ ବସନ ଖଣ୍ଡିଏ ଯେତେବେଳେ ଅନାଟନ ହୋଇ ପଡ଼େ, ବନ୍ଧୁ ଆସିଲେ ଆଦର ସହିତ ଖୁଆଇବାକୁ ସମୟରେ ଏକ ତାମ୍ରମୁଦ୍ରାର ମଧ୍ୟ ଅଭାବ ଘଟେ, ମୁହୁର୍ମୁହୁଃ ମହାଜନ ଆସି ଯେତେବେଳେ ତାଗିଦା କରେ, ସେତେବେଳେ ମସ୍ତକ ବିଘୂର୍ଣ୍ଣିତ ହୁଏ । କଅଣ କରିବି, କେଉଁଆଡ଼େ ଯିବି, କି ଉପାୟ ଅବଲମ୍ବନ କରିବି ଇତ୍ୟାଦି ନାନା ଚିନ୍ତା ଆସି ବ୍ୟତିବ୍ୟସ୍ତ କରି ପକାଏ; ସେତେବେଳେ ପ୍ରେମ ପ୍ରୀତି, ମଧୁର ଗୀତି, ଆଉ କିଛି ମନକୁ ଭଲ ଲାଗେ ନାହିଁ । ହେ ଦୟାମୟ ! ତୁମେ ଦୟାନାମ ବହି କିପରି ଏହି ସବୁ ଦେଖୁ ଥାଅ ? ନା, ବୁଝିଛି, ତୁମେ ଅତି ନିଷ୍ଠୁର, ତୁମର ପ୍ରାଣରେ ଟିକିଏ ସୁଦ୍ଧା ତରଳତା ନାହିଁ । ହୋଇ ପାରେ, ଏକ ସମୟରେ, ସତ୍ୟଯୁଗରେ ତୁମର ପ୍ରାଣ ତରଳ ଥିଲା; କିନ୍ତୁ, ଆଜି ତାହା କଠିନତ୍ୱ ପ୍ରାପ୍ତ ହୋଇ ଅଛି । ଅନ୍ନପୂର୍ଣ୍ଣାଙ୍କର ଆଜି ସେହି ସମ ଅବସ୍ଥା । ତୁମର କଠିନ ହୃଦୟ ପରି ଆଜି ଅନ୍ନପୂର୍ଣ୍ଣାଙ୍କର ହୃଦୟ ମଧ୍ୟ ସଂସାର ଜ୍ୱାଳାରେ ଦଗ୍ଧ ହୋଇ ହୋଇ କଠିନ ହୋଇ ଅଛି । ସେଥିଯୋଗୁଁ ସେ ହସି ହସି ଦାରିଦ୍ର୍ୟର କଷଣ ସହ୍ୟ କରୁ ଅଛନ୍ତି । ଧନ୍ୟ ଭଗିନୀ । ତୁମର ସହିଷ୍ଣୁତା !

 

ତ୍ରୈଲଙ୍ଗୀ ସମାଜରେ ଅନ୍ନପୂର୍ଣ୍ଣାଙ୍କ ବେଶ ସମାଦର ଅଛି । କୌଣସି ଗୋଟିଏ ଶୁଭ ଅନୁଷ୍ଠାନରେ ସେମାନେ ଅନ୍ନପୂର୍ଣ୍ଣାଙ୍କୁ ନିମନ୍ତ୍ରଣ କରି ଥାଆନ୍ତି । ସେମାନେ ତାଙ୍କୁ ଯେପରି ଅନୁକମ୍ପା ସହାନୁଭୂତି ଦେଖାନ୍ତି, ମୋର ଧ୍ରୁବ ବିଶ୍ୱାସ କେବଳ ଦୁଇ ଏକ ଜଣ ପରିପକ୍ୱ କେଶ ପରିପକ୍ୱ ମସ୍ତିଷ୍କ ଓଡ଼ିଶାବାସୀ (ଜଣେ ଓଡ଼ିଆ ଆଉ ଜଣେ Dom।c।led Bengal। ବୋଲି ପରିଚୟ ଦିଅନ୍ତି,) ଛଡ଼ା ଅନ୍ୟ କାହାରି ପାଖରୁ ଅନ୍ନପୂର୍ଣ୍ଣା ସେହିପରି ସହାନୁଭୂତି ପାଇ ନାହାନ୍ତି । ଓଡ଼ିଶା ଭାଇମାନେ, ତୁମେମାନେ ଏଥିପାଇଁ ଧନ୍ୟ ହୁଅ ।

 

ଧିକରେ ତୋତେ ବିଜ୍ଞ ପରୀକ୍ଷକ । ଅନ୍ନପୂର୍ଣ୍ଣାଙ୍କୁ ପରୀକ୍ଷା କରିବା ପାଇଁ ତାଙ୍କଦ୍ୱାରରେ ଆତିଥ୍ୟ ଯାଚ୍‌ଞା କରିଥିଲୁ ? ଆଉ ଜ୍ଞାନ, ଧର୍ମ, ମନୁଷ୍ୟତ୍ୱ ଭୁଲି କି ବିଭତ୍ସ ଅଭିନୟ କରିଥିଲୁ ? ଭଗବାନ୍ ଅଛନ୍ତି । ପରୀକ୍ଷା କଲୁ ମନରେ ଶାନ୍ତି ଆସିଲାତ ? ଚିରକାଳ ମୁର୍ମୂର ଯନ୍ତ୍ରଣାରେ ଅମର ହୋଇ ବଞ୍ଚି ରହିଥା, ମୁଁ ତୋତେ ଏହି ଆଶୀର୍ବାଦ କରୁଅଛି; ଈଶ୍ୱର ନିଜେ ସେହି ଆଶୀର୍ବାଦ କରନ୍ତୁ; ଆଉ ଗୁଣହୀନ । ଓଡ଼ିଶା ନାରୀମାନେ ମଧ୍ୟ ସେହି ଆଶୀର୍ବାଦ କରନ୍ତୁ; ସେମାନଙ୍କର ଏହି ଆଶୀଷ ବାଣୀଦ୍ୱାରା ଆକାଶ ପୂର୍ଣ୍ଣ ହେଉ । ଏହା ଜଗତ ବାସୀ ଏବଂ ଅମରଗଣ ଦେଖନ୍ତୁ ।

 

ଅନ୍ନପୂର୍ଣ୍ଣା ଯେତେବେଳେ ପ୍ରଥମରେ ତାଙ୍କର ଲେଖାଗୁଡ଼ିଏ ଓଡ଼ିଶାର ସଂବାଦପତ୍ରମାନଙ୍କରେ ପ୍ରକାଶ କଲେ ସେତେବେଳେ ଓଡ଼ିଶାବାସୀମାନଙ୍କର ହୃଦୟରାଜ୍ୟରେ ଗୋଟିଏ ପ୍ରବଳ ଝଟିକା ଉଠି ଥିଲା । କିଏ କେତେ ଭାବରେ ଅନ୍ନପୂର୍ଣ୍ଣାଙ୍କ ବିଷୟରେ ମତ ପୋଷଣ କରିଥିଲେ ତାହା କିପରି କହିବି ? ମାତ୍ର ଗୋଟିଏ ଦୃଷ୍ଟାନ୍ତ ଦେଖାଇବି । ଅନ୍ନପୂର୍ଣ୍ଣାଙ୍କର ଲେଖା କିଛି ଦିନ ପ୍ରକାଶିତ ହେଲା ପରେ ଅନ୍ନପୂର୍ଣ୍ଣା ସ୍ୱାମୀ ସହ ବଡ଼ଖେମୁଣ୍ଡିରୁ ବିତାଡ଼ିତା ହେଲେ-। ଆଉ ଗୋଟିଏ ଦୃଷ୍ଟାନ୍ତ ନ ଦେଖାଇ ରହି ପାରିଲି ନାହିଁ । ଅନ୍ନପୂର୍ଣ୍ଣା ତାଙ୍କର ଶ୍ୱଶୁର ଶାଶୁଙ୍କୁ ଯେତେବେଳେ ଦେଖିବାକୁ ଯାଉଥିଲେ ସେତେବେଳେ ସେହି ଶତୋର୍ଦ୍ଧବୟସ୍କା ସ୍ଥବିରା ତାଙ୍କୁ “କୁଳ କଳଙ୍କିନୀ କୁଳ ବୁଡ଼ାଇଲୁ ! କି ଦୁର୍ନାମ କିଣିଲୁ ! ମାଇକିନିଆ ହୋଇ କିଏ ପଦାକୁ ବାହାରି ଥିଲା ତୁ ବାହାରିଲୁ; ଭୁଆସୁଣୀ ହୋଇ କିଏ ମୁଖରୁ ଆବରଣ ବାହାର କରିଥିଲା ତୁ ବାହାର କଲୁ” ଏହିପରି ନାନା କଥା କହିଥିଲେ । ହେ ପାଠକେ ! ହୃଦୟ ଥିଲେ ଅନୁଭବ କରନ୍ତୁ; ସେ ଗାଳି ଶୁଣି ଅନ୍ନପୂର୍ଣ୍ଣାଙ୍କର କୁସଂସ୍କାରାବଦ୍ଧା ହିନ୍ଦୁକୁଳଜାତ ଅନ୍ନପୂର୍ଣ୍ଣାଙ୍କର ସେତେବେଳେ କି ମାନସିକ ଯନ୍ତ୍ରଣା ହୋଇଥିବ ତାହା ଅନୁଭବ କରନ୍ତୁ । ଆଉ ପାଠକେ ! ଯେ ଅନ୍ନପୂର୍ଣ୍ଣା କେବଳ ତୁମମାନଙ୍କ ପାଇଁ ଏ ଘୋର ମନକଷ୍ଟ ସହ୍ୟ କରିଥିଲେ, ତୁମେ କି ତାହାର ଅର୍ଦ୍ଧେକରୁ ଅର୍ଦ୍ଧେକ ସହ୍ୟ କରି ପାରିବ ନାହିଁ-? ବର୍ତ୍ତମାନ ତ ଅବସ୍ଥା ଅନେକ ପରିବର୍ତ୍ତନ ହୋଇ ଯାଇଅଛି । ଆଜିକାଲିତ ସାଧାରଣରେ ଉଦାର ମତର (liberal views) ପରିଚୟ ମିଳୁଅଛି । ଯେ ଅନ୍ନପୂର୍ଣ୍ଣା ତୁମ ପାଇଁ ଏତେ ଭର୍ତ୍ସନା, ଏତେ ଅତ୍ୟାଚାର ସହ୍ୟ କରି ଅଛନ୍ତି, ତାଙ୍କ କଥାକି ତୁମେମାନେ ଶୁଣିବ ନାହିଁ । ଶୁଣ ହେ ଓଡ଼ିଶାର ନାରୀବୃନ୍ଦ ! ତୁମପାଇଁ ସେ ଯେ ଆଜି ପ୍ରାଣ ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତା । ତୁମ ପାଇଁ ଯେ ତାଙ୍କ ଚକ୍ଷୁରୁ ସ୍ଫୁଲିଙ୍ଗ ଏବଂ ଅଶ୍ରୁ ଏକସଙ୍ଗରେ ନିର୍ଗତ ହେଉଅଛି ।

 

ଅନ୍ନପୂର୍ଣ୍ଣା ପୂର୍ବେ କିଛି ଲେଖା ପଢ଼ା ଜାଣି ନଥିଲେ । ବିବାହ ହେବାର ପରେ ସେ ଲେଖା ପଢ଼ା ଶିଖିଅଛନ୍ତି । ସେ ଯେ ଆଜି ନାରୀକବି ବୋଲି ଅଖ୍ୟାତା ହୋଇଅଛନ୍ତି, ତାହା କେଉଁ କାରଣରୁ ? ସେ କେବଳ ତାଙ୍କର ପତିଭକ୍ତିରେ ଅଟଳ ବିଶ୍ୱାସ । ତାଙ୍କର ସ୍ୱାମୀଙ୍କର ସ୍ୱପ୍ନାଦିଷ୍ଟ ଦୁଇ ଧାଡ଼ି କବିତା ତାଙ୍କ କବିତ୍ୱର ମୂଳବୀଜ । ତାଙ୍କର ସ୍ୱାମୀ ସ୍ୱପ୍ନରେ ଦୁଇ ଧାଡ଼ି କବିତା ପାଇଥିଲେ, ସେହି ଦୁଇ ଧାଡ଼ି କବିତା ସେ ତତ୍‌ପରଦିନ ସକାଳେ ତାଙ୍କ ସ୍ତ୍ରୀଙ୍କୁ କହିଲେ । ଏହି ଦୁଇ ଧାଡ଼ି କବିତା ତାଙ୍କର କର୍ଣ୍ଣମନ୍ତ୍ର ହେଲା ।

 

ଏ ସଂସାରରେ ସତ୍ୟର ହିଁ ଜୟ । ଅସତ୍ୟର ଜୟ କେତେବେଳେ ସୁଦ୍ଧା ହୋଇପାରେ ନାହିଁ । ଅସତ୍ୟରେ ଉପାର୍ଜିତ ଅର୍ଥରାଶି ଗୋଟିଏ ଦୈବିକ ଘଟନାରେ ଲୋପ ପାଇ ଯାଏ, ଅସତ୍ୟରେ ପାଳିତ ଶିଶୁ ଚିରକାଳ ମଳିନ କୁତ୍ସିତ ଏବଂ ଅସାହସୀ । ମାତ୍ର ସତ୍ୟରେ ପାଳିତ ଶିଶୁ ଶିଶିର ସିକ୍ତ ପୁଷ୍ପ ପରି ଚିରକାଳ ଉଜ୍ଜ୍ୱଳ, ନିର୍ମଳ ଏବଂ ତେଜୀୟାନ୍ । ଦେବୀ ଅନ୍ନପୂର୍ଣ୍ଣା ସତ୍ୟରେ ପାଳିତ ନ ହୋଇଥିଲେ ଆଜି ତାହାଙ୍କର ଏତେ ତେଜ, ଉଜ୍ଜ୍ୱଳତା, ନିର୍ମଳତା, କେଉଁଠାରୁ ଆସନ୍ତା-? ଅବଶ୍ୟ ଅନ୍ନପୂର୍ଣ୍ଣା ସତ୍ୟରେ ପାଳିତା । ଦେଖିଅଛି ଅନ୍ନପୂର୍ଣ୍ଣାଙ୍କର ଶାଶୁ ଅତି ସରଳସ୍ୱଭାବା–କୁଟିଳତାର ଲେଶ ନାହିଁ । ଜାଣେ ନା ଅନ୍ନପୂର୍ଣ୍ଣାଙ୍କର ପିତାମାତାମାନେ କିପରି ଥିଲେ ? କିନ୍ତୁ କାର୍ଯ୍ୟ କାରଣ ସମ୍ବନ୍ଧରୁ ମୁଁ ଏହାଇ ଅନୁମାନ କରୁଅଛି ଯେ ତାଙ୍କର ପିତାମାତାମାନେ ଅବଶ୍ୟ ସତ୍ୟର କ୍ରୋଡ଼ରେ ବର୍ଦ୍ଧିତ ହୋଇଥିବେ । କେବଳ ଲେଖା ପଢ଼ା ଶିକ୍ଷା କରି, ଆଜି କାଲିକା ସମୟରେ Government ଅଧୀନରେ ଖଣ୍ଡିଏ ଟ୨୦୦ ବା ଟ୩୦୦ ଙ୍କା ଚାକିରି କଲେ ଯେ ଜଣେ ଶିକ୍ଷିତ ହୁଏ, ତାହା ନୁହେଁ-କଦାଚ ନୁହେଁ । ସତ୍ୟ ଯାହାଠାରେ ଅଛି ସେହି କେବଳ ସତ୍ୟ ଶିକ୍ଷିତ, ଆଉ ଅପର ସବୁର ଶିକ୍ଷା କେବଳ ପ୍ରବଞ୍ଚନା ମାତ୍ର । ଅନ୍ନପୂର୍ଣ୍ଣାଙ୍କର ପିତାମାତାମାନେ ଜୀର୍ଣ୍ଣ କୁଟୀରରେ ବାସ କରିଥିଲେ ସତ୍ୟ; ଲକ୍ଷ୍ମୀଦେବୀଙ୍କର କୃପା ସେମାନଙ୍କ ଉପରେ ଥିଲା ନାହିଁ କିନ୍ତୁ ସେମାନେ ସତ୍ୟର ପ୍ରଧାନତମ ଭକ୍ତ ଥିଲେ । ଦେବୀ ଅନ୍ନପୂର୍ଣ୍ଣା କାହିଁକି ସତ୍ୟର ଆରାଧନାରୁ ବଞ୍ଚିତ ହେବେ ?

 

ଭଗିନୀ ! ସାମାନ୍ୟ ଟଙ୍କା କେତୋଟି ହଜିଗଲା ବୋଲି ମୋପାଇଁ ତୁମେ ଏତେ ଭାବିତା-। କିନ୍ତୁ ହାୟ ! ମୋର କେଡ଼େ କଠିନ ପ୍ରାଣ, ମୁଁ ତ ଏତେଦିନ ପର୍ଯ୍ୟନ୍ତ ତୁମ୍ଭର କଷ୍ଟର କଥାଶୁଣି, ତୁମ୍ଭର କଷ୍ଟ ଦେଖି, ଟିକିଏ ସୁଦ୍ଧା ଦୁଃଖିତ ହୋଇନାହିଁ । ଅତି ତୁଚ୍ଛ ମୁଁ । କିନ୍ତୁ ଭଗିନୀ ! ଆଶାକରେଁ ତୁମ ଚକ୍ଷୁରେ ମୁଁ କଦାପି ଯେପରି ତୁଚ୍ଛ ନ ହୁଏ । ନାରୀର ପ୍ରାଣ ଅପରର କଷ୍ଟରେ ବିଗଳିତ ହୁଏ, କିନ୍ତୁ ପୁରୁଷର ପ୍ରାଣ ସେପରି ହୁଏ ନାହିଁ । ବିଧାତା ଦୁଇ ପ୍ରାଣକୁ ଟିକିଏ ବିଭିନ୍ନ ଉପାଦାନଦ୍ୱାରା ଗଠିତ କରିଅଛନ୍ତି ।

 

ଆଉ ଭଗିନୀ ! ତିନିଦିନ ଅନ୍ତର ଥରେ ଯେଉଁ ଦମ୍ପତି ଆହାର କରି ବର୍ଷ ବର୍ଷ କଟାଇଅଛନ୍ତି, ସେମାନଙ୍କଠାରୁ ମୁଁ ସହ୍ୟଗୁଣ ଶିକ୍ଷା କରିବି; ନା, ସାମାନ୍ୟ ଟଙ୍କା କେତୋଟି ପାଇଁ ପ୍ରାଣରେ ବ୍ୟଥାପାଇବି; ସେମାନଙ୍କଠାରୁ ବିପଦକୁ ମିତ୍ର ମଣି ସୁଖରେ କାଳକଟାଇବାକୁ ଶିକ୍ଷା କରିବି, ନା, ବିପଦ ଆସିଲାକ୍ଷଣି ମୁହ୍ୟମାନ ହେବି ? ସେମାନଙ୍କଠାରୁ ଦୁଃଖରେ ଯେଉଁ ପ୍ରେମ ଉଜ୍ୱଳ ଆକାର ଧାରଣ କରେ, ସେହି ପ୍ରେମ ଶିକ୍ଷା କରିବି, ନା, ତୁଚ୍ଛ ଅସାର ଇନ୍ଦ୍ରିୟଜନିତ କ୍ଷଣିକ ସୁଖରେ ମତ୍ତ ହେବି ? କିଶିକ୍ଷା ପାଇଁ ମୁଁ ଆଜି ଆପଣମାନଙ୍କ ଘରେ ଭିଖାରୀ ।

 

ଭଗିନୀ ! ବର୍ତ୍ତମାନ ଏହି ଭିକ୍ଷା କରୁଅଛି ଯେ ଚିରଦିନ ଯେପରି ତୁମର କରୁଣା ମୋ ଉପରେ ଥାଏ; ତୁମର ସ୍ନେହ ଯେପରି କେବେହେଁ ନ କମେ; ମୁଁ ସଂସାରର କୁଟିଳଚକ୍ରରେ ପଡ଼ି ହୁଏତ ଦୁଷ୍ଟସ୍ୱଭାବ, କୁପ୍ରବୃତ୍ତିକ, ଏବଂ କଦାଚାରୀ ହୋଇ ତୁମକୁ ଭୁଲିଯାଇ ପାରେଁ; କିନ୍ତୁ, ସେଥିପାଇଁ କି ତୁମେ ମୋତେଁ ଭୁଲିଯିବ ? ଭୁଲିଯିବ ବର୍ତ୍ତମାନ ଏକଥା ଭାବିଲାବେଳକୁ ମୋ ମନରେ ଗୋଟିଏ ଗଭୀର କଷ୍ଟର ଅନୁଭୂତି ହେଉଅଛି । ଭଗିନୀ ! ପ୍ରାର୍ଥନା, ଚିରକାଳ ଯେପରି ମୋତେ ଶୁଭ ଆଶୀର୍ବାଦ କରୁଥାଅ । ଆଶୀର୍ବାଦ କର, ମୁଁ ଯେପରି ତୁମ ପରି ସର୍ବଦା ସତ୍ୟର ପଥରେ ବିଚରଣ କରିବାକୁ ଶିକ୍ଷା କରେଁ । ଏକମୁହୂର୍ତ୍ତ ପାଇଁ ସୁଦ୍ଧା ଯେପରି ସତ୍ୟର ପଥରୁ ସ୍ଖଳିତ ନ ହୁଏ ।

 

ଭଗିନୀ ! ମନୋଭାବ, ଯେପରି କେବେହେଁ ଲୁକାଇବ ନାହିଁ ଏହି ପ୍ରାର୍ଥନା । ଆମ୍ଭମାନଙ୍କ ମଧ୍ୟରେ, ମୋର ବିଶ୍ୱାସ ଇତିପୂର୍ବରୁ, ଗୋଟିଏ ଅଚ୍ଛେଦ୍ୟ ସମ୍ବନ୍ଧ ସ୍ଥାପିତ ହୋଇଅଛି । ସେ ସମ୍ବନ୍ଧ, ଭାଇ ଭଉଣୀର ସମ୍ବନ୍ଧ; ସେ ସମ୍ବନ୍ଧ, ମର୍ତ୍ତ୍ୟ ଏବଂ ସ୍ୱର୍ଗର ସମ୍ବନ୍ଧ; ସେ ସମ୍ବନ୍ଧ, ଭକ୍ତି ଏବଂ ସ୍ନେହର ସମ୍ବନ୍ଧ; ସେ ସମ୍ବନ୍ଧ, ମୋହ ଏବଂ ଜ୍ଞାନର ସମ୍ବନ୍ଧ; ସେ ସମ୍ବନ୍ଧ, ଦୁଃଖ ଏବଂ ସୁଖର ସମ୍ବନ୍ଧ, ସେ ସମ୍ବନ୍ଧ, ମରଣ ଏବଂ ଜନ୍ମର ସମ୍ବନ୍ଧ । ମୋର ବିଶ୍ୱାସ ଏ ସମ୍ବନ୍ଧ କେବେହେଁ ଛିନ୍ନ ହେବ ନାହିଁ ।

 

ଭଗିନୀ ! ପରଶେ ପରଶେ ଲୋହା ସୁନା ହୋଇଯାଏ । ଆଜି ତୁମର ପ୍ରାଣ ମୋର ପ୍ରାଣକୁ ସ୍ପର୍ଶିଅଛି, ତୁମର ଆତ୍ମା କିନ୍ତୁ ମୋର ଆତ୍ମାକୁ ବର୍ତ୍ତମାନ ସୁଦ୍ଧା ସ୍ପର୍ଶି ନାହିଁ । ଯେଉଁଦିନ ତୁମର ଆତ୍ମା ମୋର ଆତ୍ମାକୁ ଆସି ସ୍ପର୍ଶ କରିବ ସେହିଦିନ ମୁଁ ଧନ୍ୟ ହେବି । ସେ ଦିନ ଆଉ ତୁମେ ମୋତେ ଛଳନା କରିବ ନାହିଁ, ମୋର ଅର୍ଥନାଶରେ ମୋର ମନସ୍ତାପ ଅଣାଇବାକୁ ପ୍ରୟାସ କରିବ ନାହିଁ ।

 

ଭଗିନୀ ! ସେ ଦିନ କି ନିକଟ ହୋଇଅଛି ? ନା ହୋଇନାହିଁ ? ଭଗିନୀ ! କ୍ଷମା କରିବ, ଆଉ ଲେଖନୀ ଚଳୁ ନାହିଁ । କାରଣ ଭାଷାର ଶେଷ ହୋଇ ଆସିଲା, ଯଦିସୁଦ୍ଧା ଭାବ ଅନ୍ତରରେ ପରିପୂର୍ଣ୍ଣ ହୋଇ ରହିଅଛି ମୁଁ ମୂକ ହୋଇ ଆସିଲିଣି; କଥା କହିବାର କ୍ଷମତା ନାହିଁ । ଯେତେଦୂର ପାରିଲି, ଭଙ୍ଗା କଥାରେ ମୋର ମନୋଭାବ ବ୍ୟକ୍ତ କଲି । ମୋତେ ଆଶୀର୍ବାଦ କର, ଆଜି ମୁଁ ତୁମ ଚରଣପ୍ରାନ୍ତରେ ପ୍ରଣତି ।

 

ତୁମର ସ୍ନେହର

ଭାଇ ଲା–

☆☆☆

 

ଗୋଟିଏ ପରିବାର

 

ଗୋଟିଏ ଥିଲା ପରିବାର । ସେ ପରିବାରରେ ଥିଲା ଗୋଟିଏ ଦେବୀ, ଗୋଟିଏ ରାକ୍ଷସୀ-। ଏହାଛଡ଼ା କର୍ତ୍ତା, ଗୃହିଣୀ, ଆଉ ତାଙ୍କର ସନ୍ତାନ ସନ୍ତତି ମିଳି ଆଠ ଜଣ ଥିଲେ ।

 

ପରିବାରଟି ଅତି ସୁଖର ହୋଇ ପାରି ଥାଆନ୍ତା; କିନ୍ତୁ ଟିକକୁ ସବୁ ବିଗିଡ଼ି ଯାଇଥିଲା । ସେ କେବଳ ସେହି ଜଣକ ପାଇଁ । ତାର ନାମ ଧରିବାକୁ ଭୟ ହେଉଛି । ସେ ଯେ ଭୟଙ୍କର ରାକ୍ଷସୀ ।

 

ଗୃହିଣୀଙ୍କର ବି କୁକ୍ଷଣରେ ପ୍ରସବ ବେଦନା ହୋଇଥିଲା । ବସନ୍ତ କାଳ । ପ୍ରେମିକ ପ୍ରେମିକାର ନବ ଯୌବନରେ ଏହି ନବ ବସନ୍ତକାଳ ସମାଗତ । ସେମାନେ ଆନନ୍ଦରେ ବିଭୋର; ଧରାରେ ଆନନ୍ଦର ଢେଉ ଖେଳୁଅଛି, ନବ ଦମ୍ପତିଙ୍କର ସୁଖ ଆଉ ଧରି ରଖି ହେଉନାହିଁ ।

 

ଯଥା ସମୟରେ ବିଧିର ବିଧାନରେ ଗୃହିଣୀଙ୍କର ଅନ୍ତଃସତ୍ତ୍ୱା ହେଲା । ଯଥା ସମୟରେ ଗୋଟିଏ ଆହା ! ନବନୀତବିନିନ୍ଦିତ କମନୀୟକାୟ ଶିଶୁଟି ଧରା ପୃଷ୍ଠରେ ଉପସ୍ଥିତ ହେଲା । ପରିବାର ମଧ୍ୟରେ ସୁଖର କୋଳାହଳ, ଆନନ୍ଦର କଲ୍ଲୋଳ, ପ୍ରତ୍ୟେକ ତତ୍‍ପରିବାରଭୁକ୍ତ ପ୍ରାଣୀର ଅନ୍ତର ବାହରକୁ ପରିବ୍ୟାପ୍ତ କଲା । ଏପରି ଶିଶୁ ରତ୍ନ ପାଇଲେ କାହାର ବା ନ ହେବ ?

 

ଦିନୁ ଦିନୁ ଶିଶୁ କନ୍ୟାଟି ବଢ଼ିବାକୁ ଲାଗିଲା । ତମେ ଛୋଟ କଳିକାଟି ପ୍ରଷ୍ଫୁଟିତ ହେବାକୁ ଲଗିଲା । କନ୍ୟାଟି ଯେତେବେଳେ ଯୌବନ ରାଗରେ ମଣ୍ଡିତ ହେଲା ସେତେବେଳେ ତାହାର ପ୍ରେମର ଉଚ୍ଛ୍ୱାସ ଅହୋ ! କି ପ୍ରବଳ ! କି ଉତ୍ତାଳ !

 

ପ୍ରେମ ଠାରେ ଜାତି ବିଚାର ନାହିଁ, ମାନ ଅପମାନ ଜ୍ଞାନ ନାହିଁ, ମାନ ଅପମାନ ଜ୍ଞାନ ନାହିଁ-। ପ୍ରେମର ଉଚ୍ଛ୍ୱାସ ପ୍ରବଳ ହେଲେ ତାକୁ ବାଧା ଦିଏ କିଏ ? ଉନ୍ମାଦିନୀ ସ୍ରୋତସ୍ୱିନୀ ନଦୀ ଯେତେବେଳେ ପ୍ରେମରେ ମାନ ଅପମାନ, ନିଜର ବୟସ କୁଳ ସବୁ ଭୁଲିଯାଇ ସିନ୍ଧୁ ଅଭିମୁଖରେ ଧାବିତା ହେଉଥାଏ, ତାହାକୁ କି କେହି ବାଧା ଦେଇ ରଖିପାରେ ? ସେ କିଛି ମାନେ ନା । ସେ ଯାହାପାଇଁ ଉନ୍ମତ୍ତା ତାହାପାଇଁ ସେ ନିଜର କୁଳ, ନିଜର ମାନ ସମସ୍ତଙ୍କୁ ତୁଚ୍ଛ ଜ୍ଞାନ କରେ । ଆଜି ସେହି ପ୍ରଷ୍ପୁଟିତା କଳିକାଟିର ଅବସ୍ଥା ଠିକ୍ ସେହିପରି ।

 

ଦେବୀଟି ଆମର ବାଳବିଧବା । ପ୍ରଥମ ଯୌବନ ବିକାଶ ସମଯରେ ସ୍ୱାମୀଟି ଇହଧାମ ଛାଡ଼ି ଗଲେ । ସେ କି ଏଡ଼େ ନିଷ୍ଠୁର ! ସ୍ତ୍ରୀର ଭବିଷ୍ୟତ ବିଷୟ ଟିକିଏ ହେଲେ ଚିନ୍ତା ନ କରି ଏକେବାରେ ଶେଷ ନିଦ୍ରାର କ୍ରୋଡ଼ରେ ଢଳି ପଡ଼ିଲେ ? ବାଳବିଧବାଟିର ହୃଦୟଆକାଶରେ ସେହି ଗୋଟିଏ ଉଜ୍ୱଳ ନକ୍ଷତ୍ର ଥିଲା ହାୟ ! ସେ ଖସି ପଡ଼ିଲା ! ଆଉ ସେ ଆକାଶଟି ଘୋର୍, ଅନ୍ଧକାରରେ ଆବୃତ ହୋଇ ରହିଲା । ବିଧିର ଖେଳ ।

 

ସେହି ଶିଶୁ, ଯେ ପ୍ରଥମ ଧରାଧାମରେ ଅବତୀର୍ଣ୍ଣ ହୋଇ ପିତାମାତା ଏବଂ ପରିବାରବର୍ଗର ଆନନ୍ଦର କାରଣ ହୋଇଥିଲା, ସେହି ଶିଶୁ ଆଜି ପ୍ରେମରେ ଉନ୍ମାଦିନୀ ହୋଇ ନିଜର ବାହୁଲତାକୁ ଅନ୍ୟର ବାହୁଲତା ସହିତରେ ଜଡ଼ାଇବାକୁ ଇଚ୍ଛା କଲା । ଏକରେ ପରିତୃପ୍ତ ନ ହୋଇ ଦୁଇ, ତିନି ଏହିପରି ବହୁ ବାହୁଲତାକୁ ନିଜର ବକ୍ଷରେ ଧାରଣ କଲା । ତାହର ହୃଦୟାକାଶରେ ଆଜି ଶତ ଶତ ପ୍ରେମିକ ପ୍ରତିମା ଉଦିତ ହୋଇ କ୍ଷଣେ କ୍ଷଣେ ନିଭି ଯାଉଅଛି, ପୁଣି କ୍ଷଣେ କ୍ଷଣେ ଉଦିତ ହେଉଅଛି । ଏହିପରି ଆଲୋକ ଏବଂ ଛାୟାର ଖେଳ ତାହାର ପ୍ରାଣରେ ଖେଳୁଅଛି ।

 

କେତେଥର ସେ ଅଭାଗିନୀ ଉନ୍ମାଦିନୀ ଏହିପରି ମୋହରେ ପଡ଼ି ପଡ଼ି ତାହାର ପତନର, ତାହାର ନରକର ରାସ୍ତା ନିଜ ହତରେ ତିଆରି କରିଅଛି । ସେ ଆଉ ଘରେ ରହିବ ନାହିଁ ; ଯଥାଇଛା ତଥା ପ୍ରସ୍ଥାନ କରିବ-କରିବ-କରିବ । ଏ ଅବସ୍ଥା ଦେଖି ପିତାମାତାଙ୍କ ମନରେ ଦାରୁଣ ଯନ୍ତ୍ରଣା ହେଲା ।

 

ପ୍ରେମ ବିବୃତ ହେଲେ ଏହିପରି ହୁଏ, ଅଭାଗିନୀର ମଧ୍ୟ ସେହିପରି ହେଲା । ସେ କଅଣ କରିବ ? ଏଣେ ବିଧବାଟି ସେହି ତାହାର ହୃଦୟାକାଶରୁ ଚ୍ୟୁତ ନକ୍ଷତ୍ରଟିର ଧ୍ୟାନରେ କାଳ ଅତିବାହିତ କରୁଅଛି ଏବଂ ଜନନୀର ସ୍ନେହ ସମସ୍ତଙ୍କୁ ବିତରଣ କରୁଅଛି । ପ୍ରେମିକର ଯେଉଁ ପ୍ରେମ-ଉତ୍ସ ତାହା ଚିରକାଳ ପାଇଁ ରୁଦ୍ଧ ହୋଇଅଛି । ଏହି ତ ଦେବୀ !

 

କିନ୍ତୁ ସେହି ପ୍ରେମ-ବିତରଣ-କାରିଣୀ ଅଭାଗିନୀ ନାରୀ କେତେ ଯୁବକକୁ ସେହି ମୋହ ପଥରେ ଆକୃଷ୍ଟ କରିଅଛି ଯେ ତାହାର ଇୟତା ନାହିଁ । ତଥାପି ତାହାର ପିପାସାର ଉପଶମ ହେଲା ନାହିଁ ।

 

ସେ ଆଜକୁ ଅନେକ ଦିନ ହୋଇଗଲାଣି । ଆଜି କିନ୍ତୁ ସେ ବାଳିକା ପ୍ରତିନିୟତ ପ୍ରତିହତ ହୋଇ ଘରକୁ ଫେରି ଆସିଅଛି । ସ୍ୱାମୀ ସହିତ ସୁଖରେ ଏବଂ ଭୂତବିଷୟ ପାଇଁ ଅନୁତାପ ଏବଂ ଅନୁଶୋଚନାରେ କାଳ କଟାଉଅଛି । ପାଠକେ ! ମାପ କରିବେ । ଏତେବେଳ ଯାଏ କହି ନଥିଲି ଯେ ଏହି ବାଳିକାଟି (ଆଜି ପୂର୍ଣ୍ଣବୟସ୍କା) ପ୍ରଥମ ଯୌବନରେଇ ବିବାହ ସୂତ୍ରରେ ଆବଦ୍ଧ ହୋଇଥିଲା । କିନ୍ତୁ ସ୍ୱାମୀଟି ତା ମନକୁ ପାଇ ନଥିଲା ।

 

ପିତା ଏବଂ ମାତାଙ୍କୁ କନ୍ୟାର ଦୁଶ୍ଚରିତ କଥା ଶୁଣି ଶୁଣି ଅନେକ କଷ୍ଟ ହୋଇଥିଲା । ସେଥିପାଇଁ କହୁଥିଲି ପରିବାରଟି ଅତି ସୁଖର ହୋଇଥାନ୍ତା, କିନ୍ତୁ ଟିକକୁ ସବୁ ବିଗିଡ଼ି ଯାଇଥିଲା । କନ୍ୟାର ଦୁଶ୍ଚରିତ ପାଇଁ ପିତାମାତାଙ୍କୁ କେତେ କଷ୍ଟ ସହ୍ୟ କରିବାକୁ ହୁଏ ।

 

ଆଜି କେବଳ ଅନୁଶୋଚନା । ପିତା ଅନୁଶୋଚନା କରୁଅଛନ୍ତି, ମାତା ଅନୁଶୋଚନା କରୁଅଛନ୍ତି ଏବଂ ଭାଇମାନେ ଅନୁଶୋଚନା କରୁଅଛନ୍ତି । କେବଳ ସେହି ବିଧବା ଧବଳବସନ-ପରିହିତା ଦେବୀଟି ସେହି ଘରେ ଗୋଟିଏ ଜ୍ୟୋତି ପରି ରହିଅଛି । ଏହାଙ୍କୁ ଦେଖିଲେ ମନରେ ସୁଖ, ଶାନ୍ତି, ଏବଂ ପତିବ୍ରତା ଆସେ । ଏହାଙ୍କ ପାଇଁ ସେ ଘର ଭାଙ୍ଗିପଡ଼ୁ ନାହିଁ । ଏହାଙ୍କ ଯୋଗେ ସେ ଘରେ ଆଜି ପର୍ଯ୍ୟନ୍ତ ଅତିଥିର ଉପଯୁକ୍ତ ସେବା ହେଉଅଛି । ନୋହିଲେ ସେ ଘର ଶ୍ମଶାନରେ ପରିଣତ ହୋଇଥାଆନ୍ତା ।

 

ଦେବୀର ଆଜି ଆଉ ଦୁଃଖ ନାହିଁ । ପୂଣ୍ୟର ଜ୍ୟୋତିରେ ତାଙ୍କର ସେହି ତିମିରାବୃତ ହୃଦୟାକାଶ ପୁନର୍ବାର ଆଲୋକିତ ହୋଇଅଛି । ଦେବୀ କୃଷ୍ଣବର୍ଣ୍ଣା ହେଲେ ସୁଦ୍ଧା ବ୍ରହ୍ମଚର୍ଯ୍ୟ କର୍ମଦ୍ୱାରା ଆବୃତ ହୋଇ ଏବଂ ପବିତ୍ରତାର ସୁବର୍ଣ୍ଣ ଥାଳି ହାତରେ ଧରି ଅତି ମନୋହର ଦିଶୁଅଛନ୍ତି ।

 

ହାୟରେ ଆଜକୁ ପ୍ରାୟ ୧ ବର୍ଷ ହୋଇନାହିଁ ଇତିମଧ୍ୟରେ ବି ଭୟଙ୍କର ପରିବର୍ତ୍ତନ ଘଟି ଯାଇଅଛି । ସେହି ସତୀ ଆଜି କଲିକତା ମହାନଗରୀରେ ବାରବିଳାସିନୀ ଦଳରେ ଭୁକ୍ତା ହୋଇ ପାପ ପଙ୍କରେ ନିମଜ୍ଜିତ ହୋଇଛନ୍ତି । ହାୟରେ ସଂସାର ! ହାୟରେ ନାରୀ ତୋର ହୃଦୟ କ୍ଷୁଦ୍ର ପୁରୁଷର ବୁଝିବାର କି ସାଧ୍ୟ ?

☆☆☆

 

କୋଣାର୍କ ପଥେ

 

୧୯୧୧ ସାଲ । ଏପ୍ରିଲ ମାସର ତା ୨ ରିଖ । ଗ୍ରୀଷ୍ମକାଳ, ବାଲୁକାରାଶି ଦିବା ଦ୍ୱିପ୍ରହର ପର୍ଯ୍ୟନ୍ତ ଉତ୍ତପ୍ତ ରହିଥାଏ । ସେହି ସମୟରେ ପ୍ରାତଃ ୭ ଘଣ୍ଟା ସମୟରେ ନୀଳାଚଳରୁ କୋଣାର୍କ ପଥେ ଶଙ୍କରକୁ ସଙ୍ଗରେ ଘେନି ପଦବ୍ରଜରେ ଯାତ୍ରା ଆରମ୍ଭ କଲି ।

 

ବହୁଦିନୁ ମୋର କୋଣାର୍କ ଦର୍ଶନ ସ୍ପୃହା ବଳବତୀ ହୋଇ ଥିଲା । ପ୍ରଥମରେ ପୁରୀର ଘାଟଘର ପାଖରେ ଉପନୀତ ହୋଇ ସାଗରର ଉତ୍ତାଳତରଙ୍ଗ ମାଳାର ତର୍ଜ୍ଜନ ଗର୍ଜ୍ଜନ ଶ୍ରବଣ କରି ରାଧାନାଥ ବାବୁଙ୍କୁ ମନେ ପଡ଼ିଲା । ତହୁଁ କହିଲି–

 

“ନୀଳ ପାରାବାର ଅଦୂରେ ଗାଏ ଅମର ଗୀତ,

ଅମର ତରଙ୍ଗ ନର୍ତ୍ତନେ ବେଳା ହୁଏ ଧ୍ୱନିତ’’

 

କବିର ଜୀବନ ସାର୍ଥକ । କବିର ଜୀବନ ମଧୁମୟ । କବିର ଭାଷା ଗୀତିମୟ । କବିର ଗାନ କୋକିଳର କଳତାନ ପରି ସ୍ୱାଭାବିକ । ହେ ଭଗବାନ୍ । ମୋତେ କାହିଁକି କବି କଲ ନାହିଁ ?

 

କିୟଦ୍ଦୂର ଆସିଅଛି “ଯାତ୍ରୀକୂଅ” ଦେଖିଲି । ଜନୈକ ତୀର୍ଥଯାତ୍ରୀ ଲୋକମାନଙ୍କର ଦୁରାଗତ ପଥିକମାନଙ୍କର ତୃଷା ନିବାରଣାର୍ଥ ଉପରୋକ୍ତ କୂଅ ଖୋଳାଇ ଯାଇଥିଲେ । ଏହାଇତ ପ୍ରେମ ! ଏହାଇତ ନିଃସ୍ୱାର୍ଥତା ! ଏହାଇତ ମନୁଷ୍ୟତ୍ୱ !

 

କେତେକ ପଥ ଆସିଲି; ନେତ୍ର ପଥରେ ଖୁଣ୍ଟିଆକୂଅରେ ନିଦର୍ଶନ ଦେଖାଗଲା । କୂଅ ବର୍ତ୍ତମାନ କାଳ ଗର୍ଭରେ କେଉଁ ଆଡ଼େ ଲୁକ୍କାୟିତ ; କେବଳ କେତେ ଗୁଡ଼ିଏ ତାଳଗଛ ସେଠାରେ ସଙ୍ଗୀହୀନ ଭାବରେ ଦଣ୍ଡାୟମାନ ।

 

ରାସ୍ତା ଅତିକ୍ରମ କରୁଁ କରୁଁ ଅଦୂରେ “ଯେନା ପୋଖରୀ” ଦେଖାଗଲା । ଶଗଡ଼ିଆମାନେ ଏବଂ ପରବାସୀମାନେ ଏ ପୁଷ୍କରିଣୀ ସନ୍ନିକଟରେ ଆଶ୍ରୟ କରନ୍ତି ଏବଂ ଯେନା ପୋଖରୀର ଜଳରେ ତୃଷା ହରଣ କରନ୍ତି । ଏଠାରେ ହଟାତ ଦେଖିଲି ଅପରୂପ ବିଭିନ୍ନରୂପ ସୁଲୋଚନ ହରିଣ ହରିଣୀ-। କୋଣାର୍କ ମନ୍ଦିର ପର୍ଯ୍ୟନ୍ତ ଏହି ସମସ୍ତ ନୟନମନ ତୃପ୍ତିପଦ ହରିଣ ଦେଖାଯାନ୍ତି । ଏମାନେ ରାତ୍ରିରେ ପନ୍ତାପଡ଼ିରେ ଆଶ୍ରୟ ଗ୍ରହଣ କରି ଥାଆନ୍ତି ।

 

ବେଳପ୍ରାୟ ଏକାଦଶ ଘଟିକା । ବାଲୁକା ଉତ୍ତପ୍ତ ହୋଇ ଆସିଲାଣି । ଜୀବଜନ୍ତୁ ତରୁ ଡାଳେ ବୃକ୍ଷତଳେ ଆଶ୍ରୟ ଲୋଡ଼ିଲେଣି । ଆମ୍ଭେମାନେ ଆସି ବେଲେଶ୍ୱରଠାରେ ଆସି ଉପନିତ ହେଲୁ । “ବେଲେଶ୍ୱର” ଏପରି ନାମ ହେବାର କାରଣ ପଚାରନ୍ତେ ଶଙ୍କର କହିଲା “ରାମଚନ୍ଦ୍ର ମହାପ୍ରଭୁ ବନବାସ କରୁଥିବା ସମୟରେ ଏହି ଦେବତାଙ୍କୁ ପୂଜା କରିଥିଲେ ଏବଂ ତାଙ୍କର ପଦ ଅଙ୍ଗୁଳି ଚିହ୍ନ ସେହି ବଡ଼ ଶକ୍ତି ଉପରେ ରହିଅଛି’’ । ମୁଁ ଦେଖିଲି ଶଙ୍କର ମୋର ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେବାରେ ଅକ୍ଷମ; ତେବେ ତାଙ୍କ ବିଷୟରେ ଏହି ପୌରାଣିକ ବୃତ୍ତାନ୍ତ ଅବଗତ ହୋଇ ଟିକିଏ ପ୍ରହୁଷ୍ଟ ହେଲି । ଆମ୍ଭେମାନେ ସେଠାରେ ସ୍ନାନାଦି ସମାପନ କରି ଦେବତାଙ୍କୁ ଦର୍ଶନ କରିବା ନିମନ୍ତେ ମନ୍ଦିର ମଧ୍ୟକୁ ପ୍ରବେଶ କଲୁ । ଦେଖିଲି ବିଗ୍ରହଟି ବିଲ୍ୱାକୃତି ଏବଂ ଆକୃତି ଅନୁସାରେ ତାଙ୍କର ନାମକରଣ ହୋଇଥିବ ଏହା ଭାବି ସ୍ଥିର କଲି । ଦର୍ଶନ ପରେ ଚୁଡ଼ା, କଦଳୀ, କନ୍ଦ ଗୋଳାଇ ଆନନ୍ଦମନରେ ଶଙ୍କର ଏବଂ ମୁଁ ଏକ ପାତ୍ରରେ ଆନନ୍ଦରେ ଭୋଜନ କଲୁଁ ଏବଂ ସେହିଠାରେ ବିଶ୍ରାମ ନେଲୁଁ । ଶୋଇ ଅଛୁଁ, ଏପରି ସମୟରେ ଦେବତାଙ୍କର ସେବାଦାସ ଆସି ଆମ୍ଭମାନଙ୍କୁ ଉଠାଇଲେ । ଆମ୍ଭେମାନେ ସେହି ସେବାଦାସ ସହିତରେ ବେଳ ୩ ପ୍ରହର ପର୍ଯ୍ୟନ୍ତ କଥାବାର୍ତ୍ତା କରି କୋଣାର୍କ ପଥରେ ପୁନର୍ବାର ଅଗ୍ରଗାମୀ ହେଲୁଁ ।

 

ବେଲେଶ୍ୱର ମନ୍ଦିରଟି ବେଶି ବଡ଼ ନୁହେଁ । ମନ୍ଦିରର ଗାତ୍ରରେ ଗୋଟେ ଖୋଦିତ ଚିତ୍ର ଦେଖି ଅପାର ଭାବରେ ନିମଜ୍ଜିତ ହୋଇଥିଲି । ଚିତ୍ରଟି ଏହିପରି;–ପୂର୍ବରେ ମହାଦେବ ଦଣ୍ଡାୟମାନ; ମସ୍ତକରେ ସର୍ପ; ବାମ ଭାଗରେ ପାର୍ବତୀ; ମସ୍ତକର ଦକ୍ଷିଣ ଭାଗରେ ନାରଦ ବୀଣାବାଦନ କରୁଅଛନ୍ତି । ଅତି ବିଚିତ୍ର ଶିଳ୍ପ; ଦେଖିଲେ ହୃଦୟରେ ଭକ୍ତି, ଶକ୍ତି ଏବଂ ଇନ୍ଦ୍ରିୟ ସଂଯମ ଭାବ ଜାଗ୍ରତ ହୁଏ । ଦକ୍ଷିଣରେ ଗଣେଷ ମୂର୍ତ୍ତି, ବାମ ହସ୍ତରେ ଲଡ଼ୁ ଧରି ଅଛନ୍ତି, ଅନ୍ୟ ବାମ ହସ୍ତରେ ଯଷ୍ଠି ଧାରଣ କରି ଅଛନ୍ତି; ବାହନ ମୂଷିକ ସଭକ୍ତିରେ ଅନାଇ ଅଛି । ଗଣେଷ ମୂର୍ତ୍ତିଟି ଦେଖିବାକୁ ବୃଦ୍ଧ, ଦେଖିଲେ ଭକ୍ତିର ସଞ୍ଚାର ହୁଏ । ମସ୍ତକରେ ସୁନ୍ଦର ଚୂଡ଼ା । ଗଣେଷର ପୂର୍ବ ପାର୍ଶ୍ୱରେ ଅନ୍ୟ ଗୋଟିଏ କାନ୍ଥରେ ମହାଦେବ ମୂର୍ତ୍ତି । ସେ ବୃଷଭବାହୀ ଯୋଗମଗ୍ନ । ପଶ୍ଚିମରେ ରୋଷେଇ ଘର । ଉତ୍ତରରେ, ପାର୍ବତୀଙ୍କର ବାମ ପାର୍ଶ୍ୱରେ, ଅପର କାନ୍ଥରେ ମହାଦେବ ମୂର୍ତ୍ତି; ଦେଖିବାକୁ ସୁନ୍ଦର କାୟ, ବୃଷଭବାହୀ, ଧ୍ୟାନାରୂଢ଼, ଏବଂ ମହାତେଜଃ-ପୁଞ୍ଜ-ଶାଳୀ । ସ୍ଥାନଟି ନିର୍ଜନ; ଯୋଗିଋଷିଜନଙ୍କର ଆଶ୍ରମପଯୋଗୀ; ଦକ୍ଷିଣ ପୂର୍ବ ଏବଂ ପଶ୍ଚିମ ଦିଗରେ ବଟବୃକ୍ଷ ।

 

ପ୍ରାୟ ୫ ମାଇଲ ପଥ ଆସି ଗଛ ସମ୍ମୁଖରେ ଗୋଟିଏ ଅନ୍ତଃସଳିଲା ନଦୀ । ସେ ସ୍ଥାନଟିର ନାମ ଲିଆଖିଆ । ପ୍ରବାଦ ଅଛି ଯେ ଏଠାରେ ଜଗନ୍ନାଥ ମହାପ୍ରଭୁ ଏକ ସମୟରେ ଲିଆ ଖାଇଥିଲେ । କିୟଦ୍ଦୂର ଆସିଅଛୁଁ ରାମଚଣ୍ଡୀ ଦୃଷ୍ଟିଗୋଚର ହେଲା । ସ୍ଥାନଟି ନିର୍ଜନ, ଘୋର ଅରଣ୍ୟ ସଦୃଶ ଏବଂ ଭୟଙ୍କର । ଏଠାରେ ଆମ୍ଭେମାନେ ରାତ୍ରିବାସ କରିଥିଲୁଁ । ରାତି ପ୍ରାୟ ୩ ଟା ସମୟରେ ରାମଚଣ୍ଡୀଙ୍କର ପ୍ରସାଦ ପାଇ ଅତି ଆନନ୍ଦିତ ହେଲୁଁ । ଅତି ପ୍ରତ୍ୟୁଷରୁ ଉଠି, କୋଣାର୍କ ମାର୍ଗରେ ଅଗ୍ରସର ହେଲୁଁ । ସେ ଦିନ ଏପ୍ରିଲ ୭।୧୯୧୧ ସୋମବାର ।

 

ଚାଲୁଁ ଚାଲୁଁ କୋଣାର୍କ ଦେଉଳର ନିକଟବର୍ତ୍ତୀ ହେଲୁ । ପ୍ରଥମରେ ତତ୍ରସ୍ଥ ଦେବତା ଦର୍ଶନରେ ପ୍ରୟାସୀ ହୋଇ ଶାନ୍ତ ଧାବନ କରି ଶୁଦ୍ଧ ମନରେ ନିରାକାର ନିରଞ୍ଜନଙ୍କୁ ଦର୍ଶନ କଲୁଁ । ସେଠାରେ ଜଣେ ଓଡ଼ିଆ ବାବାଜୀ ଅଛନ୍ତି । ସେ ଅତି ମିଷ୍ଟାଳାପୀ । ମୋତେ ସେ ଅନେକ କଥା କହିଥିଲେ । ସେ ସମସ୍ତ ନିମ୍ନରେ ସଂପକ୍ଷରେ ବର୍ଣ୍ଣନା କଲି ।

 

ଭଗବାନ୍ ସେ ସ୍ଥାନରେ ଅର୍କ ଦୈତ୍ୟକୁ ବଧ କରିଥିଲେ ସେଥି ସକାଶେ ସେ ସ୍ଥାନର ନାମ କୋଣାର୍କ ହୋଇ ଅଛି । କୋଣାର୍କ ମନ୍ଦିର ପ୍ରାୟ ଦୁଇ ମାଇଲ ଦକ୍ଷିଣରେ ଚନ୍ଦ୍ରଭାଗା ତୀର୍ଥ ।

 

ଲାଙ୍ଗୁଳା ନରସିଂହ ଦେବଙ୍କର ମନ୍ତ୍ରୀ ଶିବସାମନ୍ତରାୟ କୋଣାର୍କ ମନ୍ଦିର ନିର୍ମାଣ କରାଇ ଥିଲେ । ମନ୍ଦିରଟି ଅତି ସୁନ୍ଦର । ଜୀବନରେ ଏପରି ଆଉ ଗୋଟିଏ ଦେଖି ନ ଥିଲି ଏବଂ ଭବିଷ୍ୟତରେ ଯେ ଦେଖିବି ଏପରି ଭାବନା ମଧ୍ୟ କରି ପାରେ ନା । ଯେତେଦିନ କୋଣାର୍କର ଖଣ୍ଡିଏ ପ୍ରସ୍ତର ରହିଥିବ ସେତେ ଦିନ ଯାଏଁ ଓଡ଼ିଆମାନଙ୍କର ଗୌରବ ଲୁପ୍ତ ହେବ ନାହିଁ । ନବଗ୍ରହ ମୂର୍ତ୍ତିଚୟ ଦେଖି ମୋ ମନରେ ଯେଉଁ ଭାବ ଜାଗ୍ରତ ହୋଇଥିଲା ତାହା କି ରୂପେ ବର୍ଣ୍ଣନା କରିବି ? ଓଡ଼ିଆମାନେ ଯେ ଏତେ ଦୁର ଉନ୍ନତି ଲାଭ କରିଥିଲେ ତାହା ଆଜି ସ୍ୱପ୍ନରେ ସୁଦ୍ଧା ଭାବି ହେଉନାହିଁ-। ମନ୍ଦିର ଦେହରେ ଯେଉଁ ସବୁ ଚିତ୍ର ଅଛି ସେ ସବୁ ଏତେ ଦୁର ଅଶ୍ଳୀଳତା ଦୋଷଯୁକ୍ତ ଯେ ସେ ସବୁ ଦେଖି ମୋର ଚକ୍ଷୁରୁ ଲୋତକଧାରା ବହିର୍ଗତ ହେଲା । ମନୁଷ୍ୟ ଏତେ ଦୁର ବିଳାସରେ ମତ୍ତ ହେଇପାରେ ? ଏହା କି ଅଦ୍ଭୁତ କୁରୁଚି ! କିନ୍ତୁ ତଥାପି କି ବିଚିତ୍ର ଶିଳ୍ପ କୌଶଳ !

 

ନବଗ୍ରହମାନଙ୍କର ନାମ ଯଥାକ୍ରମେ ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହଷ୍ପତି, ଶୁକ୍ର, ଶନି, ରାହୁ, କେତୁ । ନବଗ୍ରହ ମୂର୍ତ୍ତିର ପ୍ରସ୍ତରଟି ସୁନୀଳ ବର୍ଣ୍ଣ । ଦୈର୍ଘ୍ୟରେ ୧୨ ହାତ ଏବଂ ପ୍ରସ୍ତରେ ପ୍ରାୟ ଦୁଇ ହସ୍ତ ପରିମିତ ।

 

କୋଣାର୍କରେ ରହିବାର ଏକପ୍ରକାର ସୁବିଧା ଅଛି । ସାହେବମାନଙ୍କର ରହିବା ନିମନ୍ତେ ଦିବ୍ୟଘର ନିର୍ମିତ ହୋଇଅଛି ।

 

ମୁଁ ଯେତେବେଳେ କୋଣାର୍କ ଯିବା ପାଇଁ ପୁରୀର ଲୋକମାନଙ୍କୁ କହିଥିଲି ସେତେବେଳେ ସେମାନେ କହିଲେ “ଓଃ ! ଏତେ ଖରାସମୟରେ କିପରି ପଦବ୍ରଜରେ କୋଣାର୍କ ଯିବ ? ଯଦି ଯିବାର ଏକାନ୍ତ ଇଛା ଥାଏ ତାହେଲେ ଗାଡ଼ିରେ ଯାଅ । ମୁଁ କିନ୍ତୁ କାହାରି କଥା ନଶୁଣି ହାତରେ କେବଳ ଯୋଡ଼ିଏ ଟଙ୍କା ଧରି ବାହାରିଲି । ଆଉ ଏକ ଯାତ୍ରାରେ କୋଣାର୍କ, କାକଟପୁର, ଗୋପ ଇତ୍ୟାଦି ବହୁସ୍ଥାନ ଭ୍ରମଣ କରି ନିର୍ବିଘ୍ନରେ ପୁରି ଫେରି ଆସିଥିଲି । ବାସ୍ତବିକ ମନ ଥିଲେ ସବୁ ହୁଏ କେବଳ ଧନ ଥିଲେ କିଛି ହୋଇ ପାରେନା ।

 

ହେ ଉତ୍କଳବାସୀ ! ଆସ, ବାରେ କୋଣାର୍କ ଦେଖି ଯାଅ । ତୁମର ପୂର୍ବପୁରୁଷମାନଙ୍କର ଗୌରବ ନିଦର୍ଶନ ଦେଖି ଧନ୍ୟ ହୁଅ । ଯେଉଁ ଦିନ ସ୍କୁଲଛାତ୍ରମାନେ କୌଣସି ଦୀର୍ଘ ଅବକାଶରେ କେତେକ ଜଣ ଏକତ୍ର ମିଳିତ ହୋଇ କୋଣାର୍କ ଦର୍ଶନରେ ବର୍ଷ ବର୍ଷ ବହିର୍ଗତ ହେବେ, ସେ ଦିନ ଓଡ଼ିଶାର ଉନ୍ନତିର ମୂଳ ପତ୍ତନ ହେଲା ବୋଲି ଜାଣିବ ।

☆☆☆

 

ସ୍ୱାର୍ଥତ୍ୟାଗ

 

ନିଷାଦରାଜ ହିରଣ୍ୟ ଧନୁର ପୁତ୍ର ଏକଲବ୍ୟ ସ୍ୱାର୍ଥ ତ୍ୟାଗର ଯେଉଁ ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖାଇ ଯାଇ ଅଛନ୍ତି, ତାହା ଜଗତର ଚିତ୍ରରେ ଅତୁଳନୀୟ । ଏକଲବ୍ୟ ଅସ୍ତ୍ରବିଦ୍ୟାପାରଂଗ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ଅସ୍ତ୍ରବିଦ୍ୟା ଶିକ୍ଷାର୍ଥ ସମୁପସ୍ଥିତ ହୋଇ ଯେତେବେଳେ ତାଙ୍କର ଶିଷତ୍ୱ ଲାଭ କରି ନ ପାରି ଅତି କ୍ଷୁବ୍ଧ ଚିତ୍ତରେ ଅରଣ୍ୟକୁ ପ୍ରସ୍ଥାନ କଲେ ଏବଂ ସେଠାରେ କାଷ୍ଠମୟ ଦ୍ରୋଣ ନିର୍ମାଣ କରି ପ୍ରଗାଢ଼ ଅଧ୍ୟବସାୟସହକାରେ ତାଙ୍କୁ “ମୋର ଗୁରୁ” ବୋଲି ଏକଚିତ୍ତରେ ଧ୍ୟାନ କରୁଥିଲେ, ସେ ଦୃଶ୍ୟ ଜଗତର ଅନ୍ୟତ୍ର କାହୁଁ ମିଳିବ । ଏହି ଘୋର ଗୁରୁବିଶ୍ୱାସରେ ସେ ଅଳ୍ପସମୟ ମଧ୍ୟରେ ସକଳ ଧନୁ ବିଦ୍ୟାରେ ମହାପାରଦର୍ଶିତା ଲାଭ କଲେ ।

 

ଏଣେ ଅସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ସହିତ ପାଣ୍ଡବମାନେ ଦିନେ ମୃଗୟାର୍ଥ ବହିର୍ଗତ ହୋଇ ଏକଲବ୍ୟଙ୍କର ତପୋବନରେ ଉପସ୍ଥିତ ହେଲେ । ସେମାନଙ୍କ ସହିତରେ ଗୋଟିଏ ଶ୍ୱାନ ଯାଇଥିଲା-। ସେହି ଶ୍ୱାନଟି ସ୍ୱଭାବଜାତ ଚିତ୍କାର କରି ଏକଲବ୍ୟର ଆଶ୍ରମ ଆଡ଼କୁ ଧାବିତ ହୁଅନ୍ତେ, ସିଦ୍ଧକାମୀ ଏକଲବ୍ୟ ଆଶ୍ରମର ଶାନ୍ତିଭଙ୍ଗର ଶଙ୍କାକରି କେତେଗୁଡ଼ିଏ ଶର ସେହି କୁକୁର ପ୍ରତି ନିକ୍ଷେପ କରି ତାହାର ମୁଖବନ୍ଧନ କରିଦେଲେ । କୁକୁର ଆଉ ଚିତ୍କାର କରି ପାରିଲା ନାହିଁ । ଅସ୍ତ୍ରନିପୁଣ ଅର୍ଜୁନ ଏହା ଦେଖି ସ୍ତମ୍ଭୀଭୂତ ହୋଇ ରହିଲେ ଏବଂ ଏବିଦ୍ୟା ସେ ଲାଭକରି ପାରିନାହାନ୍ତି ଏହା ଭାବି ମନରେ ଅତ୍ୟନ୍ତ କଷ୍ଟ ଅନୁଭବ କଲେ ଏବଂ ଇର୍ଷାପରବଶ ହୋଇ ଦ୍ରୋଣାଚାର୍ଯ୍ୟଙ୍କୁ ଏ ବିଷୟ ଜଣାଇଲେ । ଦ୍ରୋଣ ପ୍ରିୟତମ ଶିଷ୍ୟର ଏହି ବିଷର୍ଣ୍ଣ ଭାବ ଦେଖି ଏକଲବ୍ୟର ଆଶ୍ରମକୁ ଉପନୀତ ହୋଇ ସର୍ବବୃତ୍ତାନ୍ତ ଅବଗତ ହେଲେ ଏବଂ ଜାଣିଲେ ଯେ ସେ ତାଙ୍କର ପ୍ରତ୍ୟାଖ୍ୟାତ ଏକଲବ୍ୟ ।

 

ଦ୍ରୋଣ ଏକଲବ୍ୟର କୃତକାର୍ଯ୍ୟତା ଦେଖି ଗୁରୁଦକ୍ଷିଣା ମାଗିଲେ । ଗୁରୁଭକ୍ତ ଏକଲବ୍ୟ ଏହା ପ୍ରତ୍ୟାଖ୍ୟାନ କରିନପାରନ୍ତି, ତେଣୁ ଭକ୍ତି ବିନମ୍ର କଣ୍ଠରେ କହିଲେ “ଗୁରୋ” ମୁଁ କି ଦକ୍ଷିଣା ଦେଇପାରିବି ? ଦ୍ରୋଣାଚାର୍ଯ୍ୟ କହିଲେ “ତୋର ଦକ୍ଷିଣଅଙ୍ଗୁଷ୍ଠ ମୋତେ ଦକ୍ଷିଣାସ୍ୱରୂପ ପ୍ରଦାନ କର” । ଅକାତରେ ଅକୁଣ୍ଠିତ ଚିତ୍ତରେ ଭକ୍ତ ପ୍ରବୀର ଅଟଳ ବିଶ୍ୱାସୀ ଏକଲବ୍ୟ ଦକ୍ଷିଣଅଙ୍ଗୁଷ୍ଠ କର୍ତ୍ତନ କରି ଭକ୍ତିର ସହିତ ଦ୍ରୋଣଙ୍କୁ ପ୍ରଦାନ କଲେ । ଅହୋ ! କି ସ୍ୱାର୍ଥ ତ୍ୟାଗ ! ଉଃ କି ପରଶ୍ରୀକାତରତା ! କି ବିଭର୍ସପୂର୍ଣ୍ଣ ଯଶୋଲିପ୍‍ସା ! ମନୁଷ୍ୟ ତୁମେ ଦେବ ପୁଣି ତୁମେ ଦାନବ । ଅର୍ଜ୍ଜୁନ ତୁମର ଅଭିଳାଷ ପୂର୍ଣ୍ଣ ହୋଇଅଛି ତ ? ଚିରକାଳ ପାଇଁ ଏହି ଅପଯଶର ଯଶ ସଂସାରେ ରଖିଯାଇଅଛ ସିନା !

☆☆☆

 

ସରସ୍ୱତୀ ପ୍ରତି

 

ଉର ମା ଉର, ଦୀନହୀନ ଦୁଃଖି ସନ୍ତାନମାନଙ୍କର ହୃଦୟ କଣ୍ଠରେ ଉର ! ମା ! ଅନେକଦିନ ପରେ ଆଜି ତୁମ୍ଭେ ଏ ଧରାଧାମରେ ମୂର୍ତ୍ତି ପରିଗ୍ରହ କରି ଅବତୀର୍ଣ୍ଣା ହୋଇଅଛ । ହେ ବିଶ୍ୱଜନନୀ ! ଆମ୍ଭେମାନେ ତୁମ୍ଭ ଚରଣ ତଳେ ମସ୍ତକ ରଖୁଅଛୁଁ, ଆମ୍ଭମାନଙ୍କୁ ଆଶୀର୍ବାଦ କରି ସୁଃଖି କରାଅ । ଆମ୍ଭମାନଙ୍କର ହୃଦୟର କଣ୍ଠ ବାଜିଉଠୁ, ଆମ୍ଭେମାନେ ଯେପରି ଆନନ୍ଦରେ ନାଚି ଉଠୁଁ ଏବଂ ଆମ୍ଭମାନଙ୍କର ପ୍ରାଣ ଯେପରି ସୁଖରେ ଦ୍ରବୀଭୂତ ହୋଇଯାଉ ।

 

କିଏ ତୁମ୍ଭେ ମା ? କେଉଁ ରାଜାର ସ୍ନେହମୟୀ ଜନନୀ କିମ୍ବା କେଉଁ ରାଜାର ଆଦରର ଗୃହଲକ୍ଷ୍ମୀ ବା ରାଜଲକ୍ଷ୍ମୀ ? ମା ! ଆମ୍ଭେମାନେ କିଛି ଜାଣୁନା । କିନ୍ତୁ ଆମ୍ଭେମାନେ ଏତିକିରେ ସୁଖି ଯେ ତୁମ୍ଭେ ମନୁଷ୍ୟକୁ ଆଶୀର୍ବାଦ କରୁଅଛ ଏବଂ ବାଣୀରୂପେ ଓ ବିଦ୍ୟାରୂପେ କାହାର କଣ୍ଠ ଦେଶରେ ବସିଅଛ । ସେଥିପାଇଁ ବାଲ୍ମୀକି ଆଜକୁ କେତେ ସହସ୍ର ବର୍ଷ ଅତୀତ ହୋଇଗଲା ତୁମ୍ଭ କୃପାରୁ ସଂସାରକୁ ତୃପ୍ତ କରିଥିଲେ, ତାଙ୍କର ସାଧୁଶୁଦ୍ଧ ଚିତ୍ତର ସଙ୍ଗୀତ ସେଥିପାଇଁ ବିଶ୍ୱବାସୀଙ୍କୁ ଆଜି ଯାଏଁ ମୁଗ୍ଧ କରୁଅଛି ଏବଂ କେତେକାଳ ଯେ କରିବ ତାହାର ଇୟତ୍ତା ନାହିଁ ।

 

ମା ! ଆମ୍ଭେମାନେ ତୁମ୍ଭର ଏହି କେତୋଟି ସନ୍ତାନ ଏଠାରେ ଆଜି ଏକତ୍ର ସମ୍ମିଳିତ ହୋଇ କି ଏକାଗ୍ର ଚିତ୍ତରେ କି ସମବେତ ଚେଷ୍ଟାରେ ତୁମ ଦୁଆରରେ ଭିଖାରୀ ହୋଇଅଛୁଁ ତାହାକି ତୁମ୍ଭେ ଦେଖୁନାହଁ । ଅବଶ୍ୟ ଦେଖୁଅଛ, ଅବଶ୍ୟ ଆଶୀର୍ବାଦ କରିବ । ଏ ଆଶା–ଏ ମଧୁମୟୀ ଆଶା ଆମ୍ଭମାନଙ୍କର ଅଛି ବୋଲି ଆଜି ଆମ୍ଭେମାନେ ଏହି ପୂଜାର ଆୟୋଜନ କରିଅଛୁଁ । ଯଦି ତୁମ୍ଭେ ଆମ୍ଭମାନଙ୍କୁ ଛାଡ଼ି ଦୂର ଦେଶାନ୍ତରରେ ରୁହ, ତେବେ କିଏ ମା ! ଆଉ ଆମ୍ଭମାନଙ୍କ ମସ୍ତକରେ ପୁଷ୍ପଚନ୍ଦନ ବୃଷ୍ଟି କରିବ । ମା, ଆଉ କେତେକାଳ ଆମ୍ଭେମାନେ ମୂର୍ଖ, ହୀନ, ଅନଭିଜ୍ଞ ହୋଇ ପଶୁଠାରୁ ଅଧମ ହୋଇ ଏ ସଂସାରରେ ବିଚରଣ କରିବୁଁ ? ହାୟରେ କବି କି ବିଷାଦରେ ଗାଇଅଛି

 

“ଦେବୀ ବୀଣାପାଣି ! କେଉଁ ପାପଫଳେ,

କରୁଣା ତୋହର ଊଣା ଏ ଉତ୍କଳେ ?”

 

ମା, ମା, ଏ ଦୁଃଖିୀ କବିର ଏ ମର୍ମସ୍ପର୍ଶୀ ନିନାଦ ଶୁଣି ପାରିନାହଁ କି ? ଯଦି ଆମ୍ଭେମାନେ ଅଧମ ହୋଇଅଛୁଁ, ତାରିବ ଆଉ କିଏ ? ତୁମ୍ଭେ ଯେ ଏକମାତ୍ର ଅଧମତାରଣ, ଅଗତିର ଗତି ତୁମ୍ଭେ, ଜୀବର ମୁକ୍ତଦାତ୍ରୀ ତୁମ୍ଭେ, ପ୍ରାଣର ସୁଖଦାତ୍ରୀ ତୁମ୍ଭେ ଏବଂ ଆତ୍ମାର ଚିରସଙ୍ଗିନୀ ତୁମ୍ଭେ । ଦେବୀ ! ଏହି ଯେ କଳକଣ୍ଠରେ ପକ୍ଷୀ ସୁମଧୁର ଗାନ କରୁଅଛି, ସେ କାହାର ଆଶିର୍ବାଦରେ ? ଆମ୍ଭେମାନେ କି ଏତେଦୂର ହୀନ ହେଇଅଛୁଁ ଯେ ତୁମ୍ଭେ ଆମ୍ଭମାନଙ୍କୁ ସେ କଳକଣ୍ଠ ଦେଉନାହଁ ? ବାସ୍ତବିକ ଆମ୍ଭେମାନେ ନରାଧମ, କାରଣ ଆମ୍ଭେମାନେ ସଦାସର୍ବଦା ଆହାର, ଶୟନ, ବିହାର, ଇର୍ଷା, ପରଶ୍ରୀକାତରତା ଏବଂ ସ୍ୱାର୍ଥପରତାରେ ମତ୍ତ ହୋଇ ବାଗ୍‌ଦେବୀର ଚରଣପୂଜା ଭୁଲିଯାଇଁ କ୍ଷଣିକ ସୁଖ ଭୋଗ ଏବଂ ଚିରକାଳ ପାଇଁ ଅନ୍ଧକାର ବାସର ପନ୍ଥା ପରିଷ୍କାର କରିଅଛୁ ସିନା ।

 

ମା, ଆଜି ଶୁଭଦିନ ଦେଖି ଏ ମର୍ତ୍ତ୍ୟଧାମକୁ ଓହ୍ଲାଇ ଆସିଅଛି । ଆମ୍ଭମାନଙ୍କର କଅଣ ଅଛି ମା ଆମ୍ଭେମାନେ ତୁମ୍ଭକୁ ଦେବା ? କିଛି ତ ଦେଇନାହଁ ମା, ? ଯାହ ଦେଇଅଛ ତାହା ଅତି ଆଦରର ସହିତ ଆଜି ତୁମ୍ଭର ଚରଣରେ ଢାଳିଦେବାପାଇଁ କୁଣ୍ଠିତ ନୋହୁଁ ମା; କିନ୍ତୁ ମା ଆମ୍ଭମାନଙ୍କୁ କଣ ଦେଇଅଛ ? ଲେଖନୀ ନିଃସୃତ ହେଉନାହିଁ, ମୁଖରୁ ବାକ୍ୟ ସ୍ଫୁରୁ ନାହିଁ କିମ୍ବା ଚିନ୍ତାର ସ୍ଫୁର୍ତ୍ତି ହେଉନାହିଁ । ପବିତ୍ରତାର ଆଲୋକ ନାହିଁ ବୋଲି ମା ଏପରି ହେଉଅଛି ନା କଣ ? ସତ୍ୟକଥା, ଏହା ଧ୍ରୁବସତ୍ୟ । ଆମ୍ଭେମାନେ ନିତ୍ୟନ୍ତ ଅପବିତ୍ର ହୋଇଅଛୁଁ, ଏ ସଂସାରର କୁଚକ୍ରରେ ପଡ଼ି ମନୁଷ୍ୟର ବିଷ ଜ୍ୱାଳା ଭୋଗକରି ଆମ୍ଭମାନଙ୍କର ପ୍ରାଣ ଏକାବେଳେକେ ନିର୍ଜୀବ ହୋଇ ପଡ଼ି ରହିଅଛି । ଯାହା ହେଉ ଆଜି ଦୁଃଖ କରିବାର ଦିନ ନୁହେଁ । ଆଜି ମା ଆସି ଅଛନ୍ତି ବୋଲି ଚାରିଆଡ଼େ ଆନନ୍ଦର ମହୁରୀ ବାଜି ଉଠୁଅଛି ଅତଏବ ଆମ୍ଭେମାନେ ମଧ୍ୟ ସେହି ବାଦ୍ୟ ସହିତରେ ଆମ୍ଭମାନଙ୍କ ନିର୍ଜୀବ ପ୍ରାଣର ତାରକୁ ବଜାଇ ଦେବା । କିନ୍ତୁ ଯେ ପର୍ଯ୍ୟନ୍ତ ମା ! ତୁମ୍ଭର ସେହି ସ୍ୱଚ୍ଛ ଶୁଭ୍ରଜ୍ୟୋତି ଆମ୍ଭମାନଙ୍କର ଅନ୍ତରାତ୍ମାରେ ପ୍ରବେଶ ନକରି ଅଛି, ଯେ ପର୍ଯ୍ୟନ୍ତ ଆମ୍ଭମାନଙ୍କର କରକୁ ତୁମ୍ଭର ବୀଣା ସ୍ପର୍ଶ ନ କରିଛି ସେପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଶାଭରଷା ଏକାବେଳେ ବିସ୍ମୃତିଜଳରେ ନିକ୍ଷେପ କରି ବସି ରହିଥିବୁଁ । ଦୁଃଖର ସାଗରରେ ସନ୍ତରଣ କରୁଥିବୁଁ । ମା, ମା, ନିତାନ୍ତ ଏକା, ମୁଁ ଏହି ଭୀଷଣ ବାତ୍ୟାନ୍ଦୋଳିତ ଭବ ସମୁଦ୍ରରେ ନିତାନ୍ତ ଏକା, ଆସ ମା ଆସ, ଏ ଅଭାଗାକୁ ସାହାଯ୍ୟ ପ୍ରଦାନ କର । ମା ଏ ଅପବିତ୍ର ଅଧମ ସନ୍ତାନର ଅଞ୍ଜଳି ଗ୍ରହଣ କର ମା । ଅତି ଆଦରରେ ଭକ୍ତି ଧୌତ ଏହି ବାକ୍ୟପୁଷ୍ପ-ପୁଞ୍ଜ ତୁମ୍ଭରି ଚରଣ ସରୋଜରେ ଅତି ନମ୍ରତାର ସହିତ ରଖି ଦେଉଅଛି । ଗୋଡ଼ରେ ଦୂରକୁ ନିକ୍ଷେପ କରନା ମା ।

 

ଏ ଫୁଲ ତୁମ୍ଭରି ବଗିଚାର ଫୁଲ ମା । ଏହା ଆଉ କାହାରି ବଗିଚାରେ ଫୁଟେ ନାହିଁ ମା । ଏହା ମୁଁ ତୁମରି ବଗିଚାରୁ ଆଜକୁ ଷୋଡ଼ଶ ବର୍ଷାଧିକ କାଳ ସଞ୍ଚୟ କରୁଥିଲି । ଆଜି ସୁବିଧା ପାଇ ତୁମ୍ଭର ଦର୍ଶନ ଲାଭ କରି ଆଜି ଅତି ଭକ୍ତିଭରେ ସେ ସମସ୍ତ ପୁଷ୍ପଦ୍ୱାରା ପ୍ରସ୍ତୁତ ଏହି ମାଳା ତୁମ୍ଭରି ପାଇଁ ଗୁନ୍ଥି ଅଛି । ଶୁଷ୍କ ହୋଇଯାଇ ନାହିଁ–ମୁଁ ପୁଷ୍ପକୁ ସବୁବେଳେ ଜଳରେ ବୁଡ଼ାଇ ରଖିଥିଲି ଏବଂ ଭଗବାନଙ୍କୁ ଆଶୀର୍ବାଦରେ ସେହି ସମସ୍ତ ପୁଷ୍ପରାଜି ଆଜି ପର୍ଯ୍ୟନ୍ତ ନିର୍ମଳ ଏବଂ ସୌରଭଯୁକ୍ତ ରହିଅଛି । ଅତଏବ ମା ! ଗ୍ରହଣ କର ଅଭାଗାର ଅତି ଆଦରରେ ଗୁନ୍ଥା ଏହି ଫୁଲମାଳ ଗ୍ରହଣ କର ନତୁବା ଏ ଅଭାଗାର ସୁଃଖ ନାହିଁ ବା ଶାନ୍ତି ନାହିଁ ।

 

ମା, ମହାସମୁଦ୍ରରେ ପଡ଼ି ଆମ୍ଭେମାନେ ତୁମ୍ଭକୁ ଭୁଲି ରହିଅଛୁ । ତୁମ୍ଭକୁ ଚିହ୍ନିବାର ଆମ୍ଭମାନଙ୍କର ଶକ୍ତି ନାହିଁ । ଆମ୍ଭେମାନେ ଆମ୍ଭମାନଙ୍କର ମା କୁ ଭୁଲି ଯାଇଅଛୁଁ, ହାୟରେ ଆମ୍ଭମାନଙ୍କୁ ଧିକ୍ । ହେ ଭାଇମାନେ ଆସ । ଯେଉଁ ଦିନ ଚାଲି ଯାଇଅଛି ସେଥିପାଇଁ ଆଉ ବୃଥା ଭାବନା କରିବାରେ ଫଳ ନାହିଁ । ଆଜି ମାଙ୍କର ଦେଖା ପାଇଅଛୁଁ । ଆଜି ତାଙ୍କୁ ଛାଡ଼ିବୁ ନାହିଁ । ଆଜି ଆମ୍ଭମାନଙ୍କର ସର୍ବ ଦୋଷ ତାଙ୍କଠାରୁ ଭିକ୍ଷା ମାଗିନେବୁଁ । ନିଶ୍ଚୟ ସେ ସୁପ୍ରସନ୍ନା ହେବେ । ନିଶ୍ଚୟ ସେ ଆମ୍ଭ ଆଡ଼କୁ ମୁଖ ଫେରାଇ କରୁଣା ଦୃଷ୍ଟି ପକାଇବେ । ନିଶ୍ଚୟ ଏହି ଦୀନା ଓଡ଼ିଶା ପୁନର୍ବାର ବୀଣାର ଝଙ୍କାରରେ ପୂର୍ଣ୍ଣ ହୋଇଉଠିବ ।

 

ହେ ଭାଇମାନେ ! ଦେଖ ଆଜି ଆମ୍ଭମାନଙ୍କର କି ପୁଣ୍ୟର ଫଳ । ଆଜି ଆମ୍ଭେମାନେ, କେତୋଟି ପ୍ରାଣ ଏକତ୍ର ସମ୍ମିଳିତ ହୋଇ ମାଙ୍କର ଚରଣ ପୂଜାରେ ନିମଗ୍ନ ହୋଇଅଛୁଁ । ଆହା ଏ ଦୃଶ୍ୟ କେଡ଼େ ମଧୁର, କି ମନୋହର ଏବଂ ଏ ଦୃଶ୍ୟ ସ୍ୱର୍ଗରେ ମିଳିବ ନାହିଁ, ଅତଏବ ହେ ଦେବତା ବୃନ୍ଦ ! ସ୍ୱର୍ଗରୁ ଓହ୍ଲାଇ ଆସ । ଦେଖି ଯାଅ, ଆକି ଅଭାଗା ଦୀନ ହୀନ ସନ୍ତାନମାନେ ସେମାନଙ୍କର ବହୁ କାଳର ହରାଇଥିବା ମାଙ୍କ ମୁଖ ଦର୍ଶନରେ କେଡ଼େ ଆହ୍ଲାଦିତ ହୋଇଅଛନ୍ତି । ଆଜି ଆନନ୍ଦରେ ସେମାନଙ୍କର ଚକ୍ଷୁରୁ ଲୋତକ ଦୁଇ ଚଣ୍ଡ ଦେଇ ବହିଯାଉଅଛି । ହେ ଭାଇମାନେ ଆଜି ଛାଡ଼ିବା ନାହିଁ । ଆମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ଏବଂ ଆମ୍ଭମାନଙ୍କୁ ବର ଦେବା ପାଇଁ ଆଜି ମା ସ୍ୱର୍ଗରୁ ଓହ୍ଲାଇ ଆସି ଅଛନ୍ତି । ଯାହାର ଯେଉଁ ବର ଦରକାର ଏହି ସମୟରେ ମାଗି ନିଅ । କାଲି ଆଉ ଏପରି ଦିନ ଆସିବ ନାହିଁ । ଯା ମାଗିବାର ଆଜି ମାଗିନିଅ, ଯାହା ପୂଜିବାର ଆଜି ପୁଜି ନିଅ, ଯାହା ଦେଖିବାର ଆଜି ଦେଖିନିଅ, ଯାହା କାନ୍ଦିବାର ଆଜି କାନ୍ଦି ନିଅ । ଆଜି ଦିନପରି ଏ ବର୍ଷ ମଧ୍ୟରେ ଆଉ ଏପରି ଦିନ ପାଇବ ନାହିଁ । ଯେ ଆଜି ଦିନ ହରାଇବ ସେ ଅତି ମନସ୍ତାପ କରିବ । ସେ ନିତାନ୍ତ ଅଭାଗା–ତାହାର ଜୀବନ ଦୁଃଖମୟ–ତାହାର ପ୍ରାଣ ଜଡ଼ମୟ । ମା, ଏହା ଦେଖ, ଆଜି ଦୀନ ଦୁଃଖି ସମସ୍ତେ ସମସ୍ୱରରେ ଅଞ୍ଜଳିବଦ୍ଧ ହୋଇ ତୁମର ଚରଣ ତଳେ ବସି କି ମନ୍ତ୍ରୋଚ୍ଚାରଣ କରୁ ଅଛନ୍ତି । ସେମାନଙ୍କର ଗୁହାରି ଶୁଣ ମା । ଆମ୍ଭମାନଙ୍କର ଗୁହାରି ଶୁଣ ମା । କବି ଛନ୍ଦରେ ଆଜି କି ମଧୁର ଗାନ ଗାଉଛନ୍ତି । ଆଜି ପଞ୍ଚମୀର ଆକାଶ କେତେ ନିର୍ମଳ ଏବଂ ନୀରବ ଭାବରେ ହାସ୍ୟ କରୁଅଛି । ଆହା ଏପରି ଦିନ କଣ ଚିର ଦିନ ହେବ ନାହିଁ ମା ? ମା ତୁମ୍ଭର ନନ୍ଦନ କାନନ ଯେଉଁମାନେ ଦେଖିଅଛନ୍ତି, ଆହା ନଜାଣି ସେମାନେ କେଡ଼େ ସୁଖି । ହାୟରେ ଆମ୍ଭେମାନେ ଯେତେବେଳେ ଏହି ଅନିର୍ବଚନୀୟ ସୁଖ ଅନୁଭବ କରୁଅଛୁଁ, ସେମାନେ ନଜାଣିକି ଅପୂର୍ବ ସୁଖ ଅନୁଭବ କରୁଅଛନ୍ତି । ସେମାନେ ଧନ୍ୟ ଆମ୍ଭେମାନେ ହତଭାଗା । କିନ୍ତୁ ହତଭାଗାକୁ ତୁମ୍ଭେ ଚାହିଁଲେ ନିଶ୍ଚୟ ସେମାନଙ୍କର ଭାଗ୍ୟ ଫେରିଯିବ । ସେମାନେ ମଧ୍ୟ ପଞ୍ଚମରେ ତାନ ଧରି ପୃଥିବୀକୁ ମଧୁମୟ ସଂଗୀତରେ ମୁଗ୍ଧ କରିଦେବେ; ମା ଆଜି ତୁମ୍ଭର ଦତ୍ତ ଅମୃତ ପାନ କରି ଆମ୍ଭେମାନେ ଅତି ସୁଖି ହୋଇଅଛୁଁ । ତୁମର ବାଳ ଭୋଗପାଇ ଆମ୍ଭେମାନେ ତୁମ୍ଭଙ୍କୁ ମାଗୋ ବୋଲି ହୃଦୟରୁ ଆନନ୍ଦରେ ଡାକି ଅଛୁଁ ଏବଂ ବର୍ତ୍ତମାନ ସୁଦ୍ଧା ଡାକୁଅଛୁଁ ।

 

ମା ! ବର୍ତ୍ତମାନ ଏତିକି ଭିକ୍ଷା ଯେ ଆମ୍ଭମାନଙ୍କୁ ଯେପରି ସୁମତି ପ୍ରଦାନ କର । ଯେପରି ତୁମ୍ଭର ଶୁଭ୍ରତା ଆମ୍ଭମାନଙ୍କର ମନ ପ୍ରାଣକୁ ଅଧିକାର କରୁ । ଆମ୍ଭେମାନେ ଯେପରି ପଦ୍ମାସନରେ ବସି ତୁମ୍ଭ ପରି ବୀଣା ହସ୍ତରେ ଏହି ଭବସାଗରରୁ ହସି ହସି ମୁକ୍ତ ହୋଇଯାଉଁ । କରଯୋଡ଼ି ଏହି ଭିକ୍ଷା ଆଜି ଏହି କେତୋଟି ଦୀନହୀନ ଅଭାଗା ପ୍ରାଣ ଏକତ୍ର ସମବେତ ହୋଇ ମାଗୁ ଅଛନ୍ତି ।

 

(୧୩୨୦ ମାଘପଞ୍ଚମୀରେ ସରସ୍ୱତୀ ପୂଜୋପଲକ୍ଷ୍ୟରେ କଟକ ମିଶନ ସ୍କ୍କୁଲର ହିନ୍ଦୁ ଛାତ୍ରାବାସରେ ପଠିତ ।)

☆☆☆

 

କ୍ଷମାଗୁଣ

 

ଦିନେ କେତେ ଜଣ ପଣ୍ଡିତ ବ୍ରାହ୍ମଣ ବାଳବିଧବା-ବିବାହ-ପକ୍ଷପାତୀ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଉପରେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ତାଙ୍କ ପ୍ରାଣ ନାଶ କରିବା ନିମିତ୍ତ ଅସି ହସ୍ତରେ ତାଙ୍କ ଗୃହରେ ପ୍ରବେଶ କରିଥିଲେ । ବିଦ୍ୟାସାଗର ମହାଶୟ ସେମାନଙ୍କୁ ଦେଖିଲାକ୍ଷଣି ଅଭିବାଦନସୂଚକ ନିମ୍ନଲିଖିତ କତିପୟ ବାକ୍ୟ କହିଲେ । “ପ୍ରଣାମ ପଣ୍ଡିତ ମହାଶୟଗଣ, ଆପଣମାନଙ୍କର ସର୍ବବିଧି ମଙ୍ଗଳ ତ ? ଆସନ୍ତୁ, ଆସନୋପରି ଉପବେଶନ କରନ୍ତୁ । କେଉଁ ଆଡ଼େ ଆଗମନ କରିଥିଲେ” ଇତ୍ୟାଦି କୁଶଳ ପ୍ରଶ୍ନ ପଚାରି ସେମାନଙ୍କୁ ସ୍ୱହସ୍ତରେ ଯଥାଯଥ ସ୍ଥାନମାନଙ୍କରେ ଉପବିଷ୍ଟ କରାଇଲେ । ଏତଦ୍ଦର୍ଶନରେ ସେହି ଦୂରଭିସନ୍ଧିପୂର୍ଣ୍ଣ ପଣ୍ଡିତମାନଙ୍କର ମନୋମଧ୍ୟରେ ଗୋଟିଏ ଭୟଙ୍କର ପ୍ରତିକ୍ରିୟା ହେବାକୁ ଲାଗିଲା । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥିର ରହି ନପାରି ଈଶ୍ୱରଚନ୍ଦ୍ରଙ୍କ ପାଦମୂଳରେ ଅବଲୁଣ୍ଠିତ ହୋଇ କହିଲେ, “ମହାଶୟ ମୁଁ ଆପଣଙ୍କ ଶ୍ରୀଚରଣରେ କ୍ଷମାପ୍ରାର୍ଥୀ । ମୋତେ ଅଗ୍ରେ କ୍ଷମା ଦିଅନ୍ତୁ ।” ଈଶ୍ୱରଚନ୍ଦ୍ର ଏହାର କୌଣସି ଅର୍ଥ ସମ୍ୟକ୍ ସନ୍ଧାନ କରି ନ ପାରି ପଚାରିଲେ, କାହିଁକି, ଆପଣ ମୋ ସମୀପରେ କୌଣସି ଅପରାଧ କରି ନାହାନ୍ତି ତ ? ମୁଁ ଆପଣଙ୍କୁ କଅଣ କ୍ଷମା ପ୍ରଦାନ କରିବି ?” ସେଥି ଉତ୍ତାରୁ ସେ ବ୍ରାହ୍ମଣ କହିଲେ “ମହାଶୟ ଆମ୍ଭେମାନେ ଏହି କେତେ ଜଣ ବାହ୍ମଣ ଆପଣଙ୍କର ଶିରଶ୍ଚେଦନ କରିବା ନିମିତ୍ତ ଆଜି ଏକତ୍ର କୁମନ୍ତ୍ରଣା କରି ଆପଣଙ୍କ ଦ୍ୱାର ଦେଶରେ ଉପନୀତ ହୋଇଥିଲୁଁ । ଆମ୍ଭେମାନେ ବିଧବାବିବାହର ଘୋର ବିରୋଧୀ ଏହା ଆପଣ ଜାଣନ୍ତି ।” ଏହା ଶୁଣି ସୁଦ୍ଧା ଈଶ୍ୱରଚନ୍ଦ୍ର ସ୍ଥିର ହୋଇ ବସି ରହିଥିଲେ ଏବଂ ହସି ହସି କହିଲେ, “ଆଚ୍ଛା ଯା’ ହେବାର ତା’ ହୋଇଛି’’ । ସେଥିପାଇଁ କିଛି ଭାବନା କରନ୍ତୁ ନାହିଁ । ବର୍ତ୍ତମାନ ଆପଣମାନଙ୍କୁ ମୋର ଗୋଟିଏ ଅନୁରୋଧ ଏହି ଯେ ଏ ବିଷୟ କାହାରିଠାରେ ପ୍ରକାଶ କରିବେ ନାହିଁ; କାରଣ ଏହା ସରକାର ବାହାଦୂରଙ୍କ କର୍ଣ୍ଣଗୋଚର ହେଲେ ସେ ଏ ବିଷୟରେ ଯଥୋଚିତ ବିଚାର କରିବାକୁ ପଶ୍ଚାତ୍‍ପଦ ହେବେ ନାହିଁ ।” ପଣ୍ଡିତମାନେ ଏହା ଶୁଣି ସେହି ଗୁପ୍ତ ଆସି ଈଶ୍ୱରଙ୍କ ପାଦ ଦେଶରେ ସ୍ଥାପନ କରି ଅଶ୍ରୁଶାନ୍ତ ହୃଦୟରେ ଈଶ୍ୱରଙ୍କ ଆଗରେ ପ୍ରଣତ ହେଲେ ଏବଂ ଧୀର ଭାବରେ ଲୋତକ ପୂର୍ଣ୍ଣ ନୟନରେ ଈଶ୍ୱରଙ୍କ ଆଡ଼କୁ ଦୃଷ୍ଟିକ୍ଷେପ କରୁଁ କରୁଁ ଗୃହରୁ ବହିର୍ଗତ ହେଲେ । ଈଶ୍ୱରଙ୍କ ଏହି ପରି କ୍ଷମା ଗୁଣ ଦେଖି ସେମାନେ ନିଜ ନିଜ ପ୍ରାଣରେ ଅତି ବ୍ୟଥା ଅନୁଭବ କରିଥିଲେ ଏବଂ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ । କିଏ ବା ନ ହେବ ? କ୍ଷମା ଗୁଣର କି ଅଲୌକିକ କ୍ଷମତା ?

☆☆☆

 

ଅନ୍ତର୍ବିବାହ

 

ଓଡ଼ିଆ ଜାତି ଆଜି ପୃଥିବୀରୁ ଲୋପ ପାଇବାକୁ ବସିଲାଣି । ତେବେ ବି ସୁଦ୍ଧା କାହାରି ମୋହ ନିଦ୍ରା ଭାଙ୍ଗୁ ନାହିଁ । ଓଡ଼ିଆ ଜାତିର ଆଜି ଏପରି ହୀନାବସ୍ଥା ହେବାର ପ୍ରଧାନତଃ ୩ଟି କାରଣ ।

 

ପ୍ରଥମତଃ ଶିକ୍ଷାର ଅଭାବ । ଓଡ଼ିଆମାନେ ଜାତି ଟାଣ ଛାଡ଼ି ଲେଖା ପଢ଼ା ଶିଖିବାକୁ ଏକାନ୍ତ ଅନିଚ୍ଛୁକ । ସେ ଦିନ ଗୋଟିଏ ଓଡ଼ିଆ ଭାଇ ମୋତେ ପଚାରିଲା, “ଆପଣ Engineering କଲେଜରେ ପଢ଼ନ୍ତି ପରା ? ଶୁଣିଛି ସେଠାରେ ବଢ଼େଇ କାମ, ଲୁହା କାମ ଏପରି କି ଜୁତାକାମ ମଧ୍ୟ କରିବାକୁ ହୁଏ । ଖବରଦାର ଅର୍ଥ ଲୋଭରେ ନିଜରେ ଜାତି ହରାଇ ବସିବ ନାହିଁ । ଖବରଦାର କେତେବେଳେ ଜୁତାକାମ କରିବ ନାହିଁ । ଗୁଡ଼ିଆ ହୋଇ ମୁଚିକାମ କରିବ ନାହିଁ । ସେ ପଇସା ମୁହଁରେ ମୁତି ଦିଏଁ ।” ସେ ଓଡ଼ିଆ ଭାଇଟି ନିଜେ ଜାତିରେ ଚଷା ଆଉ ସେ ମାଳିକାମ କରେଁ । କେଡ଼େ ଜାତି ଟାଣ !

 

ଦ୍ୱିତୀୟତଃ–ଏହି ଜାତି ଟାଣ ଯୋଗୁଁ ଅସଂଶ୍ଳିଷ୍ଟତା ଏବଂ ସଂକୀର୍ଣ୍ଣତା ସମାଜ ମଧ୍ୟରେ ପ୍ରବେଶ କରି ଘୋରତର ଅନିଷ୍ଟ ସମ୍ପାଦନ କରୁଅଛି । ଏଡ଼େ ଜାତି ଟାଣ ଯେ ଏକ ଗୋଡ଼ିଆ ଜାତି ମଧ୍ୟରେ ପୁଣି ଶତ ଶତ ଉପଜାତି ଟାଣ (କିମ୍ବା ପ୍ରଜାତିଟାଣ ଠିକ୍ କରି କହି ପାରିଲି ନାହିଁ) ହୋଇଅଛି-। ବାଲେଶ୍ୱରବାସୀ ଗୋଟିଏ ଗୋଡ଼ିଆ କଟକବାସୀ ଗୋଟିଏ ଗୋଡ଼ିଆ ସହିତରେ ବିବାହ କରିବ ନାହିଁ–କରିବ ନାହିଁ କାହିଁକି କହୁଅଛି ? ସମାଜର କଠୋର ନିୟମ ଏପରି ଯେ ସେ ବିବାହ କରି ପାରିବ ନାହିଁ । ସେହିପରି କଟକର ଗୋଡ଼ିଆ ଗଞ୍ଜାମର ଗୋଟିଏ ଗୋଡ଼ିଆ ସହିତରେ କିମ୍ବା ମେଦିନୀପୁରର ଗୋଟିଏ ଗୋଡ଼ିଆ ସହିତରେ ବିବାହ ସୂତ୍ରରେ ଆବଦ୍ଧ ହୋଇ ପାରିବ ନାହିଁ । ସେ ତ ଅତି ଦୂରର କଥା । ଆହୁରି ଦେଖନ୍ତୁ । ବାଲେଶ୍ୱର ସହର ଗୋଡ଼ିଆ ଭାଇ ଅଲଗା; ବାଲେଶ୍ୱର ମଫସଲ ଗୋଡ଼ିଆ ଭାଇ ଅଲଗା । ନୀଳଗିରି ଏବଂ ବାଲେଶ୍ୱର କ୍ରୋ ୬ ଶ ରାସ୍ତାର ବ୍ୟବଧାନ । କିନ୍ତୁ ଏମାନଙ୍କର ସମଜାତି ମଧ୍ୟରେ ଜାତିର ବ୍ୟବଧାନ କ୍ରୋ ୬୦ ଶ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଏହିପରି ଜାତିର କୁଟାଣ ଯୋଗୁଁ ଦେଶର ଅବସ୍ଥା ପ୍ରତି ସମସ୍ତେ ବିମୁଖ ହୋଇଅଛନ୍ତି; କାରଣ ଏହାଦ୍ୱାରା ଦେଶବାସୀମାନଙ୍କ ମଧ୍ୟରେ ଗୋଟିଏ ଐକ୍ୟ ଭାବ ରହିପାରୁ ନାହିଁ । ଜଣେ ପୁରୀର ଲୋକ କିମ୍ବା କଟକର ଲୋକ ବାଲେଶ୍ୱରକୁ ଗଲେ, ବାଲେଶ୍ୱରର ଲୋକ ତାକୁ “ଦେଖୁଣା” ବୋଲି ଘୃଣା କରିଥାଏ ।

 

ଏହାଇ ଅସଂଶ୍ଳିଷ୍ଟ ଭାବର ଜ୍ୱଳନ୍ତ ପ୍ରମାଣ । ଆଉ କଅଣ ଚାହାନ୍ତି ?

 

ତୃତୀୟତଃ–ଏପରି କ୍ଷୁଦ୍ର କ୍ଷୁଦ୍ର ମଣ୍ଡଳୀରେ ବିଭକ୍ତ ହୋଇ ସେମାନଙ୍କ ନିଜ ନିଜ ଗଣ୍ଡୀ ମଧ୍ୟରେ ପରିଣୟ କାର୍ଯ୍ୟ ସମ୍ପାଦନ କରିବା ଯୋଗୁଁ ଲୋକେ ହୀନବୀର୍ଯ୍ୟ ହୋଇ ପଡ଼ୁଅଛନ୍ତି । କେତେବର୍ଷ ଧରି ଏହିପରି ହୀନବୀର୍ଯ୍ୟ ହେଉଁ ହେଉଁ ଆଜି ସେମାନେ ହୀନତାର ଚରମ ସୀମାରେ ଆସି ଉପନୀତ ହେଲେଣି ।

 

ପୃଥିବୀର ଇତିହାସର ପୃଷ୍ଠା ଉଦ୍‍ଘାଟନ କରି ଦେଖିଲେ ଏବଂ ଟିକିଏ ଅନୁଧ୍ୟାନ କଲେ ଆମ୍ଭେମାନେ ସ୍ପଷ୍ଟ ଦେଖି ପାରିବୁଁ ଯେ ଏହିପରି କ୍ଷୁଦ୍ର ସୀମାରେ ଲୋକେ ଆପଣାକୁ ବଦ୍ଧ କରୁଁ କରୁଁ ଏକାବେଳକେ ସଂସାରରୁ ଲୋପ ପାଇଅଛନ୍ତି । ମୋର ଭୟ ହେଉଅଛି, କେଜାଣି, ଏହିପରି ଆମେ ଏହି ମଲା ଓଡ଼ିଆ ଜାତିଟା ଆଉ କିଛିକାଳ ପରେ ପୃଥିବୀ ପୃଷ୍ଠରୁ ଏକାବେଳକେ ଲୋପ ପାଇଯିବା ।

 

ବର୍ତ୍ତମାନ ଉପାୟ ଚିନ୍ତା କରାଯାଉ । ଆଚ୍ଛା, ଭାଇମାନେ, ଦେଖନ୍ତୁ ଆମ୍ଭେମାନେ ଯେ କେତେଜଣ ଇଂରାଜୀପଢ଼ୁଆ ଲୋକ ଅଛୁଁ, ମୋର ବିଶ୍ୱାସ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ମନୋଭାବ ଟିକିଏ ବର୍ତ୍ତମାନ ଯୁଗର ଭାବାନୁଯାୟୀ ଏବଂ ତଦ୍‍ଭାବ ପକ୍ଷପାତୀ । ହେବାର ତ କଥା, ଯେ ଯାହା କହୁ, ଆମର ଟିକିଏ ହେଲେ ଆଖି ଫିଟିଅଛି ।

 

ଆମ୍ଭେମାନେ ଇଚ୍ଛାକଲେ ଏବଂ ଚେଷ୍ଟାକଲେ ଅବଶ୍ୟ କିଛି ହେଲେ ସୁଫଳ ଦିଶିପାରେ-। ମୁଁ ଗୋଡ଼ିଆ; ମୁଁ ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର ଏବଂ ମେଦିନୀପୁରର ଗୋଡ଼ିଆମାନଙ୍କୁ ଏକସୂତ୍ରରେ ଆବଦ୍ଧ କରିବାକୁ ଚେଷ୍ଟା କରେ । ଆପଣ ତନ୍ତୁବାୟ; ଆପଣ ସେହିପରି ବିଭିନ୍ନ ପ୍ରଦେଶର ତନ୍ତୁବାୟମାନଙ୍କୁ ଏକଗୋଷ୍ଠୀ କରିବା ପାଇଁ ଯତ୍ନପର ହେଉନ୍ତୁ । କିଛିହେଲେ ସୁଫଳ ଘଟିବ ନାହିଁ କି ? ଏହି ତ ଉପାୟ; ଆଉ ତେବେ ଭାବନା କଅଣ ? ବର୍ତ୍ତମାନ ତୁମର ଉଦ୍ୟମ ଏବଂ ନିଃସ୍ୱାର୍ଥତାର ପ୍ରୟୋଜନ ।

 

ଏହି ଉପାୟ ତ ଅତି ସଂକୀର୍ଣ୍ଣ । କିନ୍ତୁ ଆହୁରି ଟିକିଏ ପ୍ରଶସ୍ତ ଉପାୟ ଅବଲମ୍ବନ କରିବା ଆମ୍ଭମାନଙ୍କର ଦରକାର । ଆମେମାନେ ଓଡ଼ିଆ–ଅଧଃପତିତ ଜାତି । ଯଦି ଆମ୍ଭେମାନେ ଆମଠାରୁ ଯେଉଁମାନେ ଉନ୍ନତ ଅବସ୍ଥାରେ ଉଠିଅଛନ୍ତି ସେମାନଙ୍କ ସହିତରେ ମିଶି ପାରୁଁ ତାହାହେଲେ ଆମ୍ଭମାନଙ୍କର ଆଚାର ବ୍ୟବହାର, ଗତି ବିଧି ବିଦ୍ୟା ବୁଦ୍ଧି ସବୁ ଫେରିଯିବ । ଆମ୍ଭେମାନେ ମଧ୍ୟ ଧୀରେ ଧୀରେ ଉନ୍ନତ ସୋପାନକୁ ଆରୋହଣ କରିବାକୁ ବସିବୁଁ । ଏଥିପାଇଁ ମିଶ୍ରଣ ଦରକାର । କିନ୍ତୁ କିପରି ମିଶ୍ରଣ ହେବା ବାଞ୍ଛନୀୟ ? ଯେଉଁ ମିଶ୍ରଣରେ ରକ୍ତର ମିଶ୍ରଣ ହେବ, ଯେଉଁ ମିଶ୍ରଣରେ ଆମର ଜାତିର ଲୋକସଂଖ୍ୟା ବର୍ଦ୍ଧିତ ହୋଇପାରିବ, ଯେଉଁ ମିଶ୍ରଣରେ ଆମ୍ଭେମାନେ ଗୋଟିଏ ମହାଜାତି ବୋଲି ପୃଥିବୀ ସମ୍ମୁଖରେ ନିର୍ଭୀକଭାବରେ ଦଣ୍ଡାୟମାନ ହୋଇପାରିବୁ ସେହି ମିଶ୍ରଣର ଦରକାର । ସେହି ମିଶ୍ରଣ ହେଉଅଛ ବିବାହସମ୍ବନ୍ଧ । ଗୋଟିଏ ଉଦାହରଣଦ୍ୱାରା ବୁଝାଇବାକୁ ଚେଷ୍ଟା କରେଁ । ଏହି ଦେଖନ୍ତୁ ଓଡ଼ିଆ ଗୋଡ଼ିଆମାନଙ୍କ ମଧ୍ୟରେ ଶିକ୍ଷିତ ସଂଖ୍ୟା ଅତି–ଅତି ଅଳ୍ପ । ଯାହାହେଉ, ଯେତିକି ଅଛି, ସେମାନେ ଯଦି ଅଧିକତର ବଙ୍ଗାଳୀ ଶିକ୍ଷିତ ଗୋଡ଼ିଆମାନଙ୍କ ସହିତରେ ବିବାହସୂତ୍ରରେ ମିଶିବାକୁ ଚେଷ୍ଟା କରନ୍ତି ତାହାହେଲେ ଗୋଡ଼ିଆ ଜାତିଟାର ପ୍ରାଣ ଟିକିଏ ବଞ୍ଚି ଉଠିବ, ଟିକିଏ ସବଳ ହେବ ଏବଂ ନିନ୍ଦା, ଘୃଣା ହସ୍ତରୁ ଟିକିଏ ନିଷ୍କୃତି ଲାଭ କରିବ । ସେହିପରି ଓଡ଼ିଆ ଅଶିକ୍ଷିତ କିମ୍ବା ଅର୍ଦ୍ଧଶିକ୍ଷିତ ତନ୍ତୁବାୟ ଜାତିଟା ଯଦି ବଙ୍ଗଳାର ତନ୍ତୁବାୟ ଜାତି ସହିତରେ ମିଳିବାକୁ ଚେଷ୍ଟା କରନ୍ତି ଏବଂ ମିଳିତ ହୁଅନ୍ତି ତାହାହେଲେ ଅବଶ୍ୟ ସେ ଜାତିର ପ୍ରାଣଟା ଟିକିଏ ସବଳ ହେବ ଏବଂ ସେ ସମାଜରୁ ଲୋକମାନଙ୍କର ହୃଦୟରେ ଜାତୀୟତା ଭାବ ଟିକିଏ ଜାଗି ଉଠିବ । ଏହାକୁଇ ମୁଁ intermarriage କହେଁ । ମୁଁ କହେଁ ନା ଯେ ଗୋଡ଼ିଆ, ଗଉଡ଼, ମହାନ୍ତି, ଚଷା “ସର୍ବେ ହେବେ ଏକାକାର, ନ କରି ଜାତି ବିଚାର” । ସେ ଭାବର ମୁଁ ପୃଷ୍ଠପୋଷକ ନୁହେଁ । ଯେତେବେଳେ ସେପରି ଅବସ୍ଥା ଆସିବ ସେତେବେଳେ ଦେଖାଯିବ । ବର୍ତ୍ତମାନ ସମୟରେ ଶେଷୋକ୍ତ ଉପାୟ ବିଶେଷ କାର୍ଯ୍ୟକର ହୋଇପାରିବ ନାହିଁ ବୋଲି ମୋର ବିଶ୍ୱାସ । ଅବଶ୍ୟ ଯେଉଁମାନଙ୍କୁ ଶେଷୋକ୍ତ ଉପାୟଟି ଅଧିକତର ଫଳପ୍ରଦ ବୋଲି ବୋଧ ହେଉଅଛି ସେମାନେ ସେହି ଉପାୟଦ୍ୱାରା ଚେଷ୍ଟା କରନ୍ତୁ–କର୍ମରେ ଅଗ୍ରସର ହେଉନ୍ତୁ । କିନ୍ତୁ ଦୁଃଖର ବିଷୟ ଏହି ଯେ କେହି କିଛି ଚେଷ୍ଟା କରୁ ନାହାନ୍ତି ।

☆☆☆

 

ଆବୃତ୍ତି ଓ ସାନ୍ତ୍ୱନା

 

ଭଗିନୀ ଲୋ–ତୋତେ କେତେଥର ଦେଖିଅଛି, ତୋ କଥା କେତେ ଭାଳିଅଛି, ତୋ ଚିନ୍ତା କେତେକ ପରିମାଣରେ ମୋର ପ୍ରାଣକୁ ପରିସ୍ପର୍ଶ କରିଅଛି, ତୋତେ ଦେଖିବା ପାଇଁ ଅନେକ ସମୟରେ ଟିକିଏ ଚଞ୍ଚଳ ମଧ୍ୟ ହୋଇ ଅଛି, ତୋର ବାଣୀ, ତୋର ବୀଣା, ମୋ କର୍ଣ୍ଣରେ ଅନେକ ଥର, ନା, ନା, ପ୍ରତ୍ୟେକ ଥର ମଧୁର ଲାଗିଅଛି, ତୋର ବିଳାସ ଭ୍ରମଣ ଦେଖି ମୁଁ କେତେଥର ମଧୁମୟ ଶରୀର କମ୍ପନ ଅନୁଭବ କରିଅଛି, ତୋ ସହିତରେ ବାରେ ମାତ୍ର ଜଡ଼ିତ ହେବା ପାଇଁ ମନରେ କେତେ ତର୍କ ଉଠାଇ ଅଛି, ତୋ ଚିତ୍ର ନୟନରେ ପ୍ରତିଫଳିତ ହୋଇ ମୋତେ କେତେଥର ଆଶାମୁଗ୍ଧ କରିଅଛି, ତୋର ଚରଣ ଚଳନ ଦେଖି ମୁଁ କେତେଥର ପ୍ରୀତିଲାଭ କରିଅଛି, ତୋର ଅପୂର୍ଣ୍ଣ ଆଶା କଥା ଭାବି ମୁଁ ମନରେ କେତେ ଦୁଃଖ ଅନୁଭବ କରିଅଛି, ତୋର ସୁମତି ପାଇଁ ମୁଁ କେତେ ଧ୍ୟାନ ଧାରଣା କରିଅଛି, ତୋର କରସ୍ପର୍ଶ କରି ଧନ୍ୟ ହେବା ପାଇଁ ପ୍ରାଣ କେତେଥର ବ୍ୟାକୁଳ ହୋଇଅଛି ; ତୋର ପାପପଥରେ ନିଜ ଦେହକୁ ଅକାଳରେ ଢାଳିଦେବା କଥା ଶୁଣି ନିର୍ଜ୍ଜନରେ କେତେ ଭାବିଅଛି; ସମୟ ସମୟରେ କେତେ କାନ୍ଦିଅଛି ; ତୋ ପାଇଁ ମା, ଦାଦା ଇତ୍ୟାଦିମାନେ ବ୍ୟସ୍ତ ଏବଂ ଦୁଃଖିତ ହେବାର ଦେଖି କେତେ ମର୍ମ୍ମ ଭେଦୀ ଯାତନା ଅନୁଭବ କରିଅଛି; ତୋର ଆଚାର ବ୍ୟବହାରରେ ମୁଗ୍ଧ ଏବଂ ଲୁବ୍ଧ ହୋଇଅଛି ତୋର ପିପାସା ଦୂର କରିବା ପାଇଁ ଏ ଚିତ୍ତ କେତେଥର ବିଚଳିତ ହୋଇଅଛି; ତୋର ରୂପର କମନୀୟତାରେ କେତେ ସୁଖ ଲାଭ କରିଅଛି; ତୋ ପାଖରେ ବସି, ତୋ କଥା ଶୁଣିବାକୁ କେତେ ଆଗ୍ରହ ହୋଇଅଛି; ତୋର ନୟନ ଭଙ୍ଗିମାରେ ମୋର ଚିତ୍ତଚକୋର କେତେଥର ଅପର୍ଯ୍ୟାପ୍ତ ଭାବେ ଆପ୍ୟାୟିତ ହୋଇଅଛି; ତୋର ଜୀବନକୁ ସ୍ପର୍ଶ କରିବା ପାଇଁ କେତେଥର ଅସ୍ଥିର ତପସ୍ୟା କରିଅଛି; ତୋର ମୂର୍ତ୍ତି କେତେବେଳେ ଆଲୋକ, କେତେବେଳେ ଅବା ଛାୟାରୂପେ ମୋଠାରେ ପ୍ରତିଭାତ ହୋଇଅଛି; ତୋର ଗତିବିଧି ଦେଖି ଏ ସଂସାରର ଅସାର ଲୀଳା, ଖେଳା ମନୋମଧ୍ୟରେ କେତେଥର ଜାଗରୂକ ହୋଇଅଛି; ତୋର ମନ ତୋଷ ପାଇଁ ତୋର ସଖା ହେବା ପାଇଁ କେତେଥର ମନ ବଳାଇଅଛି; ତୋର ସଙ୍ଗିନୀ ହୋଇ ଗରବିନୀ ହେବାକୁ କେତେଥର ମଧୁର ଆଶା ଅନ୍ତରରେ ପୋଷଣ କରିଅଛି; ତୋର ମାଧୁରୀମା, ତୋର ଗରିମା, ତୋର ସମ୍ଭାଷଣ ଦେଖି ନିଜକୁ କେତେଥର ଅତି ତୁଚ୍ଛ, ଅତି ହୀନ ବୋଲି ମନେ କରିଅଛି, ତୋର ଶୁଭ୍ରଅଙ୍ଗରେ କଳୁଷିତ ହସ୍ତାରୋପ ଦେଖି କେତେ କ୍ରୁଦ୍ଧ ହୋଇଅଛି, କେତେ ଅଶ୍ରୁ ବିସର୍ଜନ କରିଅଛି । ଭଗିନୀ ଲୋ ଏ ସବୁ ତୁ ତିଳେ ହେଲେ ଭାବୁ ନାହିଁ କି ? ଭଗିନୀ ଲୋ ! ଶୁଭ୍ରମନ ପୋଷଣ କର, ସମସ୍ତଙ୍କୁ ସ୍ନେହ, ଦୟା, ପ୍ରେମ, ପ୍ରୀତି ଦିଅ; କିନ୍ତୁ କାମନାର ବଶବର୍ତ୍ତୀ ହୁଅନା । ଶିକ୍ଷା ଦୀକ୍ଷାର କି କିଛି ଫଳ ନାହିଁ ? ଦୟାମୟ ବିଶ୍ୱବିଧାତା ଆମ୍ଭମାନଙ୍କର ସର୍ବ କର୍ମ ଦେଖୁ ଅଛନ୍ତି, ସେ ସବୁକର୍ମ୍ମ ନିମିତ୍ତ ଆମ୍ଭମାନଙ୍କୁ ଦାୟୀ ହେବାକୁ ହେବ, ତାହାର ଫଳ ଭୋଗ କରିବାକୁ ହେବ । ଭଗିନୀ ! ତୋର ଏହି ଶୁଭ୍ର ସ୍ୱଚ୍ଛ ଅଙ୍ଗରେ ମଳିନତା, ଆବିଳତା ବିରାଜମାନ କରିବ ଏହା କି ମୋର ସହ୍ୟ ହୋଇପାରେ ? ଭଗିନୀ ! ଚାଲୁଁ ଚାଲୁଁ ଅନେକ ସମୟରେ ପଦସ୍ଖଳନ ହୋଇଥାଏ । ମୋର ମଧ୍ୟ ଅନେକଥର ହୋଇଅଛି । କିନ୍ତୁ ଗତସ୍ୟ ଶୋଚନା ନାସ୍ତି” ଏ ପଥର ପଥିକ ହୋଇ ଧର୍ମ୍ୟ ମାର୍ଗରେ ରହି ସୁଖୀ ହୋଇ ରହ । ଭଗିନୀ ! ମୁ ତୋତେ ଶୀର୍ଣବସନା, ବିଷର୍ଣ୍ଣା, ଗୈରିକ ବାସ ପରିହିତା ଦେଖିବାକୁ ମଧ୍ୟ କେବେହେଁ ଇଚ୍ଛା କରେଁ ନା । ତୁ ଶୁଭ୍ର, ସ୍ୱଚ୍ଛ, ପ୍ରେମଭରା, ପୁଣ୍ୟ ଭରା ହୁଅ । ଏହି ଭିକ୍ଷା ତୋଠାରେ ଏବଂ ପରମପିତା ସର୍ବଦ୍ରଷ୍ଟା ଭଗବାନଙ୍କଠାରେ ଚିରକାଳ ପ୍ରାର୍ଥନା କରୁଅଛି । ଭଗିନୀ ଲୋ ! ମୋତେ ଭୁଲିବୁ ନାହିଁ । ମୁଁ ତୋର ଚିନ୍ତାରେ ଜୀବିତ ଅଛି । ତୋ ଚିନ୍ତାବିନା ଏ ପ୍ରାଣ ଶୂନ୍ୟଗର୍ଭ । ଇତି ।

☆☆☆

 

ଜନୈକବନ୍ଧୁ ପ୍ରତି

 

ବନ୍ଧୋ ! ତବ ପତ୍ର ପାଠରେ ସର୍ବାଙ୍ଗ ମୋର ଶିହରି ଉଠିଲା । ଏତେ ଦିନର ସାଧନା, ଏତେକାଳର ସଂଯମ ଏତେ କାଳର କାମନା ଦମନ, ନିମେଷ ମଧ୍ୟରେ ତୁଟି ଗଲା ! ବାସ୍ତବିକ ମନୁଷ୍ୟର ଅସାଧ୍ୟ ଶକ୍ତି ରମଣୀର ଯୌବନରେ ଏବଂ ଶ୍ରୀରେ । ତୁମେ ଯେଉଁ ବାଳିକାକୁ ଏକ ସମୟରେ ଏତେ ଅନୁରାଗ ଦେଖାଉଥିଲ, ପୁଣି ଯାହାର ଯୌବନ ଚଞ୍ଚଳତା ଶତବାର ଦେଖି, ତାକୁ ଏତେ ଘୃଣା କରୁଥିଲ, ସେହି ବାଳିକା ଦେଖି ପୁଣି ପାପର ଗର୍ଭରେ ପତିତ ହେବାକୁ ମନ ବଳାଇଲ-। ବିଚିତ୍ର ମାନବର ମନ ! ବିଚିତ୍ର ରମଣୀର ଅପର୍ଯ୍ୟାପ୍ତ ପିପାସା ! ବନ୍ଧୋ, ମନୁଷ୍ୟ ମାତ୍ରକେ କି ଏହି ପ୍ରକାରେ କେତେବେଳେ ନା କେତେବେଳେ ବୋଧହୁଏ, ପାପଗର୍ଭରେ ଆଶ୍ରୟ ନିଅନ୍ତି-। ଏପରି ଅବସ୍ଥାରେ, ତୁମର ପ୍ରାଣ ପ୍ରତିମା ଯଦି ତୁମପରି ଅସତୀ ହୋଇଥାଏ ତାହାହେଲେ ତାକୁ କିପରି ଘୃଣା କରିବ ? ଆଉ ଯେଉଁ ବାଳିକାର ଆକର୍ଷଣର ଦାସ ହୋଇଥିଲ ତାହାର ବା କେଉଁ ଦୋଷ ଯେ ତାକୁ ଘୃଣା କରିବ ? ତୁମେ ପୁରୁଷ ହୋଇ, ସ୍ଥିର ଚେତା, ସ୍ଥିର ବୁଦ୍ଧି, ବଜ୍ର ଦୃଢ଼ ହୋଇ ସୁଦ୍ଧା ଟଳଟଳାୟମାନ ହେଉଅଛ, ଆଉ ସେ ତ ବାଳିକା, ଚପଳା, ଚଞ୍ଚଳ । ସେଥିରେ ପୁଣି ସରଳା-। ଅତଏବ ଘୃଣାକର ନା କାହାକୁ । ମୋ ଜୀବନରେ ଏପରି ଘଟଣା ଘଟିଅଛି; ପୁଣି ପ୍ରତି ମୁହୂର୍ତ୍ତରେ ମୁଁ ଜଣେ କାମୁକ ଏ କଥା ତୁମକୁ କେତେ ଥର କହିଅଛି । ଆଜି ତୁମର ହୃଦୟର ବ୍ୟଥିତ ତରଙ୍ଗ ମୋତେ ଜଣାଇଥିବାରୁ ମୁଁ ତୁମକୁ ଧନ୍ୟବାଦ ଦେଉଅଛି । ବନ୍ଧୋ ! ପାପର ପ୍ରବଳ ବେଗ ସମ୍ମୁଖରେ ଛିଡ଼ାହୋଇ ରୁଦ୍ଧ କରିବା ମହାବୀର ମହାତପସ୍ୱୀ ଲୋକର କାର୍ଯ୍ୟ । ଏହା ତୁମ ଆମର କାର୍ଯ୍ୟ ନୁହେଁ । ଏଣୁ କରି ପାପଠାରୁ ଯେତେ ଦୂରରେ ରହିବୁଁ, ସେତେ ମଙ୍ଗଳ । ବନ୍ଧୋ ! ଗତସ୍ୟ ଶୋଚନା ନାସ୍ତି ।” ବର୍ତ୍ତମାନ ଈଶ୍ୱରଙ୍କୁ ବିନୀତ ପ୍ରାର୍ଥନା ଜଣାଅ ଯେପରି କି ସେ ତୁମକୁ ସର୍ବଦା ପାପର ଆପାତମନୋହର ବିଷପୂର୍ଣ୍ଣ ମୂର୍ତ୍ତିଠାରୁ ଦୂରରେ ରଖନ୍ତି । ଆଉ ମଧ୍ୟ ପ୍ରାର୍ଥନା କର ଯେପରି ସେହି ଚଞ୍ଚଳା କାମାତୁର ବାଳିକାଟିର ସଦବୁଦ୍ଧି ହେଉ, ସୁଖରେ ସଂସାର କରୁ ଏବଂ ପତିପ୍ରାଣା ଏବଂ ପତିପ୍ରିୟା ହେଉ । ହାୟ ! କେଉଁ ମୂର୍ଖ ବାଲ୍ୟ ବିଧବା ବିବାହ ଉଠାଇ ଦେବାକୁ ଚାହେଁ-। ସମାଜରେ ମଙ୍ଗଳ ତଡ଼ାଇ ଦେଇ କେଉଁ ହତଭାଗା ଯୁକ୍ତି ବଳରେ କୂଟ ତର୍କ ସାହାଯ୍ୟରେ ସ୍ୱଭାବ ବିରୁଦ୍ଧ ପୁଷ୍ପିତାପର ଦ୍ୱିତୀୟ ସ୍ୱାମୀ ହେଉ, ବୟସ୍କାବିଧବାର ଇଚ୍ଛାହେଲେ ଅନ୍ୟ ସ୍ୱାମୀ ଗ୍ରହଣ କରୁ-। ତାହାହେଲେ ସମାଜରେ ପାପର ସ୍ରୋତ ବଳବତ୍ତର ହେବ ନାହିଁ । ପାପର ଅନ୍ତଃସ୍ରୋତ ପରିବର୍ତ୍ତେ ପୁଣ୍ୟର ଖରତର ସ୍ରୋତ ସମାଜକୁ ପ୍ଲାବିତ କରିବ । ବନ୍ଧୋ ! ସମସ୍ତଙ୍କର ସୁମତି ପାଇଁ ଭଗବାନଙ୍କଠାରେ ସଦା ପ୍ରାର୍ଥନା କର । ପାପୀ ତାପୀ ଦେଖିଲେ ମୁଁ ଭକ୍ତି କରି ଥାଏଁ-। ସେମାନେ ମୋର ଦେବତା ।

☆☆☆

 

ଆତ୍ମକର୍ତ୍ତବ୍ୟ

 

ଏ ଭବଧାମରେ ମୁଁ ଯେ ଅବତୀର୍ଣ୍ଣ ହୋଇଅଛି ତାହାର କୌଣସି ଗୋଟିଏ ନିଗୂଢ଼ ଉଦ୍ଦେଶ୍ୟ ରହିଅଛି । ତାହା ମୁଁ ଅର୍ଦ୍ଧଆଲୋକ ଏବଂ ଅର୍ଦ୍ଧଛାୟା ପ୍ରାୟ ଜାଣେ କିନ୍ତୁ ସେହି ଜ୍ୟୋତିର୍ମୟ ବିଶ୍ୱକର୍ମା ଯେ କି ଏହି ନକ୍ଷତ୍ର ଖଚିକ ଅନନ୍ତ ଆକାଶ ଏବଂ ମନୁଷ୍ୟ ବାସୋପଯୋଗୀ ଏହି ନକ୍ଷତ୍ର ଖଚିତ ଅନନ୍ତ ଆକାଶ ଏବଂ ମନୁଷ୍ୟ ବାସୋପଯୋଗୀ ଏହି ଧରିତ୍ରୀକୁ ନିର୍ମାଣ କରିଅଛନ୍ତି, ସେହି ଭୁମା ପୁରୁଷ ଏହା ସମ୍ପୂର୍ଣ୍ଣ ଭାବରେ ଜ୍ଞାତ । ବାସ୍ତବିକ ଆମ୍ଭେମାନେ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ପାଇଁ କେବଳ ଏହି ସଂସାରରେ ଜନ୍ମ ପରିଗ୍ରହ କରିଅଛୁ । ସେହି ତାଙ୍କର ଉଦ୍ଦେଶ୍ୟ ସଂସାଧନ କରିବାକୁ ହିଁ ପ୍ରତ୍ୟେକ ମନୁଷ୍ୟର ଆତ୍ମ କର୍ତ୍ତବ୍ୟ ବୋଲା ଯାଏ । ତାଙ୍କର ଉଦ୍ଦେଶ୍ୟ କଅଣ ? ଆହାର ବିହାର ଭୟ ମୈଥୁନରେ ଏହି ଦୁର୍ଲ୍ଲଭ ଅଳ୍ପକ୍ଷଣ ସ୍ଥାୟୀ ମାନବ ଜୀବନକୁ ଧ୍ୱଂସ କରା କି କେବେହେଁ ପରମଦେବତା ପରମେଶ୍ୱରଙ୍କର ସାଧୁ ଉଦ୍ଦେଶ୍ୟ ହୋଇପାରେ ? ଏହା ନିର୍ଭୀକ ହୃଦୟରେ କିଏ କହି ପାରେ ?

 

ସେହି ତାଙ୍କର ଉଦ୍ଦେଶ୍ୟ ସାଧନ କରିବା କେବଳ, ମୋର କର୍ତ୍ତବ୍ୟ କାର୍ଯ୍ୟ । ମୋର ଏ ସଂସାରରେ କଅଣ କରିବାକୁ ଅଛି ?

 

ମୋତେ ଶିକ୍ଷିତ, ବୁଦ୍ଧ, ଚେତନ ଏବଂ ନୀତି ଏବଂ ଧର୍ମପରାୟଣ ହେବାକୁ ହେବ । ଏହା କରି ପାରିଲେ ମୁଁ ତାଙ୍କର ପ୍ରିୟସନ୍ତାନ ହୋଇ ପାରିବି । ତତପରେ ଅପରର ଶୋକ ତାପ ଦୂର କରିବାକୁ ହେବ, ବସୁଧୈବ କୁଟୁମ୍ବକଂ ଅର୍ଥାତ୍‌ ବସ୍ତୁଧାର ସମସ୍ତ ଅଧିବାସୀମାନଙ୍କୁ ମୋର ନିଜର କୁଟୁମ୍ବ ପରି କରି ନେବାକୁ ହେବ । ମୋର କାର୍ଯ୍ୟ ଅତି ମହତ୍ । ମୋତେ କେବଳ ସୂର୍ଯ୍ୟ ଚନ୍ଦ୍ର ଆଉ ତାରା ପରି ଈଶ୍ୱରଙ୍କର ଗୌରବ ପ୍ରକାଶ କରିବା ପାଇଁ ଚିରଦିନ ଦ୍ୱିସପ୍ତଭୁବନ ଭ୍ରମଣ କରିବାକୁ ହେବ ନାହିଁ । ମୁଁ ସାମାନ୍ୟ “ପଢ଼ରାମ ପଢ଼ରାମ” ସାରସ କିମ୍ବା କାକାତୁୟା ନୁହେଁ । ମୋର ବିବେକ ଅଛି, ସ୍ୱାଧୀନ ଚିନ୍ତା ଅଛି; ମୋତେ ଭଲମନ୍ଦ ବିଚାର କରି ଭଲଟା କରିବାକୁ ହେବ ଏବଂ ମନ୍ଦଦାକୁ ପାଦରେ ଠେଲି ଦେବାକୁ ହେବ ଅଥବା ଏକେବାରେ ପାଦରେ ଦଳି ତାହାର ସର୍ବଶେଷ କରିବାକୁ ହେବ । ମୋର ଉଦ୍ଦେଶ୍ୟ ଅତି ମହତ୍ । ମୁଁ ସଂସାରରେ ଶୁଦ୍ଧ ପ୍ରେମିକ ହେଲେ ଚଳିବ ନାହିଁ ; ସେଥି ସଙ୍ଗେ ସଙ୍ଗେ ମୋତେ ପ୍ରେମ ଶୂନ୍ୟ ନିଷ୍ଠୁର ହୃଦୟ ସୈନିକ ସାଜିବାକୁ ହେବ; ଶୁଦ୍ଧ ପଦେ ପଦେ “ଅପରୂପ ପେଖନୂ ରାମା” ଦେଖି ଚକିତ, ସ୍ତମିତ, ମୋହିତ ଏବଂ ମତ୍ତ ହେଲେ ଚଳିବ ନାହିଁ । ମୋତେ ଏକ ଦିଗରେ ଯେପରି Romeo କିମ୍ବା Hamlet ପରି ପ୍ରେମିକ ସାଜିବାକୁ ହେବ ଅନ୍ୟଦିଗରେ ସେହିପରି ମୋତେ Napoleon କିମ୍ବା Alexanderଙ୍କ ପରି ନିର୍ଭୀକ ସୈନିକ ହେବାକୁ ହେବ ।

 

ମୋର ସର୍ବ ପ୍ରଥମ କର୍ତ୍ତବ୍ୟ ହଉଚି ଆପଣାକୁ ଜାଣିବା, ନିଜର କଅଣ ଅଛି ତାହା ଜାଣିବା, ନିଜେ କଅଣ କରିପାରେଁ ତାକୁ ଜାଣିବା । ସଂକ୍ଷେପତଃ ନିଜକୁ ଖୁବ ଭଲ କରି ଜାଣିବା, ଅର୍ଥାତ୍ “ଅତ୍ମାନଂ ବିଦ୍ଧି” ଏହାର ମାନବର ଚୂଡ଼ାନ୍ତ କର୍ତ୍ତବ୍ୟ । ଯଦି ମୁଁ ମୋତେ ଚିହ୍ନି ପାରିବି ନାହିଁ ତାହାହେଲେ ମୋର ଯେଉଁ କର୍ତ୍ତବ୍ୟ ତାହା ମୋ ନିକଟରେ କିପରି ପ୍ରତିଭାତ ହେବ ? କିନ୍ତୁ ଏ ଚିହ୍ନିବାଟା ଅତି କଠିନ । କେବଳ ଧାର୍ମିକ, ନୀତିପରାୟଣ ଅନସୂୟାସକ୍ତ ହୋଇ ପାରିଲେ ସେହି ପ୍ରକାଶ ଆନନ୍ଦରେ ଆମମାନଙ୍କ ନିକଟରେ ପ୍ରକାଶିତ ହେବେ । ନଚେତ୍ ପଦେ ପଦେ ବିଷମ ଭ୍ରମ ପ୍ରମାଦରେ ପଡ଼ି ଦ୍ୱାହତୋଽସ୍ମି, ଅଃ, ଓଃ କରି କରି ଜୀବନକୁ ମରୁଆଡ଼କୁ ଟାଣିବାକୁ ହେବ ।

 

ଏହି ଉଦ୍ଦେଶ୍ୟ ସିଦ୍ଧ କରିବାକୁ ହେଲେ ଆମ୍ଭମାନଙ୍କର କେତେ ଗୁଡ଼ିଏ ବିଷୟ ଅଭ୍ୟାସ କରିବାକୁ ହେବ । ପ୍ରଥମତଃ ଇନ୍ଦ୍ରିୟ ସଂଯମ ଅଭ୍ୟାସ କରି ହିତୋପଦେଶ କହୁଅଛନ୍ତି;–

 

“ଆପଦାଂ କଥିତ ପନ୍ଥଃ ଇନ୍ଦ୍ରିୟାଣାମସଂଯମଃ

ତନ୍ମୟ ସମ୍ପଦାଂ ଯେନେଷ୍ଟଂ ମାର୍ଗଃ ତେନଗମ୍ୟତାମ୍‍”

 

ଅର୍ଥାତ୍ ଇନ୍ଦ୍ରିୟମାନଙ୍କର ଅସଂଯମ ହିଁ ବିପଦର କାରଣ; ଇନ୍ଦ୍ରିୟ ସଂଯମ କଲେ ହିଁ ସମ୍ପଦ ମିଳେ, ଅତଏବ ଯେଉଁ ଦିଗରେ ଇଚ୍ଛା ହୁଏ ସେହି ଦିଗରେ ଗମନ କର । ଯଦି ସୁଖ ଶାନ୍ତି ଇଚ୍ଛା କର ତାହା ହେଲେ ଅବଶ୍ୟ ଇନ୍ଦ୍ରିୟ ସଂଯମ କରିବାକୁ ହେବ । ଯେତେ ଦୂର କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏହି ଷଡ଼ରିପୁକୁ ବଶୀଭୂତ କରି ପାରିବ ସେତେ ଦୂର ସୁଖ ଶାନ୍ତିର କ୍ଷେତ୍ର ବିସ୍ତୃତ ହେବ ।

 

ଦ୍ୱିତୀୟତଃ, ଆମ୍ଭମାନଙ୍କୁ କର୍ମ କରିବାକୁ ହେବ । ଶୁଦ୍ଧ କଳ୍ପନାର ଆକୁଳ ସାଗରରେ ଭାସିଲେ ଚଳିବ ନାହିଁ । “କେବଳ କାର୍ଯ୍ୟ କରିବି” ଜଣେ ଲେଖକ କହିଅଛନ୍ତି, “ଜଗତରେ ହିମାଳୟ ସୁଦୃଶ ଖ୍ୟାତି ଲାଭ କରିବି କହି ଶୂନ୍ୟରେ ଉଡ୍ଡୀନ ହେଲେ କୌଣସି ଫଳ ହୁଏ ନା କିମ୍ବା ଆଶାନୁରୂପ କାର୍ଯ୍ୟ ହୁଏ ନା । କି ଉପାୟରେ କାର୍ଯ୍ୟ କଲେ କାର୍ଯ୍ୟୋଦ୍ଧର ହେବ ଏବଂ ପ୍ରକୃତ ଖ୍ୟାତି ଲାଭ ହେବ, ସେହି ସମୁଦାୟ ଉପାୟ ଉଦ୍ଭାବନ କରି ପାରିଲେ ଜଗତର ସମସ୍ତ ବାଧାବିଘ୍ନ ଅତିକ୍ରମ କରି ଉନ୍ନତ ପଦବୀରେ ଆରୋହଣ କରାଯାଏ । ଜଗତ୍ ପୂର୍ଣ୍ଣ ସତ୍ୟ ଏବଂ ନିତ୍ୟ କାର୍ଯ୍ୟର ଆଧାର ।” ସେଥିପାଇଁ କହୁଅଛି ଏଠାରେ ବସବାସ କରି ରହିବାକୁ ହେଲେ, ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବାକୁ ହେଲେ, ଆମ୍ଭମାନଙ୍କର କାର୍ଯ୍ୟ କରିବା ଏକାନ୍ତ ଦରକାର । କାର୍ଯ୍ୟ ବ୍ୟତିରେକ ଆମ୍ଭମାନଙ୍କର କୌଣସି କଥା ସିଦ୍ଧି ହୁଏ ନା । ସେଥିପାଇଁ ଗୀତା କହିଅଛନ୍ତି,–

 

ନିୟତଂ କୁରୁକର୍ମ୍ମହଂ କର୍ମଜ୍ୟାୟୋହ୍ୟକର୍ମ୍ମଣଃ

ଶରୀର ଯାତ୍ରାପି ତ ତେ ନ ପ୍ରସିଧ୍ୟେଦକର୍ମ୍ମଣଃ ।

 

ଅର୍ଥାତ୍ ସର୍ବଦା କର୍ମକର, ଅକର୍ମଣ୍ୟ ହେଲେ ଶରୀର ଯାତ୍ରା ସୁଦ୍ଧା ସମ୍ଭବ ହୋଇପାରିବ ନାହିଁ । ଆମ୍ଭେମାନେ ତେବେ କାହିଁକି ପରିଶ୍ରମକୁ ଭୟ କରିବୁଁ ? ନା ନା, ବଜ୍ରମୁଷ୍ଟିରେ ଆମ୍ଭେମାନେ ବିପଦ ରାଶିକୁ ଚୂର୍ଣ୍ଣୀଭୂତ କରିବୁଁ, ଆଳସ୍ୟକୁ ଯମାଳୟକୁ ବିତାଡ଼ିତ କରିବୁଁ, କର୍ମ୍ମର ପଥରେ ଅଗ୍ରସର ହେବୁଁ ।

 

ତୃତୀୟତଃ, ହିନ୍ଦୁ ମୁସଲମାନ ନିର୍ବିଶେଷେ ସମସ୍ତଙ୍କୁ ଭଲ ପାଇବୁଁ । ସେତେବେଳେ ଜଗତ ମଧୁମୟ ହେବ, ମୁସଲମାନ ମୋର ପ୍ରାଣର ଭାଇ ହେବ, ଖ୍ରୀଷ୍ଟିୟାନ୍ ମୋର ଆପଣାର ହେବ, ଆଉ ସେତେବେଳେ ଯାହାକୁ ଦେଖିବୁଁ, ଯେ ଦେଖିବ, ସମସ୍ତଙ୍କୁ ସ୍ନେହ, ଶୁଦ୍ଧ ପ୍ରେମ ଦେବୁଁ ଏବଂ ତାହାଠାରୁ ପାଇବୁଁ । ସେତେବେଳେ ଆମ୍ଭମାନଙ୍କର କର୍ତ୍ତବ୍ୟ ସମ୍ପନ୍ନ ହେଲା ବୋଲି ଜାଣିବା । ବର୍ତ୍ତମାନ ଇଂରାଜୀ ଭାଷାରେ ଗୋଟିଏ କଥା ଏଠାରେ ଉଦ୍ଧୃତ କରି ଏବଂ ତାହାର ଉତ୍କଳାନୁବାଦ କରି ଏ ପ୍ରବନ୍ଧର ଉପସଂହାର କରିବି ।

 

“Man ।s no accident of birth nor play thing of fate. He is a power the creator and destroyer of fate. Through the power with।n he will overcome Indolence, outgrow ignorance, enter the realm of wisdom. There he will feel a love for all that lives. He will be an everlasting power for good.”

 

ଅର୍ଥାତ୍ ମନୁଷ୍ୟ ଜନ୍ମର ଗୋଟିଏ ଆକସ୍ମିକ ଫଳ ନୁହେଁ କିମ୍ବା ଦୈବହସ୍ତରେ କ୍ରୀଡ଼ାର ସାମାନ୍ୟ ପୁତ୍ତଳି ନୁହେଁ । ଅନ୍ତର୍ଜଗତର ଶକ୍ତିଦ୍ୱାରା ସେ ଆଳସ୍ୟକୁ ପରାଭୂତ କରିବ, ଅଜ୍ଞାନତାକୁ ଦୂର କରି ଦେବ ଏବଂ ଜ୍ଞାନ ରାଜ୍ୟରେ ପ୍ରବେଶ ଲାଭ କରିବ । ସେଠାରେ ସେ ସମସ୍ତ ଜୀବିତ ପଦାର୍ଥକୁ ସ୍ନେହ ଦେଖାଇବ । ସେତେବେଳେ ସେ ଯାବଜ୍ଜୀବନ ଗୋଟିଏ ସ୍ଥାୟୀ ଶକ୍ତି ହୋଇ ରହିବ ।

 

ଆମ୍ଭେମାନେ ଯେପରି ଏହି କଥାଟି ଭଲକରି ଚିନ୍ତା କରୁଁ ଏହାଇ ପାଠକମାନଙ୍କ ନିକଟରେ ମୋର ଏକମାତ୍ର ଅନୁରୋଧ ।

Image